ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ SIR ପ୍ରକ୍ରିୟା ବିରୋଧରେ ଅକ୍ଟୋବର ୧୦ରେ ଦିଲ୍ଲୀରେ କକରୋଚ୍ ଜନତା ପାର୍ଟି(CJP) ପକ୍ଷରୁ ବଡ଼ ଧରଣର ଆନ୍ଦୋଳନର ଡକରା ହୋଇଥିଲା। ହେଲେ ସୁରକ୍ଷା ଦୃଷ୍ଟିକୋଣରୁ ଦିଲ୍ଲୀ ପୋଲିସ ପକ୍ଷରୁ ଜନ୍ତର ମନ୍ତର ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାରିକେଡିଂ କରାଯାଇଥିଲା। କିନ୍ତୁ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ଏହି ପଦକ୍ଷେପ ନେଇଥିଲା। ସୁପ୍ରିମକୋର୍ଟରେ ଅବମାନନା ମାମଲା ଚାଲିବାରୁ ଏବେ ନିଃସର୍ତ୍ତ କ୍ଷମା ମାଗିବାକୁ ଗୁହାରି କରିଛି ଦିଲ୍ଲୀ ପୋଲିସ।

ମାମଲାରେ ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ବିନା ସର୍ତ୍ତରେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲା ବାଗଚୀଙ୍କ ପୀଠଙ୍କ ସାମ୍ନାରେ ଦାଖଲ ଦୁଇଟି ସତ୍ୟପାଠ ଉପରେ ପୋଲିସ କମିଶନର କହିଛନ୍ତି, ଶୀର୍ଷ ଅଦାଲତଙ୍କ ନିର୍ଦ୍ଦେଶର କୌଣସି ଉଲ୍ଲଂଘନ ହୋଇ ନାହିଁ। ଜାଣିଶୁଣି କିମ୍ବା ଭାବିଚିନ୍ତି ଆଦେଶର ଅଣଦେଖା କରାଯାଇ ନାହିଁ କି ଉଲ୍ଲଂଘନ କରାଯାଇ ନାହିଁ। ଏହା ସହିତ ପୋଲିସ କମିଶନର ତାଙ୍କ ବିରୋଧରେ ଜାରି ଅବମାନନା ନୋଟିସ୍ ରଦ୍ଦ କରିବାକୁ ସିଜେଆଇଙ୍କୁ ଗୁହାରି କରିଛନ୍ତି। 

Also Read: ଜନ୍ତର-ମନ୍ତରକୁ ବିରୋଧ ପ୍ରଦର୍ଶନ ସ୍ଥଳରୁ ହଟାଇବା ପ୍ରସଙ୍ଗର ସୁପ୍ରିମକୋର୍ଟଙ୍କ ମତ ସ୍ପଷ୍ଟ, ଜାଣନ୍ତୁ କହିଲେ କ’ଣ?

କଣ କଣ ହୋଇଛି ଅଭିଯୋଗ ?

ଅବମାନନା ଯାଚିକାରେ ଅଭିଯୋଗ ହୋଇଛି ଯେ, ମେଟ୍ରୋ ଷ୍ଟେସନ ବନ୍ଦ କରି ଦିଲ୍ଲୀ ପୋଲିସ ଉଚ୍ଚତମ ନ୍ୟାୟାଳୟଙ୍କ ଅକ୍ଟୋବର ୯ ଆଦେଶର ଉଲ୍ଲଂଘନ କରିଛି। ଏପରିକି ଇଣ୍ଟରନେଟ୍ ସୁବିଧା ମଧ୍ୟ ବନ୍ଦ କରି ଦିଆଗଲା। ତେବେ ସତ୍ୟପାଠରେ ପୋଲିସ କମିଶନର କୁମାର କହିଛନ୍ତି, ଇଣ୍ଟରନେଟ୍ ସୁବିଧା ବିନା କୌଣସି ବାଧାରେ କାମ କରୁଥିଲା। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କେବଳ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ହିଁ କଟକଣା ଲଗାଯାଇଥିଲା। ପୋଲିସର ଅନୁରୋଧକ୍ରମେ କେନ୍ଦ୍ର ସରକାରଙ୍କ ଦ୍ଵାରା ରାୟସୀନା ହିଲର ଚାରି କିଲୋମିଟର ପରିଧିରେ ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଥିଲା। ରାଜଧାନୀରେ ୩୦୩ରୁ କେବଳ ୫୭ ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଥିଲା, ଯାହା ପୂରା ନେଟଓ୍ଵର୍କର ମାତ୍ର ୧୫ ପ୍ରତିଶତ। ଏପରିକି ଅକ୍ଟୋବର ୧୦ ରାତି ୧୦ଟାରୁ ମେଟ୍ରୋ ସେବା ସ୍ଵାଭାବିକ ହୋଇଥିଲା ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। 

ଗରମା ଗରମ ଏବଂ ତାଜା ଜଳଖିଆ ଦେଇଛୁ

ପୋଲିସ କମିଶନର ସତ୍ୟପାଠରେ ଏହା ମଧ୍ୟ କହିଛି ଯେ, ବିକ୍ଷୋଭକାରୀଙ୍କୁ ଅଟକ ରଖାଯିବା ସମୟରେ ଗରମା ଗରମ ଜଳଖିଆ, ଚା ଏବଂ ପାଣି ଦିଆଯାଇଥିଲା। ଏପରିକି ବିକ୍ଷୋଭକାରୀଙ୍କୁ ଛଅ ଘଣ୍ଟା ଭିତରେ ଛାଡ଼ି ଦିଆଯାଇଥିଲା। ମହିଳା ପ୍ରଦର୍ଶନକାରୀଙ୍କୁ ମେଟ୍ରୋ ପର୍ଯ୍ୟନ୍ତ ଛାଡ଼ିବା ପାଇଁ ବ୍ୟବସ୍ଥା ହୋଇଥିଲା। ପୁରୁଷ ପ୍ରଦର୍ଶନକାରୀଙ୍କ ଘରକୁ ଫେରିବା ପାଇଁ ଡିଟିସିର ବନ୍ଦୋବସ୍ତ କରାଯାଇଥିଲା ତେଣୁ ଏସବୁକୁ ଦୃଷ୍ଟିରେ ରଖି ଅବମାନନା ମାମଲା ହଟାଇବାକୁ ପୋଲିସ କମିଶନର ଗୁହାରି କରିଛନ୍ତି।

Also Read: SIR ମାମଲା: ବିରୋଧୀଙ୍କ ଯାଚିକା ଉପରେ ECI ଏବଂ ଜ୍ଞାନେଶଙ୍କୁ ନୋଟିସ୍ ଜାରି