ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ଲକ୍ଷ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ଡୋର୍ ଟୁ ଡୋର୍’ (ଘରକୁ ଘର) ସର୍ଭେ କରାଯିବ। ସେପ୍ଟେମ୍ବର ୨୧ ରେ କେନ୍ଦ୍ର ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ଏସଆଇଆର (SIR) ଭୋଟର ତାଲିକାକୁ ଆଧାର କରି ରାଜ୍ୟ ନିର୍ବାଚନ କମିଶନ ଏହି ସର୍ଭେ ପରିଚାଳନା କରିବେ।

ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏଥିରେ ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନୱାଡ଼ି କର୍ମୀ (AWW), ଜଳସାଥୀ, ସ୍ୱଚ୍ଛସାଥୀ ଏବଂ ଆଶା କର୍ମୀ ସାମିଲ ରହିବେ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ଅନୁଧ୍ୟାନ ଓ ତଦାରଖ ପିଇଓ (PEO), BLO ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AERO) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ERO) ମାନେ କରିବେ। ଏହି ସର୍ଭେ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଛନ୍ତି।

Also Read:ନିନ୍ଦୁକ ଦେଶର ପ୍ରଗତିକୁ କରୁଛନ୍ତି ପ୍ରତିହତ, ଅପ୍ରସଙ୍ଗକୁ ଆଳ କରି ଦେଶରେ ଅରାଜକତା ସୃଷ୍ଟି କରାଯାଉଛି…

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ SIR ପ୍ରକ୍ରିୟାରେ ଯେଉଁ ଯୋଗ୍ୟ ଭୋଟରଙ୍କ ନାମ କଟିଯାଇଥିଲା, ସେମାନେ ଆବଶ୍ୟକୀୟ ପ୍ରମାଣପତ୍ର ଦେଇ ପୁଣିଥରେ ନିଜ ନାମ ଯୋଡ଼ିପାରିବେ। ନାମ ଯୋଡ଼ିବା କିମ୍ବା ସଂଶୋଧନ ପାଇଁ ଦାବି ଫର୍ମ-୧୬ (Form 16) ଏବଂ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ପାଇଁ ଆପତ୍ତି ଫର୍ମ-୧୭ (Form 17) ଦାଖଲ କରିବାକୁ ହେବ। ନୂଆ ନିୟମ ଅନୁଯାୟୀ, ଗୋଟିଏ ପରିବାରର ସମସ୍ତ ଭୋଟରଙ୍କ ନାମ ଗୋଟିଏ ହେଁ ବୁଥ୍ରେ ରହିବ, ଯାହା ଦ୍ୱାରା ମତଦାନ ସମୟରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

୨୦୨୫ ଭୋଟର ଲିଷ୍ଟ ଆଧାରରେ ରାଜ୍ୟର ୩୦ଟି ଜିଲ୍ଲାରେ କରାଯାଇଥିବା ପାଇଲଟ୍ ସର୍ଭେରୁ ଜଣାପଡ଼ିଛି ଯେ, ମୃତ୍ୟୁ କିମ୍ବା ସ୍ଥାନାନ୍ତର ସତ୍ତ୍ୱେ ପ୍ରାୟ ୭.୬୧% ଅଯୋଗ୍ୟ ଲୋକ ଭୋଟର ତାଲିକାରେ ରହିଯାଇଛନ୍ତି। ଅପରପକ୍ଷରେ, ପ୍ରାୟ ୪.୮୭% ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିଛି। ଏହି ନୂତନ ସର୍ଭେ ଜରିଆରେ ଏହିସବୁ ତ୍ରୁଟିର ସମ୍ପୂର୍ଣ୍ଣ ସଂଶୋଧନ କରାଯିବ।

Also Read:ବ୍ଲକ୍ ଅଧ୍ୟକ୍ଷଙ୍କ ଅଫିସ୍ ଭଙ୍ଗାରୁଜା: ସ୍ଥାନୀୟ ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲେ ଉମାକାନ୍ତ ସାମନ୍ତରାୟ

ନିର୍ବାଚନ ପରିଚାଳନା ପାଇଁ ବୁଥ୍ ସଂଖ୍ୟାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ଗୋଟିଏ ଲେଖାଏଁ ବୁଥ୍ ରହିବ। ବିଧାନସଭାର ୩୯,୦୦୦ ବୁଥ୍କୁ ପୁନର୍ଗଠନ କରି ଗ୍ରାମାଞ୍ଚଳରେ ମୋଟ ୯୧,୦୦୦ ବୁଥ୍ କରାଯିବ ଏବଂ ଏଠାରେ ବାଲାଟ୍ ପେପର (Ballot Paper) ମାଧ୍ୟମରେ ମତଦାନ ହେବ। ଅପରପକ୍ଷରେ, ପୌରାଞ୍ଚଳ ବା ସହରାଞ୍ଚଳରେ ପ୍ରାଥମିକ ଭାବେ ୬,୦୦୦ ବୁଥ୍ ରହିବ ଏବଂ ଆବଶ୍ୟକ ପଡ଼ିଲେ ବୁଥ୍ ସଂଖ୍ୟା ବୃଦ୍ଧି କରାଯିବ। ସହରାଞ୍ଚଳରେ ଇଭିଏମ୍ (EVM) ଜରିଆରେ ନିର୍ବାଚନ କରାଯିବ।

ଆସନ୍ତା ଜାନୁଆରୀ ମାସରେ ପ୍ରଥମେ ଡ୍ରାଫ୍ଟ (ଖସଡ଼ା) ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ଆପତ୍ତି ଓ ଅଭିଯୋଗ ଦାଖଲ ପାଇଁ ୨୦ ଦିନର ସମୟ ଦିଆଯିବ। ସମସ୍ତ ପ୍ରକ୍ରିୟା ଶେଷ କରି ଫେବୃଆରୀ ୧୦ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଚାୟତ ନିର୍ବାଚନ ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।