ଭୁବନେଶ୍ୱର ୦୭।୧୧ : ରକ୍ତରଞ୍ଜିତ ପୁଣି ରାଜଧାନୀ ! ଦୁଇ ଦିନ ଭିତରେ ଦୁଇଟି ହତ୍ୟାକାଣ୍ଡ। ଅପରାଧୀଙ୍କ ଛାତିରେ ଆଉ ପୋଲିସର ଭୟ ନାହିଁ କି? ଶିଶୁପାଳଗଡ଼ ହତ୍ୟାକାଣ୍ଡର ଚର୍ଚ୍ଚା ଥମିନି, ଏପଟେ ବମିଖାଲରେ ପୁଣି ଫୁଟିଲା ଗୁଳି। ଅତି ନିକଟରୁ ମୁଣ୍ଡକୁ ଗୁଳି କରି ଜଣେ ଯୁବକଙ୍କୁ ହତ୍ୟା। ରାତି ପ୍ରାୟ ୩ଟାରେ ଘଟିଲା ଏହି ଛାତିଥରା ଘଟଣା। ପୂର୍ବରୁ ମିଳିଥିଲା ହତ୍ୟା ଧମକ, ତଥାପି କାହିଁକି ଅଟକାଇ ପାରିଲାନି ପୋଲିସ? ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ। ତେବେ ରାଜଧାନୀରେ ଅପରାଧୀଙ୍କ ଏ ଆତଙ୍କରାଜ ପଛରେ କିଏ ? କେବେ ଧରାପଡ଼ିବ ମାଷ୍ଟରମାଇଣ୍ଡ?

ରାଜଧାନୀରେ ପୁଣି ଗର୍ଜିଲା ବନ୍ଧୁକ। ରାଜଧାନୀର ରାଜରାସ୍ତାରେ ପୁଣି ପଡିଲା ରକ୍ତ। ଶିଶୁପାଳଗଡ଼ ହତ୍ୟାକାଣ୍ଡର ଚର୍ଚ୍ଚା ଥମିନଥିବା ବେଳେ ବମିଖାଲରେ ଘଟିଛି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲ ଅଞ୍ଚଳରେ ସୋନୁ ନାୟକ ନାମକ ଜଣେ ଯୁବକଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଛି।

ବିଳମ୍ବିତ ରାତି ପ୍ରାୟ ୩ଟା ସମୟ। ସୋନୁ ନିଜର ଚାରିଜଣ ସାଙ୍ଗଙ୍କ ସହ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିଲେ। ବମିଖାଲ ସ୍ଥିତ ସରକାରୀ ବନ୍ଧୁକ ଦୋକାନ ସମ୍ମୁଖରେ ପୂର୍ବରୁ ଛକି ବସିଥିଲେ କିଛି ଦୁର୍ବୃତ୍ତ। ସୋନୁଙ୍କ ଗାଡ଼ିକୁ ଅଟକାଇବା ପରେ କିଛି ବୁଝିବା ଆଗରୁ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଅତି ନିକଟରୁ ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ସୋନୁ।

Also Read:-ଉପଗ୍ରହକୁ ଚକ୍‌ମା ଦେଉଛନ୍ତି ପଞ୍ଜାବ-ହରିୟାଣାର ଚାଷୀ ! ନଡ଼ା ପୋଡ଼ି ଲୁଚାଇବାକୁ ଆପଣାଉଛନ୍ତି ଏହି ଉପାୟ

ସେପଟେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୋନୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଥିବା ସନ୍ଦେହ କରାଯାଉଛି । ଗତ କିଛି ଦିନ ତଳେ ଏକ ସନ୍ଧ୍ୟାରେ ବିରୋଧୀ ଗୋଷ୍ଠୀର କିଛି ଲୋକ ସୋନୁଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା ମିଳିଛି। ଏନେଇ ପୋଲିସ ପାଖରେ ଖବର ଥିଲା କି ନାହିଁ, ଧମକ ସମ୍ପର୍କରେ ଅଭିଯୋଗ ହୋଇଥିଲା କି ନାହିଁ, ଏବଂ ସମୟ ଥାଉ ଥାଉ କାହିଁକି ରୋକାଯାଇପାରିଲାନି ଏହି ହତ୍ୟାକାଣ୍ଡ? ଏସବୁକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ।

ଘଟଣାରେ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ କ'ଣ? ଏହା ପଛରେ କେଉଁ ଗୋଷ୍ଠୀର ହାତ ରହିଛି? ଏବଂ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ କିଏ? ତାହା ଏବେ ତଦନ୍ତ ସାପେକ୍ଷ।