ନୂଆଦିଲ୍ଲୀ: ରାକ୍ଷୀ ପୂର୍ଣ୍ଣିମାରେ ବି ସୁନା ମୂ୍ଲ୍ୟ ହ୍ରାସ ପାଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଶୁକ୍ରାବର ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ₹୧୬୦ ହ୍ରାସ ପାଇ ₹୧.୫୮ ଲକ୍ଷ ହୋଇଛି। ଆଜି ଓ ଗତକାଲିର, ମାତ୍ର ଦୁଇ ଦିନରେ ସୁନା ₹୩,୦୦୦ ଶସ୍ତା ହେଲାଣି। କେବଳ ସୁନା ନୁହେଁ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି। ଆଜି ଏକ କିଲୋଗ୍ରାମ ରୁପାର ମୂଲ୍ୟ ₹୮୮୨ ବୃଦ୍ଧି ପାଇ ₹୨.୪୦ ଲକ୍ଷ ହୋଇଛି।

ଏହି ବର୍ଷ ସୁନା ଏବଂ ରୁପାର ମୂଲ୍ୟରେ ନିରନ୍ତର ପରିବର୍ତ୍ତନ ହୋଇଛି। ୨୦୨୬ ମସିହାରେ ଏପର୍ଯ୍ୟନ୍ତ ସୁନା ୨୯ ହଜାର ଟଙ୍କା ମହଙ୍ଗା ହେଲାଣି। ୩୧ ଡିସେମ୍ବର ୨୦୨୫ ରେ ୧୦ ଗ୍ରାମ ସୁନାର ମୂଲ୍ୟ ୧.୩୩ ଲକ୍ଷ ଟଙ୍କା ଥିଲା, ଯାହା ଏବେ ୧.୫୮ ଲକ୍ଷ ଟଙ୍କାରେ ପହଞ୍ଚିଛି।

ଯଦିଓ ରୁପା ସୁନା ଭଳି ବଡ଼ ବୃଦ୍ଧି ହାସଲ କରି ନାହିଁ, ତେବେ ବି ଦର ସାଧାରଣ ଲୋକର ବଜେଟ୍ ବାହାରେ ରହିଛି। କାରଣ ୩୧ ଡିସେମ୍ବର ୨୦୨୫ ରେ ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ୨.୩୦ ଲକ୍ଷ ଟଙ୍କା ଥିଲା, ଯାହା ଏବେ ୨.୪୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଚଳିତ ବର୍ଷ ଜାନୁଆରୀ ମାସରେ ସୁନା ଓ ରୁପା, ଏହି ଦୁଇ ମୂଲ୍ୟବାନ ଧାତୁ ରେକର୍ଡ ଦରବୃଦ୍ଧି ହାସଲ କରିଥିଲେ। ଜାନୁଆରୀ ୨୯ ରେ ସୁନା ୧.୭୬ ଲକ୍ଷ ଟଙ୍କା ଏବଂ ରୁପା ୩.୮୬ ଲକ୍ଷ ଟଙ୍କା ସର୍ବକାଳୀନ ସର୍ବାଧିକ ଦର ବୃଦ୍ଧି ହାସଲ କରିଥିଲା

​​​​​​​ଭରିଏ ସୁନା ହେବ ୧୫ ଲକ୍ଷ !

ବିଶ୍ବରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ସୁନା ମୂଲ୍ୟ ମଧ୍ୟ ଅସ୍ଥିର ରହିଛି । କେତେବେଳେ ବଢ଼ୁଛି ତ, ପୁଣି କେତେବେଳେ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଉଛି । କିନ୍ତୁ ଭବିଷ୍ୟତରେ ସୁନା ମୂଲ୍ୟ ଆକାଶଛୁଆଁ ହେବାକୁ ଯାଉଛି। ଏହାକୁ ନେଇ ବିଶେଷଜ୍ଞମାନେ ନିଜ ନିଜର ମତ ମଧ୍ୟ ଦେଉଛନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ, ବିଶିଷ୍ଟ ନିବେଶକ ତଥା ଇଲେକ୍ଟ୍ରମ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ଥୋମାସ୍ କାପ୍ଲାନ୍‌ଙ୍କ ଅନୁଯାୟୀ, ଭବିଷ୍ୟତରେ ସୁନା ମୂଲ୍ୟ ପ୍ରତି ଆଉନ୍ସ (Ounce) ପିଛା ୩୦,୦୦୦ ରୁ ୫୦,୦୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଯଦି ପ୍ରତି ଆଉନ୍ସ ସୁନା ୫୦,୦୦୦ ଡଲାର ହୁଏ ଏବଂ ଡଲାର ପିଛା ଭାରତୀୟ ଟଙ୍କାର ମୂଲ୍ୟ ୯୫ ଟଙ୍କା ହିସାବ କରାଯାଏ, ତେବେ ଭାରତରେ ୧୦ ଗ୍ରାମ ସୁନାର ଦର ପ୍ରାୟ ୧୫ ଲକ୍ଷ ଟଙ୍କାରେ ପହଞ୍ଚିବ।

ବର୍ତ୍ତମାନ ସୁନା ଆଉନ୍ସ ପିଛା ପ୍ରାୟ $୪,୬୦୦ ରେ କାରବାର ହେଉଛି। କାପ୍ଲାନ୍‌ଙ୍କ ଅନୁସାରେ, ଏଠାରୁ ମୂଲ୍ୟ ୧୦ ଗୁଣ ବଢ଼ିବା ପ୍ରାୟ ନିଶ୍ଚିତ। ସୁନା ମୂଲ୍ୟରେ ସମ୍ପ୍ରତି ଦେଖାଦେଇଥିବା ହ୍ରାସକୁ ସେ ୧୯୮୭ ର ‘ବ୍ଲାକ୍ ମଣ୍ଡେ’ (Black Monday) ଶେୟାର ବଜାର କ୍ରାସ୍‌ ସହ ତୁଳନା କରିଛନ୍ତି। ସେତେବେଳେ ୮ ସପ୍ତାହ ମଧ୍ୟରେ ଡାଉ ଜୋନ୍ସ ୩୬% ହ୍ରାସ ପାଇଥିଲା, ଯାହା ସେହି ସମୟରେ ଭୟଙ୍କର ଲାଗୁଥିଲା। ମାତ୍ର ୪୫ ବର୍ଷର ଦୀର୍ଘକାଳୀନ ଚାର୍ଟରେ ଏହା ଅତ୍ୟନ୍ତ ନଗଣ୍ୟ। ତେଣୁ ବର୍ତ୍ତମାନର ହ୍ରାସକୁ ସେ ଏକ ବିଶାଳ ନିବେଶ ସୁଯୋଗ ବୋଲି କହିଛନ୍ତି।