ପୁରୀ ୩୧।୧୦: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ବିବାଦରେ ଶ୍ରୀମନ୍ଦିର ସପକ୍ଷରେ ଆସିଲା ବଡ଼ ରାୟ। ପୁରୀ ଶଙ୍କରପୁର ମୌଜାର ପ୍ରାୟ ୨୮.୮୪ ଏକର ଜମି ବିବାଦରେ ଚକବନ୍ଦୀ କମିଶନର ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ମହାପ୍ରଭୁଙ୍କ ନାଁରେ ଜମି ରେକର୍ଡ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଚକବନ୍ଦୀ କମିଶନର। ଏହି ରାୟ ପରେ ଓମକାରେଶ୍ୱର ମନ୍ଦିର ସମ୍ମୁଖରେ ଥିବା ଏହି ବିବାଦୀୟ ଜମି ଶ୍ରୀମନ୍ଦିରକୁ ଫେରିଛି। ପୁରୀ ତହସିଲଦାର, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ବାସେଳୀ ସାହି ଥାନା ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ଜମିରେ ବୋର୍ଡ଼ ଲଗାଯାଇଛି। ଏହା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିଜସ୍ଵ ଭୂସମ୍ପତ୍ତି ଏବଂ ଅନଧିକାର ପ୍ରବେଶ ଆଇନ ଅନୁସାରେ ଦଣ୍ଡନୀୟ ବୋଲି ବୋର୍ଡ ରେ ଉଲ୍ଲେଖ ରହିଛି।

ତେବେ ଦୀର୍ଘ ବର୍ଷ ଧରି ଶଙ୍କରପୁର ମୌଜା, ଖାତା ନମ୍ବର ୪୧୧ ର ଥିବା ପ୍ରାୟ ୨୮.୮୪ ଏକର ଜମିକୁ ନେଇ ବିବାଦ ଲାଗି ରହିଥିଲା। ୧୯୭୭ ସାବିକ୍ ରେକର୍ଡରେ ଏହି ଜମି ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାଁରେ ଥିଲା। ପୁରୁଣା ରେକର୍ଡ, ପଞ୍ଜିକୃତ ଦଲିଲ ଏବଂ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜମି ସମର୍ପଣ ତଥ୍ୟ ମଧ୍ୟ ଥିଲା। କିନ୍ତୁ ଚକବନ୍ଦୀ ପ୍ରକ୍ରିୟା ବେଳେ ଏହାକୁ ବଦଳାଇ ପୁରୀ ଉତ୍ତର ପାର୍ଶ୍ୱ ମଠ ଏଣ୍ଡାଓମେଣ୍ଟ ଟ୍ରଷ୍ଟି ବୋର୍ଡର ମହନ୍ତ ଶ୍ରୀ ରାମାନୁଜ ଦାସଙ୍କ ନାଁରେ କରାଯାଇଥିବା ଅଭିଯୋଗ କରିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି। ଏହି ରେକର୍ଡ ପରିବର୍ତ୍ତନ ବେଳେ ନିୟମ ପାଳନ ହୋଇନଥିବା ଏବଂ ଠିକ୍ ଭାବେ ନୋଟିସ୍ ଦିଆଯାଇ ଶୁଣାଣି କରାଯାଇନଥିବା ଦର୍ଶାଇ ଶ୍ରୀମନ୍ଦିର ପରିଚାଳନା କମିଟି ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ଆକ୍ଟ ୧୯୫୮ ର ଧାରା ୧୫(ବି) ଅନୁସାରେ ୨୦୧୬ର ସେଟଲମେଣ୍ଟ ରିଭିଜନ୍ ପିଟିସନ୍ ନଂ ୩୦୩ ଦାଖଲ କରିଥିଲା।

Also Read:- ବନ୍ୟା କ୍ଷୟକ୍ଷତି ପରଖିବାକୁ ଯାଇ ବିଧାୟକ ହଟହଟା, ବେକରେ ଗାମୁଛା ପକାଇ ଟଣାଓଟରା

ଏହି ମାମଲାର ଶୁଣାଣି କରି ଚକବନ୍ଦୀ କମିଶନର ପୁରୁଣା ରେକର୍ଡ ଓ ଦଲିଲକୁ ଗୁରୁତ୍ୱ ଦେଇଛନ୍ତି। ଦେବତାଙ୍କ ଉଦ୍ଦେଶ୍ୟରେ ସମ୍ପତ୍ତି ମୌଖିକ ଭାବେ ବି ସମର୍ପଣ କରାଯାଇପାରେ। ସବୁ କ୍ଷେତ୍ରରେ ପଞ୍ଜିକୃତ ଦାନପତ୍ର ଆବଶ୍ୟକ ନୁହେଁ ବୋଲି ଆଇନଗତ ନୀତି ଉଲ୍ଲେଖ କରିଛନ୍ତି। ସମସ୍ତ ତଥ୍ୟକୁ ବିଚାର କରି ଚକବନ୍ଦୀ କମିଶନର ଶ୍ରୀମନ୍ଦିରର ଆବେଦନକୁ ମଞ୍ଜୁର କରିଛନ୍ତି। ଶଙ୍କରପୁର ମୌଜାର ଏହି ୨୮.୮୪ ଏକର ଜମି ମହାପ୍ରଭୁଙ୍କ ନାଁରେ ରେକର୍ଡ ସଂଶୋଧନ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯିବା ପରେ ଆଜି ଏହି ଜମି ଶ୍ରୀମନ୍ଦିର ଖାତାକୁ ଫେରିଛି।