ନୂଆଦିଲ୍ଲୀ: ବିଶ୍ବରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ସୁନା ମୂଲ୍ୟ ମଧ୍ୟ ଅସ୍ଥିର ରହିଛି । କେତେବେଳେ ବଢ଼ୁଛି ତ, ପୁଣି କେତେବେଳେ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଉଛି  । କିନ୍ତୁ ଭବିଷ୍ୟତରେ ସୁନା ମୂଲ୍ୟ ଆକାଶଛୁଆଁ ହେବାକୁ ଯାଉଛି । ଏହାକୁ ନେଇ ବିଶେଷଜ୍ଞମାନେ ନିଜ ନିଜର ମତ ମଧ୍ୟ ଦେଉଛନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ, ବିଶିଷ୍ଟ ନିବେଶକ ତଥା ଇଲେକ୍ଟ୍ରମ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ଥୋମାସ୍ କାପ୍ଲାନ୍‌ଙ୍କ ଅନୁଯାୟୀ, ଭବିଷ୍ୟତରେ ସୁନା ମୂଲ୍ୟ ପ୍ରତି ଆଉନ୍ସ (Ounce) ପିଛା ୩୦,୦୦୦ ରୁ ୫୦,୦୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଯଦି ପ୍ରତି ଆଉନ୍ସ ସୁନା ୫୦,୦୦୦ ଡଲାର ହୁଏ ଏବଂ ଡଲାର ପିଛା ଭାରତୀୟ ଟଙ୍କାର ମୂଲ୍ୟ ୯୫ ଟଙ୍କା ହିସାବ କରାଯାଏ, ତେବେ ଭାରତରେ ୧୦ ଗ୍ରାମ ସୁନାର ଦର ପ୍ରାୟ ୧୫ ଲକ୍ଷ ଟଙ୍କାରେ ପହଞ୍ଚିବ।

ବର୍ତ୍ତମାନ ସୁନା ଆଉନ୍ସ ପିଛା ପ୍ରାୟ $୪,୬୦୦ ରେ କାରବାର ହେଉଛି। କାପ୍ଲାନ୍‌ଙ୍କ ଅନୁସାରେ, ଏଠାରୁ ମୂଲ୍ୟ ୧୦ ଗୁଣ ବଢ଼ିବା ପ୍ରାୟ ନିଶ୍ଚିତ। ସୁନା ମୂଲ୍ୟରେ ସମ୍ପ୍ରତି ଦେଖାଦେଇଥିବା ହ୍ରାସକୁ ସେ ୧୯୮୭ ର ‘ବ୍ଲାକ୍ ମଣ୍ଡେ’ (Black Monday) ଶେୟାର ବଜାର କ୍ରାସ୍‌ ସହ ତୁଳନା କରିଛନ୍ତି। ସେତେବେଳେ ୮ ସପ୍ତାହ ମଧ୍ୟରେ ଡାଉ ଜୋନ୍ସ ୩୬% ହ୍ରାସ ପାଇଥିଲା, ଯାହା ସେହି ସମୟରେ ଭୟଙ୍କର ଲାଗୁଥିଲା। ମାତ୍ର ୪୫ ବର୍ଷର ଦୀର୍ଘକାଳୀନ ଚାର୍ଟରେ ଏହା ଅତ୍ୟନ୍ତ ନଗଣ୍ୟ। ତେଣୁ ବର୍ତ୍ତମାନର ହ୍ରାସକୁ ସେ ଏକ ବିଶାଳ ନିବେଶ ସୁଯୋଗ ବୋଲି କହିଛନ୍ତି।

ଅନ୍ୟ ବିଶେଷଜ୍ଞଙ୍କ ମତ

‘ରିଚ୍ ଡାଡ୍ ପୁଅର୍ ଡାଡ୍’ ର ଲେଖକ ରୋବର୍ଟ କିୟୋସାକି ଏବଂ ଜିମ୍ ରୋଜର୍ସଙ୍କ ଭଳି ପ୍ରସିଦ୍ଧ ନିବେଶକମାନେ ମଧ୍ୟ ସୁନା ଏବଂ ରୂପା ଉପରେ ଦୀର୍ଘକାଳୀନ ବୃଦ୍ଧିକୁ ନେଇ ବେଶ ଆଶାବାଦୀ ଅଛନ୍ତି । ସ୍ୱଳ୍ପକାଳୀନ ସଂଶୋଧନ (Correction) ସତ୍ତ୍ୱେ ଦୀର୍ଘମିଆଦୀ ନିବେଶ ପାଇଁ ଏହି ବହୁମୂଲ୍ୟ ଧାତୁସବୁ ବହୁ ଗୁଣିତ ଲାଭ ଦେବ ବୋଲି ସେମାନେ ଆଶାପ୍ରକାଶ କରିଛନ୍ତି।

ଐତିହାସିକ ତଥ୍ୟରୁ ସ୍ପଷ୍ଟ ହୁଏ ଯେ, ବିଶ୍ୱ ବଜାରର ସଙ୍କଟ ଏବଂ ମୁଦ୍ରାସ୍ଫୀତି ସମୟରେ ସୁନା ଏକ ଦୀର୍ଘକାଳୀନ ନିରାପଦ ନିବେଶ ଭାବରେ କାର୍ଯ୍ୟ କରେ। ତେବେ ଏହାର ମୂଲ୍ୟ ବୃଦ୍ଧି ମୁଖ୍ୟତଃ ପ୍ରକୃତ ସୁଧ ହାର ଉପରେ ନିର୍ଭର କରେ। ଶେୟାର ବଜାରରେ ବଡ଼ ଧରଣର ହ୍ରାସ ଘଟିଲେ ସୁନା ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ କରେ । ୧୯୮୭ ଅକ୍ଟୋବର ୧୯ ରେ ଯେତେବେଳେ ଡାଉ ଜୋନ୍ସ ଗୋଟିଏ ଦିନରେ ୨୨% ଖସିଯାଇଥିଲା, ସେତେବେଳେ ସୁନା ମୂଲ୍ୟ +୩.୨% ବୃଦ୍ଧି ପାଇଥିଲା। ୨୦୦୮ରେ ଲେହମ୍ୟାନ୍ ବ୍ରଦର୍ସ ବୁଡ଼ିଯିବା ପରେ ନିବେଶକମାନେ କ୍ଷତି ପୂରଣ ପାଇଁ ସୁନା ବିକ୍ରି କରିବାରୁ ୪ ସପ୍ତାହ ମଧ୍ୟରେ ସୁନା ଦର ପ୍ରାୟ ୨୦% ହ୍ରାସ ପାଇଥିଲା।

ଦ୍ବିତୀୟ ପର୍ଯ୍ୟାୟରେ  କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧହାର କମାଇବା ପରେ, ୨୦୦୮ ଶେଷରୁ ୨୦୧୧ ଅଗଷ୍ଟ ମଧ୍ୟରେ ସୁନା ମୂଲ୍ୟ +୧୬୩% ବୃଦ୍ଧି ପାଇ ଆଉନ୍ସ ପିଛା ୧,୯୧୭ ଡଲାରରେ ପହଞ୍ଚିଥିଲା।  ମାର୍ଚ୍ଚ ୨୦୨୦ ରେ ସୁନା ମୂଲ୍ୟ ପ୍ରଥମେ ୧୨% ଖସିଥିଲା, କିନ୍ତୁ ଆର୍ଥିକ ସହାୟତା ପ୍ୟାକେଜ୍‌ ସୋସିଆଲ୍ ବଜାରକୁ ଆସିବା ପରେ ୫ ମାସ ମଧ୍ୟରେ ଏହା +୪୦% ବଢ଼ି ୨,୦୬୦ ଡଲାରର ନୂଆ ରେକର୍ଡ ସୃଷ୍ଟି କରିଥିଲା।