ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ SIR ପ୍ରକ୍ରିୟା ସଂପର୍କିତ ମାମଲାରେ ଗୁରୁବାର INDIA ମେଣ୍ଟକୁ ମିଳିଛି ବଡ଼ ଆଶ୍ଵସ୍ତି। ଅଦାଲତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳ ନେତାଙ୍କ ଦ୍ଵାରା ଦାୟର ଯାଚିକା ଉପରେ ନିର୍ବାଚନ ଆୟୋଗଙ୍କୁ ନୋଟିସ୍ ଜାରି କରିଛନ୍ତି। SIR ପ୍ରକ୍ରିୟାରେ ଭୋଟର ତାଲିକାରୁ ଭୋଟରଙ୍କ ନାଁ କଟାଯିବାକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଥିଲା।

ରାହୁଲ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମସି ସାଂସଦ ସୌଗାତ ରୟ, ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ, ଆରଜେଡି ନେତା ତେଜସ୍ଵୀ ପ୍ରସାଦ ଯାଦବ, ଏନସିପି(ଏସପି) ନେତା ସୁପ୍ରିୟା ସୁଲେ, ଶିବସେନା ୟୁବିଟିର ନେତା ସଞ୍ଜୟ ରାଉତ, ଡିଏମକେର ଡି ରାଜା ଏବଂ କିଛି ଅନ୍ୟ ନେତା ମଧ୍ୟ ଏହି ଯାଚିକାରେ ସାମିଲ ଅଛନ୍ତି।

Also Read: ସୁପ୍ରିମକୋର୍ଟ ଅଭିମୁଖେ ରାଲି, ରାହୁଲଙ୍କୁ CJIଙ୍କ ତାଗିଦ୍, ନୋଟିସ୍ ଜାରି କରି କହିଲେ- ଆମକୁ ଧମକାଇ ପାରିବନି

ସୁପ୍ରିମକୋର୍ଟ ମାଗିଲେ ଜବାବ

ବିରୋଧୀ ନେତାଙ୍କ ପକ୍ଷରୁ ଦାଖଲ ଯାଚିକା ଉପରେ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲା ବାଗଚୀଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି। ପୀଠ ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ଜବାବ ତଲବ କରିଛନ୍ତି। ଏ ସଂପର୍କିତ ପୂର୍ବରୁ ବିଚାରଧୀନ ମାମଲାକୁ ଯୋଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ଯାଚିକାରେ କଣ କରାଯାଇଥିଲା ଦାବି

ଯାଚିକା ଜରିଆରେ ଅବସରପ୍ରାପ୍ତ ବିଚାରପତି ଏବଂ ବିଶେଷଜ୍ଞଙ୍କୁ ନେଇ ଏକ ସ୍ଵତନ୍ତ୍ର ଯାଞ୍ଚ କମିଟି ଗଠନ କରିବାକୁ ଦାବି କରାଯାଇଛି। ବିରୋଧୀଙ୍କ କହିବା କଥା ଏହି କମିଟି ଜରିଆରେ ଏସଆଇଆରରେ କଟିଥିବା ନାଁ ଗୁଡ଼ିକର ଅଡିଟ୍ କରାଯାଇ ପାରିବ। ଯାଚିକାରେ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ଯେ, ବିନା ନୋଟିସ୍ ଏବଂ ଶୁଣାଣିରେ କୌଣସି ଭୋଟରଙ୍କ ନାଁ କଟା ନ ଯାଉ।

Also Read: 'ଧର୍ମ ପରିବର୍ତ୍ତନ କଲେ ମିଳିବନି କୋଟା, ପାଇବେନି ସଂରକ୍ଷଣର ଲାଭ' : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଦିଲ୍ଲୀ ପୋଲିସକୁ ବି ନୋଟିସ୍

ଜନ୍ତର ମନ୍ତରକୁ ଆନୁଷ୍ଠାନିକ ଧାରଣାସ୍ଥଳ ତାଲିକାରୁ ବାଦ୍ ଦିଆଯିବା ନେଇ ଦାୟର ଯାଚିକା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଯାଚିକା ଉପରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଏହା ସହିତ କୋର୍ଟ ବିଭିନ୍ନ ଯାଚିକା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଅନ୍ୟ ପକ୍ଷକୁ ନୋଟିସ୍ ଜାରି କରିଛନ୍ତି। ଏପରିକି ଅକ୍ଟୋବର ୧୦ରେ ସିଜେପିର ଆନ୍ଦୋଳନକୁ ଦୃଷ୍ଟିରେ ରଖି କରାଯାଇଥିବା ବ୍ୟାରିକେଡିଂ ନେଇ ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିଛନ୍ତି।