ପୁରୀ ୩୧।୧୦: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ କରୁଥିବା ବେଳେ ଚାଲିଗଲା ଜଣେ ପର୍ଯ୍ୟଟକଙ୍କ ଜୀବନ। ପୁରୀ ବେଳାଭୂମିର ସେକ୍ଟର ୧୨ ରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ପର୍ଯ୍ୟଟକ ପଶ୍ଚିମବଙ୍ଗର ସୁମନ୍ତ ମାଇତି ବୋଲି ଜଣାପଡ଼ିଛି।

ସେକ୍ଟର ୧୨ ବେଳାଭୂମିରେ ଆଜି ଅପରାହ୍ନରେ ସମୁଦ୍ର ସ୍ନାନ କରୁଥିଲେ ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ। ଏହି ସମୟରେ ବଡ଼ ଜୁଆର ଆସି ସୁମନ୍ତ ମାଇତିଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା। ତେବେ ସୁମନ୍ତ ସମୁଦ୍ରରେ ବୁଡ଼ି ଯାଉଥିବା ଦେଖି ବେଳାଭୂମିରେ ଥିବା ଅନ୍ୟ ପର୍ଯ୍ୟଟକ ଚିତ୍କାର କରିଥିଲେ। ପର୍ଯ୍ୟଟକଙ୍କ ଚିତ୍କାର ଶୁଣି ସଙ୍ଗେ ସଙ୍ଗେ ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡ ଓ ଅଗ୍ନିଶମ ବାହିନୀର କର୍ମଚାରୀ ତୁରନ୍ତ ସମୁଦ୍ର ଭିତରକୁ ଯାଇଥିଲେ। ଲାଇଫ୍ ଗାର୍ଡ ଗଭୀର ସମୁଦ୍ରକୁ ଯାଇ ପ୍ରାୟ ୧୫ ମିନିଟ୍ କାଳ ସମୁଦ୍ର ସହ ସଂଘର୍ଷ କରି ଶେଷରେ ଅଚେତ ଅବସ୍ଥାରେ ସୁମନ୍ତଙ୍କୁ କୂଳକୁ ଆଣିଥିଲେ। ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଏକ ଅଟୋ ଯୋଗେ ପୁରୀ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read:- ଅର୍ଣ୍ଣବ ବନ୍ୟା ପରେ ଆକ୍ସନ୍ ମୋଡ୍ରେ ସରକାର, ଗଞ୍ଜାମରେ ମୁତୟନ ହେଲେ ୧୦ ଅଧିକାରୀ

ବାତ୍ୟା ଅର୍ଣ୍ଣବ ପରେ ସମୁଦ୍ର ଏବେ ବି ସମ୍ପୂର୍ଣ୍ଣ ଶାନ୍ତ ହୋଇନାହିଁ। ଏଣୁ ସମୁଦ୍ର କୂଳରେ ରେଡ୍ ଫ୍ଲାଗ୍ ଲଗାଇ ପର୍ଯ୍ୟଟକଙ୍କୁ ଗଭୀର ସମୁଦ୍ରକୁ ନଯିବାକୁ ବାରମ୍ବାର ସତର୍କ କରାଯାଉଛି। ହେଲେ କିଛି ପର୍ଯ୍ୟଟକ ସତର୍କ ସୂଚନାକୁ ଅଣଦେଖା କରି ସମୁଦ୍ରକୁ ଯାଉଥିବାରୁ ଏଭଳି ଅଘଟଣ ଘଟୁଛି।