ଭୁବନେଶ୍ୱର : ନବରାତ୍ରି ହେଉ କି ଦୁର୍ଗାପୂଜା, ମାଆଙ୍କ ପୂଜାସ୍ଥଳୀକୁ ସୁନ୍ଦର ଭାବେ ସଜାଇବା ପାଇଁ ଅନେକ ଲୋକ ମାର୍କେଟରେ ମିଳୁଥିବା ଦାମୀ ଡେକୋରେସନ୍ ସାମଗ୍ରୀ କିଣିଥାନ୍ତି। କିନ୍ତୁ ଆପଣ ଚାହିଁଲେ ଘରେ ଥିବା ପୁରୁଣା ଶାଢ଼ି ଓ ଦୁପଟ୍ଟାରେ ମଧ୍ୟ ମାଆଙ୍କ ପୂଜାସ୍ଥଳୀକୁ ଆକର୍ଷଣୀୟ ରୂପ ଦେଇପାରିବେ। ମନ୍ଦିରକୁ ସୁନ୍ଦର ଦେଖାଯିବା ପାଇଁ ଦାମୀ ସୋ-ପିସ୍ କିମ୍ବା କୃତ୍ରିମ ସାମଗ୍ରୀ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଘରୋଇ ସାମଗ୍ରୀ ବ୍ୟବହାର କରି କମ ଖର୍ଚ୍ଚରେ ଘରର ପୂଜାସ୍ଥଳୀକୁ ଏକ ନୂଆ ଓ ଆକର୍ଷଣୀୟ ଲୁକ୍ ଦେଇପାରିବେ ।

ପୁରୁଣା ଶାଢ଼ି କିମ୍ବା ଦୁପଟ୍ଟାରେ ସୁନ୍ଦର ବ୍ୟାକଗ୍ରାଉଣ୍ଡ :

ଆପଣ ଘରେ ଥିବା ଲାଲ୍, ହଳଦିଆ, ଗୋଲାପୀ କିମ୍ବା ସବୁଜ ରଙ୍ଗର ପୁରୁଣା ଶାଢ଼ିକୁ ମାଆଙ୍କ ଆସନ ପଛପଟେ ସୁନ୍ଦର ଭାବେ ଲଗାଇପାରିବେ। ଶାଢ଼ିରେ ଜରି କାମ କିମ୍ବା ସୁନ୍ଦର ବର୍ଡର ଥିଲେ ପୂଜାସ୍ଥଳୀ ଆହୁରି ଆକର୍ଷଣୀୟ ଲାଗିବ । ଲାଲ୍ ଓ ହଳଦିଆ ରଙ୍ଗର ମିଶ୍ରଣ ପୂଜାସ୍ଥଳୀକୁ ପାରମ୍ପରିକ ଲୁକ୍ ଦେଇଥାଏ । ସେଭଳି ଆପଣ ଚାହିଁଲେ ପୁରୁଣା ନେଟ୍, ସିଫନ୍ କିମ୍ବା ଏମ୍ବ୍ରଏଡରି ଦୁପଟ୍ଟାକୁ ମଧ୍ୟ ବ୍ୟବହାର କରି ପୂଜାସ୍ଥଳୀରେ ଆକର୍ଷଣୀୟ ପରଦା ତିଆରି କରିପାରିବେ। ଦୁପଟ୍ଟାକୁ ଦୁଇ ପାର୍ଶ୍ୱରୁ ଝୁଲାଇ ମଝିରେ ମାଆଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ ପୂଜାସ୍ଥଳୀ ଖୁବ ସୁନ୍ଦର ଲାଗିବ।

ଫୁଲ ଓ ଆଲୋକରେ ସୌନ୍ଦର୍ଯ୍ୟକରଣ :

ଶାଢ଼ି ଓ ଦୁପଟ୍ଟାର ସାଜସଜ୍ଜା ସହ ଗେଣ୍ଡୁଫୁଲ, ଗୋଲାପ ଏବଂ ଅନ୍ୟାନ୍ୟ ଫୁଲର ମାଳା ଲଗାଇଲେ ମାଙ୍କ ଆସନ ସ୍ଥାନ ବହୁତ ସୁନ୍ଦର ଲାଗିଥାଏ । ମାଆଙ୍କ ଆସନ ସାମ୍ନାରେ ଫୁଲ ଓ ରଙ୍ଗୋଲି ସଜେଇପାରିବେ । ଏହା ସହ ଛୋଟ LED ଲାଇଟ୍ ବ୍ୟବହାର କଲେ ଦରବାର ଆହୁରି ଉଜ୍ଜ୍ୱଳ ଦେଖାଯିବ। କିନ୍ତୁ କପଡ଼ାକୁ ଦୀପ, ଧୂପ ଠାରୁ ଦୂରରେ ରଖିବା ଜରୁରୀ। ମାଆଙ୍କ ପୂଜାସ୍ଥଳୀ ସଜାଇବା ପାଇଁ ସବୁବେଳେ ଦାମୀ ସାମଗ୍ରୀ ଆବଶ୍ୟକ ନୁହେଁ। ଘରେ ଥିବା ପୁରୁଣା ଶାଢ଼ି, ଦୁପଟ୍ଟା ଓ କିଛି ସାଧାରଣ ସାଜସଜ୍ଜା ସାମଗ୍ରୀରେ ମଧ୍ୟ ଏକ ସୁନ୍ଦର ପୂଜାସ୍ଥଳୀ ତିଆରି କରାଯାଇପାରିବ। ଟିକିଏ ସାଜସଜ୍ଜା ଓ ଭକ୍ତିଭାବ ଆପଣଙ୍କ ଘରର ମାଆଙ୍କ ପୂଜାସ୍ଥଳୀକୁ ଆକର୍ଷଣୀୟ କରିପାରିବ ।