ନୂଆଦିଲ୍ଲୀ:ଆଇଏସ ରୁ ରାଜନେତା l ପ୍ରଶାସନିକ ଅଧିକାରୀ ରାଜନୀତିକୁ ଯିବା ପଛରେ କାରଣ କଣ ରହିଛି ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନ ଭିତରେ l ପ୍ରଶାସନିକ କ୍ଷେତ୍ରରେ କିଛି ବର୍ଷ କାମ କଲା ପରେ ରାଜନୀତିକୁ କାହିଁକି ମନବଳାଉଛନ୍ତି ଭାରତ ର ବରିଷ୍ଠ ପ୍ରଶାସନିକ ଅଧିକାରୀ ?

ଏଇ ନିକଟ ଅତୀତରେ ପ୍ରଶାସନିକ ସେବାରୁ ରାଜନୀତିକୁ ଯାତ୍ରା କରିଥିବା ଆଇଏଏସ୍ ମଧ୍ୟରେ ଆସିବେ ଦିବ୍ୟା ମିତ୍ତଲ। ବର୍ତମାନ ଦିବ୍ୟା ମିତ୍ତଲ ନିଜସ୍ୱ ରାଜନୈତିକ ଦଳ ମଧ୍ୟ ଗଠନ କରିସାରିଲେଣି l ତାଙ୍କ ନୂଆ ଦଳର ନାମ ‘ଜନନୀତି ଭାରତ’ ରହିଛି । ଲୋକଙ୍କ ଆବଶ୍ୟକତାକୁ ଆଧାର କରି ନୀତି ପ୍ରସ୍ତୁତ କରିବା ଏବଂ ଜାତି, ଧର୍ମ କିମ୍ବା ପରିଚୟ ବଦଳରେ ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେବା ତାଙ୍କ ଦଳର ମୁଖ୍ୟ ଲକ୍ଷ୍ୟ ମଧ୍ୟରେ ରହିଛି।

କିନ୍ତୁ ସରକାରୀ ଚାକିରି ଛାଡ଼ି ନିଜସ୍ୱ ରାଜନୈତିକ ଦଳ ଗଢ଼ିବାରେ ଦିବ୍ୟା ମିତ୍ତଲ ପ୍ରଥମ ନୁହନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ପୂର୍ବତନ ଆଇଏଏସ୍ ଅଧିକାରୀ ପ୍ରଶାସନିକ ସେବା ଛାଡ଼ି ରାଜନୀତିରେ ପ୍ରବେଶ କରିବା ସହ ନିଜସ୍ୱ ଦଳ ଗଠନ କରିଛନ୍ତି। ଏହି ତାଲିକାରେ ଅଜିତ ଯୋଗୀ, ଡକ୍ଟର ଜୟପ୍ରକାଶ ନାରାୟଣ ଓ ଆର୍ସିପି ସିଂହଙ୍କ ଭଳି ନାମ ରହିଛି।

ଆନ୍ଧ୍ରପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଡକ୍ଟର ଜୟପ୍ରକାଶ ନାରାୟଣ ପେସାରେ ଜଣେ ଡାକ୍ତର ମଧ୍ୟ। ସେ ୧୯୯୬ରେ ପ୍ରଶାସନିକ ସେବା ଛାଡ଼ି ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ଲକ୍ଷ୍ୟରେ ଲୋକସତ୍ତା ଆନ୍ଦୋଳନ ଆରମ୍ଭ କରିଥିଲେ। ପରେ ୨ ଅକ୍ଟୋବର ୨୦୦୬ରେ ଏହା ଏକ ରାଜନୈତିକ ଦଳର ରୂପ ନେଇଥିଲା।

ଠିକ ସେହିପରି ପୂର୍ବତନ ଆଇଏଏସ୍ ଅଧିକାରୀ ଅଜିତ ଯୋଗୀ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। କଂଗ୍ରେସରୁ ଅଲଗା ହେବା ପରେ ସେ ୨୦୧୬ରେ ନିଜସ୍ୱ ଦଳ ‘ଜନତା କଂଗ୍ରେସ ଛତିଶଗଡ଼ ’ ଗଠନ କରିଥିଲେ। ତେବେ ତାଙ୍କ ରାଜନୈତିକ ଯାତ୍ରା ପ୍ରଶାସନିକ ସେବା ଛାଡ଼ିବାର ବହୁ ବର୍ଷ ପରେ ନୂଆ ଦଳ ଗଠନ ପର୍ଯ୍ୟନ୍ତ ପହଞ୍ଚିଥିଲା।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍ସିପି ସିଂହ ମଧ୍ୟ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିଲେ। ସେ ୧୯୮୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଥିଲେ ଏବଂ ପରେ ଜନତା ଦଳରେ ସକ୍ରିୟ ହୋଇଥିଲେ। ୨୦୨୪ରେ ସେ ବିହାରରେ ‘ଆପ୍ ସବକି ଆୱାଜ୍’ ନାମରେ ନିଜସ୍ୱ ରାଜନୈତିକ ଦଳ ଗଠନ କରିଥିଲେ। ପରେ ଏହି ଦଳ ଜନ ସୁରାଜ ସହ ମିଶିଥିଲା।

ତେବେ ଦିବ୍ୟା ମିତ୍ତଲ ରାଜନୀତିକୁ ଆସିବା ଓ ନିଜର ନିଜସ୍ୱ ଦଳ ଗଠନ କରିବା ପଛରେ ଆଭିମୁଖ୍ୟ କଣ ରହିଛି ?ଦିବ୍ୟା ମିତ୍ତଲ ନିଜ ଦଳର ଉଦ୍ଦେଶ୍ୟ ସମ୍ପର୍କରେ ତିନିଟି ପ୍ରମୁଖ ପ୍ରତିଶ୍ରୁତି ରଖିଛନ୍ତି।

୧ . ଲୋକଙ୍କ ଆବଶ୍ୟକତା ଆଧାରରେ ନୀତି: ଚାଷୀଙ୍କ ସମସ୍ୟା ଚାଷୀଙ୍କ ଅନୁଭବ ଅନୁସାରେ ଏବଂ ବ୍ୟବସାୟୀଙ୍କ ସମସ୍ୟା ବ୍ୟବସାୟୀଙ୍କ ଆବଶ୍ୟକତା ଅନୁସାରେ ସମାଧାନ କରିବା ଉପରେ ଗୁରୁତ୍ୱ।୨ . ପରିଚୟ ନୁହେଁ, ଆବଶ୍ୟକତାକୁ ଗୁରୁତ୍ୱ: ଜାତି, ଧର୍ମ କିମ୍ବା ଅନ୍ୟ ପରିଚୟ ଆଧାରରେ ନୁହେଁ; ଲୋକଙ୍କ ପ୍ରକୃତ ଆବଶ୍ୟକତାକୁ ଦେଖି ନିଷ୍ପତ୍ତି ନେବା।୩ . ସରକାରଙ୍କ ଉତ୍ତରଦାୟିତ୍ୱ: ସରକାରୀ ଯୋଜନା, ବଜେଟ୍ ଓ ବିକାଶ କାର୍ଯ୍ୟ ସମ୍ପର୍କିତ ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କୁ ନିରୀକ୍ଷଣ ଓ ମୂଲ୍ୟାୟନରେ ସାମିଲ କରିବା।

also read- ୟୁପି ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ପୂର୍ବତନ IAS ଦିବ୍ୟା ମିତ୍ତଲ, ନୂଆ ପାର୍ଟିର କଲେ ଘୋଷ

୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଦିବ୍ୟା ମିତ୍ତଲଙ୍କ ଦଳ ଲଢ଼ିବ ବୋଲି ସେ ଘୋଷଣା କରିଛନ୍ତି। ଏହା ସହ ତାଙ୍କର ପ୍ରଶାସନିକ ଅଭିଜ୍ଞତାକୁ ରାଜନୀତିରେ କିଭଳି ବ୍ୟବହାର କରିବେ, ତାହା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।ପ୍ରଶାସନରୁ ରାଜନୀତିକୁ ଏହି ଯାତ୍ରା ଏକ କଥା ସ୍ପଷ୍ଟ କରୁଛି: ଦିବ୍ୟା ମିତ୍ତଲଙ୍କ ପାଇଁ ଏବେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ତାଙ୍କ ଦଳର ନୀତି ଓ ପ୍ରତିଶ୍ରୁତିକୁ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚାଇବା ଏବଂ ନିର୍ବାଚନୀ ରାଜନୀତିରେ ନିଜର ସ୍ଥାନ ସୃଷ୍ଟି କରିବା। ତାଙ୍କ ଦଳକୁ ଭୋଟର କେତେ ଗ୍ରହଣ କରୁଛନ୍ତି, ତାହା ୨୦୨୭ ନିର୍ବାଚନରେ ଜଣାପଡ଼ିବ।