ଭୁବନେଶ୍ୱର:ଓଡିଶାର ମୁଖ୍ୟ ବିରୋଧୀ ଦଳ ବିଜେଡି ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମଙ୍କ କଥିତ ବୟାନକୁ ନେଇ ନିରାଶା ବ୍ୟକ୍ତ କରିଛି। ଏକ ଗଣମାଧ୍ୟମ ସଂସ୍ଥାକୁ ବ୍ରଜମୋହନ ଦେଇଥିବା ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ। ବିରୋଧୀ ଭୂମିକାରେ ଥିବା ବିଜେଡି ଏବଂ କଂଗ୍ରେସ ନବ ନିଯୁକ୍ତ ରାଜ୍ୟପାଳଙ୍କ ବୟାନରେ ବିସ୍ମିତ ଏବଂ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ବ୍ରଜମୋହନ ରାମ କହିଥିଲେ ‘ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ ବିଜେପିକୁ ମଜଭୁତ କରିବାକୁ ସେ କାର୍ଯ୍ୟ କରିବେ’। ଏହା ପରେ ତାଙ୍କୁ ପ୍ରତ୍ୟାହାର କରିବା ଦାବି ମଧ୍ୟ ଉଠିଛି।

କଂଗ୍ରେସ କହିଛି ଯେ ନୂଆ ରାଜ୍ୟପାଳଙ୍କ ବୟାନରୁ ବିଜେପିର ଅସଲି ଚେହେରା ପଦାକୁ ଆସିଛି। ଏପରି ରାଜ୍ୟପାଳଙ୍କୁ ଫେରାଇ ନିଆଯିବା ଦରକାର। ପ୍ରସଙ୍ଗରେ ବିଜେଡି ଏକ ଭିଡିଓ ସେୟାର କରିଛି ଯେଉଁଥିରେ ରାମଙ୍କୁ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କ ଭାବି କାର୍ଯ୍ୟଯୋଜନା ସମ୍ପର୍କରେ କହୁଥିବା ଶୁଣାଯାଇଛି। ତେବେ ବିଜେଡି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ‘ରାଜ୍ୟପାଳ ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ’। ଏଣୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ, ନୂଆ ରାଜ୍ୟପାଳ ସାମ୍ବିଧାନିକ ଗାରିମା ବଜାୟ ରଖିବେ ବୋଲି ଆମେ ଆଶା କରୁଛୁ। ନବୀନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ‘ଓଡିଶାର ଜନତା ସମ୍ମାନୀୟ ରାଜ୍ୟପାଳଙ୍କ ଦଳୀୟ କାର୍ଯ୍ୟ ପ୍ରତି ଉତ୍ସାହକୁ ଦେଖୁଛନ୍ତି। ଆଶା କରୁଛି ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଓଡିଶାର ଜନତାଙ୍କ ସେବା ଲାଗି ଉତ୍ସାହ ଓ ଶକ୍ତି ପ୍ରଦାନ କରିବେ, ଯାହାଦ୍ୱାରା ସେ ସାମ୍ବିଧାନିକ ଗାରିମାକୁ ବଜାୟ ରଖି ନିରପେକ୍ଷ ଭାବେ ନିଜ କର୍ତ୍ତବ୍ୟ ନିର୍ବାହ କରିବେ’। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କର ଏହି ପୋଷ୍ଟକୁ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି।

ତେବେ ବିଜେଡି ମିଡିଆ ସମନ୍ୱୟକ ଲେନିନ ମହାନ୍ତି ନବ ନିଯୁକ୍ତ ରାଜ୍ୟପାଳଙ୍କ ବୟାନକୁ ଆକ୍ଷେପ କରିଛନ୍ତି। କହିଛନ୍ତି ଦାୟିତ୍ୱଗ୍ରହଣ ପୂର୍ବରୁ ଜଣେ ଭାବି ରାଜ୍ୟପାଳଙ୍କ ଏପରି ବୟାନ ଅଶୋଭନୀୟ। ଏପଟେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ‘ରାଜ୍ୟପାଳଙ୍କ ସାମ୍ବିଧାନିକ ଦାୟିତ୍ୱ ହେଲା ନିରପେକ୍ଷ ଭାବେ ସମ୍ବିଧାନିକ ଦାୟିତ୍ୱ ପାଳନ କରିବା, କୌଣସି ରାଜନୈତିକ ଦଳର ନିର୍ବାଚନୀ ହୀତକୁ ଆଗକୁ ବଢାଇବା ନୁହେଁ’। ସେପଟେ ପିସିସି ମୁଖପାତ୍ର ଅରବିନ୍ଦ ଦାସ କହିଛନ୍ତି ଯେ କେନ୍ଦ୍ର ସରକାର ଏପରି ଜଣେ ବ୍ୟକ୍ତିଙ୍କୁ ତତ୍କାଳ ପ୍ରତ୍ୟାହାର କରନ୍ତୁ ଅଥବା ହାଇକୋର୍ଟ ପ୍ରଧାନବିଚାରପତି ତାଙ୍କ ଶପଥପାଠକୁ ନେଇ ଆପତ୍ତି ରଖନ୍ତୁ।

ତେବେ ଏକ ପରିବର୍ତ୍ତିତ ବୟାନରେ ବ୍ରଜମୋହନ ରାମ କହିଛନ୍ତି ଯେ ସେ ଏପରି କିଛି ଅସାମ୍ବିଧାନିକ କଥା କହିନାହାନ୍ତି। ସେ କହିଛନ୍ତି ଯେ ମୁଁ କେବଳ ଏତିକି କହିଥିଲି ଯେ ସମସ୍ତଙ୍କ ସହ ସମନ୍ୱୟ ରଖି କାମ କରିବି। ମୁଁ ଏବେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ, ତେବେ ମୁଁ ଯେଉଁ ଦଳରେ ଥିଲି ତାହା ମୋ ପୁଞ୍ଜି। ସେହି ଦଳ ପ୍ରତି ମୋର ଆନୁଗତ୍ୟତା ରହିବ। ହେଲେ ମୁଁ କୌଣସି ନିର୍ଦ୍ଧିଷ୍ଟ ଦଳ ପାଇଁ କାମ କରିବି ନାହିଁ। ‘ହମ ସବକେ ହୈଁ ସବ ହମାରେ ହୈ’ ବୋଲି ସେ କହିଛନ୍ତି ।