ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏମବିବିଏସ୍‌ ସିଟ୍‌ ଖାଲି ପଡ଼ିଛି । ଛାତ୍ରଛାତ୍ରୀ ମେଡିକାଲ୍‌ ପାଠ୍ୟକ୍ରମରେ ନାମ ଲେଖାଉ ନାହାନ୍ତି । ଏପରିକି NEET-UG କାଉନସେଲିଂ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୨,୦୦୦ରୁ ଅଧିକ ଏମବିବିଏସ୍ ସିଟ୍ ଖାଲି । ସିଟ୍‌ଗୁଡ଼ିକୁ ପୂରଣ କରିବା ଲାଗି ବିଭିନ୍ନ ରାଜ୍ୟ ସରକାର ଏବଂ ମେଡିକାଲ କଲେଜଗୁଡ଼ିକ ଜାତୀୟ ମେଡିକାଲ କମିଶନ (NMC) ନିକଟରେ 'ମପ୍-ଅପ୍ ରାଉଣ୍ଡ' ପାଇଁ ଅନୁମତି ମାଗିଛନ୍ତି।

 କାହିଁକି ଖାଲି ପଡ଼ିଛି ସିଟ୍ ?
ଡାକ୍ତରୀ ଶିକ୍ଷା ପାଇଁ ଘରୋଇ କଲେଜ ଏବଂ ଡିମ୍ଡ ୟୁନିଭର୍ସିଟିଗୁଡ଼ିକରେ ଅତ୍ୟଧିକ ଖର୍ଚ୍ଚ ବା ଫି’ ଲାଗି ଛାତ୍ରଛାତ୍ରୀ ଆଗ୍ରହୀ ହେଉନଥିବା କୁହାଯାଉଛି । ଘରୋଇ କଲେଜରେ ସରକାରୀ କୋଟା ସିଟ୍ ପାଇଁ ବର୍ଷକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମ୍ୟାନେଜମେଣ୍ଟ କୋଟା ପାଇଁ ଏହା ବର୍ଷକୁ ୨୦ ଲକ୍ଷ ଟଙ୍କା ବା ତାହାଠାରୁ ଅଧିକ ରହୁଛି।

ଅଧିକାଂଶ ମେଧାବୀ ଛାତ୍ରଛାତ୍ରୀ ଏତେ ପରିମାଣର ଫି' ବହନ କରିବାରେ ଅସମର୍ଥ । ଫଳ​ରେ ସେମାନଙ୍କୁ ସିଟ୍‌ ମିଳୁଥିଲେ ସୁଦ୍ଧା ସେମାନେ ଆଡମିସନ୍‌ ନେଉନାହାନ୍ତି । ଏହାବ୍ୟତୀତ ଡାକ୍ତରୀ ପାଠ୍ୟକ୍ରମ ସମାପ୍ତ କରିବା ପରେ ପ୍ରାରମ୍ଭିକ ରୋଜଗାର ଏବଂ ବ୍ୟାଙ୍କ ଋଣର ଇଏମଆଇ ପରିଶୋଧ କରିବାର ଚିନ୍ତା ଛାତ୍ରଛାତ୍ରୀଙ୍କୁ ଘାରୁଛି ।

ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ ରାଜ୍ୟରେ ସିଟ୍ ଖାଲି ପଡ଼ିଥିଲେ ମଧ୍ୟ କେତେକ ସ୍ଥାନରେ ଏହାର ସଂଖ୍ୟା ଅଧିକ ରହିଛି । ବିଶେଷକରି, ତାମିଲନାଡୁ ଏବଂ ପୁଡୁଚେରୀରେ ସର୍ବାଧିକ ୮୨୪ ସିଟ୍‌ ଖାଲି ପଡ଼ିଛି । ସେଠାକାର ଡିମ୍ଡ ୟୁନିଭର୍ସିଟିଗୁଡ଼ିକରେ ଛାତ୍ରଛାତ୍ରୀ ନାମ ଲେଖାଉ ନାହାନ୍ତି । କର୍ଣ୍ଣାଟକରେ ଏପର୍ଯ୍ୟନ୍ତ ୧୯୧ଟି ସିଟ୍ ଖାଲି ରହିଛି। ଅନେକ କଲେଜ ଏବେ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ହଷ୍ଟେଲ୍ ଖର୍ଚ୍ଚ ମିଶାଇ ସମଗ୍ର କୋର୍ସ ପାଇଁ ଫି' ହ୍ରାସ କରିବାର ପ୍ରସ୍ତାବ ମଧ୍ୟ ଦେଉଛନ୍ତି।

ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଭଳି ରାଜ୍ୟଗୁଡ଼ିକରେ ମଧ୍ୟ ୧୦୦ରୁ ଅଧିକ ଲେଖାଏ ସିଟ୍ ଖାଲି ରହିଛି। ଏପରିକି ଏମ୍ସ ମଦୁରାଇ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ମଧ୍ୟ ଗୋଟିଏ ସିଟ୍ ଖାଲି ରହିଥିବା ଜଣାପଡ଼ିଛି।  ଖାଲି ପଡ଼ିଥିବା ହଜାର ହଜାର ସିଟ୍ ପୂରଣ କରିବା ପାଇଁ ରାଜ୍ୟର ମେଡିକାଲ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ କଲେଜ କର୍ତ୍ତୃପକ୍ଷ ଏନଏମସି ନିକଟରେ କ୍ୱାଲିଫାଇଂ କଟ୍‌-ଅଫ୍ ମାର୍କ ହ୍ରାସ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ଯଦି ଏନଏମସି ଏହି ପ୍ରସ୍ତାବକୁ ଗ୍ରହଣ କରେ, ତେବେ କମ୍ ମାର୍କ କାରଣରୁ ବାଦ୍ ପଡ଼ିଥିବା ଆଶାୟୀ ଏମବିବିଏସ୍ ସିଟ୍ ପାଇବାକୁ ଚେଷ୍ଟା କରିପାରନ୍ତି ।