ଭୁବନେଶ୍ବର ୬।୧୧: ବେଆଇନ ବାଣ କାରଖାନା ଉପରେ ପୋଲିସର ଅତର୍କିତ ଚଢ଼ାଉ । ରାଜଧାନୀ ଉପକଣ୍ଠ ବ୍ରହ୍ମକୁଣ୍ଡଳରେ ଦୀର୍ଘଦିନ ଧରି ଚାଲିଥିଲା ବେଆଇନ ବାଣ ତିଆରି କାରଖାନା । ଘର ଭିତରେ ଚାଲିଥିଲା ବାଣ ପ୍ରସ୍ତୁତି । ସୂଚନା ପାଇଁ ଏୟାରଫିଲ୍ଡ ଥାନା ପୋଲିସର ଅତର୍କିତ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବାଣ ତିଆରିରେ ବ୍ୟବହୃତ ଗୋଡ଼ି, ମାଟି, ବାରୁଦ ସମେତ ବିଭିନ୍ନ ସାମଗ୍ରୀ ଓ ଯନ୍ତ୍ରପାତି ଜବତ କରିଛି ପୋଲିସ । ଘଟଣାରେ ବାଣ ତିଆରି କରୁଥିବା ଚିତ୍ତରଞ୍ଜନ ଜେନାଙ୍କୁ ପୋଲିସ ଗିରଫ କରିଛି ।

ଭୁବନେଶ୍ୱର ଉପକଣ୍ଠ ବ୍ରହ୍ମକୁଣ୍ଡଳ ଅଞ୍ଚଳରେ ଚିତ୍ତରଞ୍ଜନ ଜେନାଙ୍କ ଘରେ ଚାଲିଥିଲା ଏହି ବେଆଇନ କାରବାର । ଖବର ପାଇ ଘର ଉପରେ ଅଚାନକ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ୨ କେଜି ବାରୁଦ, ୧୦୦ଟି ସିଙ୍ଗଲ୍ ସଟ୍ ବାଣ ସହ ବାଣ ତିଆରିରେ ବ୍ୟବହୃତ ବିଭିନ୍ନ କଞ୍ଚାମାଲ ଜବତ ହୋଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା । ଘଟଣାରେ ବାଣ ବ୍ୟବସାୟୀ ଚିତ୍ତରଞ୍ଜନ ଜେନାଙ୍କୁ ଗିରଫ କରିଛି ପୋଲିସ ।

ଜନବସତି ଅଞ୍ଚଳରେ ବିନା ଅନୁମତିରେ କିପରି ଚାଲିଥିଲା ଏଭଳି ବିପଦଜନକ କାରବାର ? କେତେ ଦିନ ଧରି ଚାଲିଥିଲା ଏହି କାରଖାନା ? ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ? ଏସବୁ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ ।

Also Read:- ଯୌନ ନିର୍ଯାତନା ମାମଲାରେ ସୁଶାନ୍ତ ନାଥଙ୍କୁ ମିଳିବ କି ଆଶ୍ୱସ୍ତି ? ଆସନ୍ତା ୧୧ରେ ପରବର୍ତ୍ତୀ ଶୁଣାଣି

ଅନ୍ୟପଟେ ରାଜଧାନୀରେ ବେଆଇନ ବାଣ ବିକ୍ରି ଉପରେ ମଧ୍ୟ ପୋଲିସର କଡ଼ା ନଜର ରହିଛି । ବିନା ଅନୁମତିରେ ବାଣ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ କ୍ରିମିନାଲ ମାମଲା ରୁଜୁ କରାଯିବ ବୋଲି ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।