ଭୁବନେଶ୍ୱର : ବିକାଶ କେବଳ ବଡ଼ ବଡ଼ ଅଟ୍ଟାଳିକା କିମ୍ବା ଚଉଡ଼ା ରାସ୍ତାରେ ସୀମିତ ନୁହେଁ; ବରଂ ଲୋକେ କେତେ ସୁରକ୍ଷିତ, ସୁସ୍ଥ ଓ ସ୍ୱଚ୍ଛନ୍ଦ ଭାବେ ଜୀବନ ବିତାଉଛନ୍ତି, ତାହା ହିଁ ଏକ ସହରର ପ୍ରକୃତ ସଫଳତାର ମାପକାଠି। ଏହି ଦୃଷ୍ଟିକୋଣରୁ ବିଶ୍ୱର ଅନ୍ୟ ସହରଗୁଡ଼ିକୁ ପଛରେ ପକାଇ ଚର୍ଚ୍ଚାକୁ ଆସିଛି 'କୋପେନହେଗେନ' । ନାଗରିକଙ୍କ ଜୀବନଶୈଳୀ , ସୁଦୃଢ଼ ସ୍ୱାସ୍ଥ୍ୟସେବା, ସୁରକ୍ଷିତ ପରିବେଶ ଓ ସୁବ୍ୟବସ୍ଥିତ ଯାତାୟାତକୁ ଗୁରୁତ୍ୱ ଦେଇ ଏହି ସହର ପ୍ରମାଣ କରିଛି ଯେ ଲୋକଙ୍କ ପାଇଁ ଏକ ଉତ୍ତମ ଜୀବନ ଗଢ଼ିବା ହିଁ ବିକାଶର ପ୍ରକୃତ ଲକ୍ଷ୍ୟ।

ନିକଟରେ ଗ୍ଲୋବାଲ୍ ଲିଭେବିଲିଟି ଇଣ୍ଡେକ୍ସ୨୦୨୬ ବାହାର କରିଥିବା ସବୁଠୁ ଉପଯୁକ୍ତ ସହର ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛି ଡେନମାର୍କର ରାଜଧାନୀ କୋପେନହେଗେନ ସହର । ଯେଉଁଠି ଉନ୍ନତ ଜୀବନଶୈଳୀ, ସୁରକ୍ଷିତ ପରିବେଶ, ଉତ୍ତମ ଭିତ୍ତିଭୂମି ଓ ସୁଦୃଢ଼ ସାର୍ବଜନୀନ ସେବା ଯୋଗୁଁ ଏହି ସହର ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । କୋପେନହେଗେନ ଏହାର ଉନ୍ନତ ନାଗରିକ ସୁବିଧା, ସୁଦୃଢ଼ ଶିକ୍ଷା ବ୍ୟବସ୍ଥା, ଉଚ୍ଚମାନର ଭିତ୍ତିଭୂମି ଓ ସ୍ଥିର ସାମାଜିକ ପରିବେଶ ପାଇଁ ପରିଚିତ। ୨୦୨୬ ସୂଚକାଙ୍କରେ ସହରଟି ୧୦୦ରୁ ୯୮ ଅଙ୍କ ହାସଲ କରିଛି। ସ୍ଥିରତା, ଶିକ୍ଷା ଓ ଭିତ୍ତିଭୂମି ଏହି ତିନୋଟି ବର୍ଗରେ ଏହା ୧୦୦ରୁ ୧୦୦ ଅଙ୍କ ପାଇଛି । ସ୍ୱାସ୍ଥ୍ୟସେବାରେ ୯୬ ଏବଂ ସଂସ୍କୃତି ଓ ପରିବେଶ ବର୍ଗରେ ୯୫ ଅଙ୍କ ମିଳିଛି । ସହରରେ ଯାତାୟାତ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଶିକ୍ଷା, ପରିବେଶର ମାନ ଓ ନାଗରିକଙ୍କ ଜୀବନଧାରଣର ସୁବିଧା ଏହାକୁ ସମଗ୍ର ଦୁନିଆରେ ଏକ ଆଦର୍ଶ ସହର ଭାବେ ପରିଚିତ କରାଇଛି। ସାଇକେଲ ଚାଳନା ପାଇଁ ସ୍ୱତନ୍ତ୍ର ରାସ୍ତା, ସୁବ୍ୟବସ୍ଥିତ ସାର୍ବଜନୀନ ପରିବହନ ଓ ପରିଷ୍କାର ପରିବେଶ ଏହି ସହରର ବିଶେଷତ୍ୱ।

ମିଳିଥିବା ସୂଚନାନୁଯାୟୀ, କୋପେନହେଗେନର ସହର ଯୋଜନାରେ ନାଗରିକଙ୍କ ସୁବିଧା, ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହାର ପରିଣାମରେ ଲୋକମାନେ ଏଠାରେ ଉନ୍ନତ ମାନର ଜୀବନ ବିତାଇବାର ସୁଯୋଗ ପାଉଛନ୍ତି। ବର୍ତ୍ତମାନ ବିଶ୍ୱର ଅନ୍ୟ ସହରଗୁଡ଼ିକ ପାଇଁ କୋପେନହେଗେନ ଏକ ଉଦାହରଣ ପାଲଟିଛି। ନାଗରିକଙ୍କ ଜୀବନମାନ ବୃଦ୍ଧି ସହ ପରିବେଶର ସୁରକ୍ଷା ଓ ସୁବ୍ୟବସ୍ଥିତ ସହରୀକରଣ ଉପରେ ଗୁରୁତ୍ୱ ଦେଲେ ଏକ ସହରକୁ କିପରି ବାସଯୋଗ୍ୟ କରାଯାଇପାରିବ, ତାହା କୋପେନହେଗେନ ଦର୍ଶାଇଛି।