ନୂଆଦିଲ୍ଲୀ: ସମୟର ଚକ ଆଗକୁ ଗଡ଼ିବା ସହିତ ପ୍ରକୃତିର ଶୋଭା ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ବଣ ଜଙ୍ଗଲ କମୁଛି। ନଦ ନଦୀ ଶୁଖୁଛି। ପ୍ରକୃତିର ଶୋଭା ବଢ଼ାଉଥିବା ବନ୍ୟପ୍ରାଣୀ ବି ଲୋପ ପାଇବାରେ ଲାଗିଲେଣି। ରିପୋର୍ଟ ଅନୁସାରେ, ଗତ ୫୨ ବର୍ଷରେ ତଦାରଖ କରାଯାଉଥିବା ବନ୍ୟାପ୍ରାଣୀଙ୍କ ସଂଖ୍ୟା ୭୩ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱ ବନ୍ୟଜୀବ ପାଣ୍ଠି(WWF) ପକ୍ଷରୁ ପ୍ରକାଶିତ ଅକ୍ଟୋବର ୮ ତାରିଖରେ ପ୍ରକାଶିତ ‘ଲିଭିଂ ପ୍ଲାନେଟ୍ ରିପୋର୍ଟ ୨୦୨୬(Living Planet Report 2026)ରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ତେବେ ଏହି ହ୍ରାସକୁ ଯେ ରୋକାଯାଇପାରିବ ନାହିଁ ତାହା ନୁହେଁ, ଏହାର ପ୍ରମାଣ ସ୍ୱରୂପ ଭାରତର ବିଗ୍ କ୍ୟାଟ୍ସ(ବାଘ-ସିଂହ)ଙ୍କ ବୃଦ୍ଧିକୁ ଉଦାହରଣ ଭାବେ ନିଆଯାଇଛି। 'ଜୁଲୋଜିକାଲ୍ ସୋସାଇଟି ଅଫ୍ ଲଣ୍ଡନ୍' (ZSL) ସହ ମିଳିତ ଭାବେ ପ୍ରସ୍ତୁତ ଏହି ରିପୋର୍ଟରେ ଭାରତୀୟ ବାଘ ସଂଖ୍ୟା ବୃଦ୍ଧି ନେଇ ଯୁକ୍ତ ରଖାଯାଇଛି।

ମଧୁର ଜଳଭାଗରେ ଅଧିକ ପ୍ରାଣୀ ସଂଖ୍ୟା ହ୍ରାସ

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ମଧୁର ଜଳଥିବା ପରିବେଶରେ ବନ୍ୟପ୍ରାଣୀ ସଂଖ୍ୟା ଅଧିକ ହ୍ରାସ ପାଇଛି। ଲିଭିଂ ପ୍ଲାନେଟ୍ ଇଣ୍ଡେକ୍ସ (Living Planet Index)ର ରିପୋର୍ଟ ଅନୁଯାୟୀ ମଧୁର ଜଳଜ ପରିବେଶରେ ସର୍ବାଧିକ ୮୫ ପ୍ରତିଶତ ପ୍ରାଣୀ ସଂଖ୍ୟା ହ୍ରାସ ପାଇଥିବା ବେଳେ ସ୍ଥଳଭାଗର ପରିବେଶରେ ୬୯ ପ୍ରତିଶତ ଏବଂ ସାମୁଦ୍ରିକ ପରିବେଶରେ ୫୯ ପ୍ରତିଶତ ହ୍ରାସ ଘଟିଛି। ୧୯୭୦ରୁ ୨୦୨୨ ମଧ୍ୟରେ ୫,୭୯୦ଟି ମେରୁଦଣ୍ଡୀ ପ୍ରାଣୀ ପ୍ରଜାତିର ୩୫,୮୦୩ଟି ପ୍ରାଣୀ ସଂଖ୍ୟାରେ ପରିବର୍ତ୍ତନ ସମ୍ପର୍କିତ ତଥ୍ୟକୁ ଆଧାର କରି ଏହି ଅଧ୍ୟୟନ କରାଯାଇଥିଲା। ଯାହାର ରିପୋର୍ଟ ଚିନ୍ତାଜନକ ରହିଛି।

ଆଞ୍ଚଳିକ ସ୍ତରରେ ଦେଖିଲେ ଲାଟିନ୍ ଆମେରିକା ଓ କାରିବିଆନ୍ ଅଞ୍ଚଳରେ ସର୍ବାଧିକ ୯୫ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। ତା ପଛକୁ ଆଫ୍ରିକାରେ ୮୦ ପ୍ରତିଶତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୪୯ % ବନ୍ୟପ୍ରାଣୀ ହ୍ରାସ ହୋଇଛନ୍ତି। ଅନ୍ୟପକ୍ଷରେ ଉତ୍ତର ଆମେରିକାରେ ୨୮ % ଏବଂ ୟୁରୋପ୍ ଓ ମଧ୍ୟ ଏସିଆରେ ୨୩ ପ୍ରତିଶତ ହ୍ରାସ ରେକର୍ଡ କରାଯାଇଛି। ତେବେ ଏହି ଦୁଇ ଅଞ୍ଚଳରେ ବନ୍ୟପ୍ରାଣୀ କ୍ଷତି ଅପେକ୍ଷାକୃତ କମ ରହିଛି। କାରଣ ୧୯୭୦ ପୂର୍ବରୁ ହିଁ ଏଠାରେ ବ୍ୟାପକ ପରିବେଶଗତ କ୍ଷତି ଘଟି ସାରିଥିଲା।

ଭାରତରେ ବାଘ ସଂଖ୍ୟା ବୃଦ୍ଧି

ତେବେ ଏହି ରିପୋର୍ଟର ଅର୍ଥ ନୁହେଁ ଯେ ବିଶ୍ୱରେ ୭୩ ପ୍ରତିଶତ ବନ୍ୟାପ୍ରାଣୀ ଗାୟବ ହୋଇଯାଇଛନ୍ତି। ଏହା ନିରୀକ୍ଷଣ କରାଯାଉଥିବା ପ୍ରାଣୀ ସଂଖ୍ୟାର ହାରାହାରି ଅନୁପାତିକ ପରିବର୍ତ୍ତନ। ତେବେ ଏହି ଜନସଂଖ୍ୟାର ଅଧା ସ୍ଥିର ଓ ବୃଦ୍ଧି ପାଇବା ଗତିରେ ଅଛନ୍ତି। ଏଥିରେ ୭ ପ୍ରତିଶତ ପ୍ରାଣୀସଂଖ୍ୟା ସ୍ଥିର ରହିଥିବା ବେଳେ ୪୩ ପ୍ରତିଶତ ବୃଦ୍ଧି ପାଉଛନ୍ତି। ତେବେ ବୃଦ୍ଧି ତୁଳନାରେ ହ୍ରାସ ସଂଖ୍ୟା ବଢ଼ିଛି।

ତେବେ ଏହି ବନ୍ୟାପ୍ରାଣୀ ହ୍ରାସ ପାଇବାରେ ପ୍ରମୁଖକାରଣ ବାସସ୍ଥଳୀ ନଷ୍ଟ ହେବା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ପଛକୁ ଯେଉଁ କାରଣଗୁଡ଼ିକ ରହିଛି ସେଗୁଡ଼ିକ ହେଲା ଅତ୍ୟଧିକ ଶୋଷଣ, ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ, ଆକ୍ରମଣାତ୍ମକ ପ୍ରଜାତି ଏବଂ ରୋଗ ଆଦି ରହିଛି।

Also Read- ଭାରତରେ ଉଭେଇ ଯିବ କି ଥଣ୍ଡା ? ଡିସେମ୍ୱରରେ ଶୀର୍ଷରେ ରହିବ ଏଲ୍ ନିନୋର ପ୍ରଭାବ...ବଦଳିବ ତାପମାତ୍ରାର ପ୍ୟାଟର୍ଣ୍ଣ

ତେବେ ପ୍ରାଣୀ ସଂଖ୍ୟା ବଢ଼ିବା ମଧ୍ୟରେ ସବୁଜ କଇଁଛ, ବ୍ଲୁଫିନ ଟୁନା(ଏକପ୍ରକାର ସାମୁଦ୍ରିକ ମାଛ), ଦକ୍ଷିଣ ଆଫ୍ରିକୀୟ ହାତୀ ଏବଂ ବାଘ ସଂଖ୍ୟା ବଢ଼ିଛି। ବିଶ୍ୱ ସ୍ତରରେ ଜଙ୍ଗଲି ବାଘ ସଂଖ୍ୟା ୨୦୧୦ରେ ପାଖାପାଖି ୩,୨୦୦ ଥିଲା ହେଲେ ୨୦୨୫ରେ ଏହା ୫୭୦୦କୁ ବୃଦ୍ଧି ପାଇଛି। ୨୦୨୨ ମସିହାରେ ହୋଇଥିବା ସର୍ଭଭାରତୀୟ ବାଘ ଗଣନା ଅନୁଯାୟୀ ଭାରତରେ ବାଘ ସଂଖ୍ୟା ୩,୬୮୨ ରହିଛି। ଖାଲି ବାଘ କାହିଁକି ଭାରତରେ ବଡ଼ ସିଂଘ ଥିବା ଗଣ୍ଡା(୩,୩୦୦ରୁ ଅଧିକ), କଲରାପତରିଆବାଘ(୧୩, ୮୭୪), ଏବଂ ହିମଚିତା ଯାହାର ଇଂରାଜୀ ନାଁ ସ୍ନୋ ଲେପର୍ଡ (୭୧୮), ୨୦୨୦ରେ ଏସୀୟ ସିଂହ (୬୭୪) ଓ ୨୦୨୫ରେ ଏହି ସଂଖ୍ୟା ବଢ଼ି ୮୯୧ ହୋଇଛି।

କେବଳ ସେତିକି ନୁହେଁ ଭାରତର ପ୍ରଥମ ସାମଗ୍ରୀକ ନଦୀ ଡଲଫିନ ଆକଳନରେ ମଧ୍ୟ ଏମାନଙ୍କର ସଂଖ୍ୟା ବଢ଼ିଥିବା ସୂଚନା ମିଳିଛି। ୨୦୨୧-୨୩ ମସିହାରେ ୨୮ଟି ନଦୀର ୮,୫୦୭ କିଲୋମିଟର ଅଞ୍ଚଳକୁ ନେଇ ଯାଞ୍ଚ କରାଯାଇଥିଲା। ଏହି ଆକଳନ ଅନୁସାରେ ଗଙ୍ଗା ନଦୀରେ ଡଲଫିନ୍ ସଂଖ୍ୟା ୬,୩୨୪ ବୋଲି ରେକର୍ଡ କରାଯାଇଛି।

ଏହି ୩ ପ୍ରମୁଖ କାରଣରୁ ଯାଉଛି ପ୍ରାଣୀ ଜୀବନ

କେବଳ ସଂରକ୍ଷଣ କରି ପ୍ରାଣୀ ଜୀବନ ସୁରକ୍ଷା କରାଯାଇପାରିବ ନାହିଁ। ଏଥିରେ ମୁଖ୍ୟତଃ ୩ ସିଷ୍ଟମ ଦାୟୀ। ପ୍ରଥମ ହେଲା ଖାଦ୍ୟ-ଯାହାର ସନ୍ଧାନରେ ପ୍ରାକୃତିକ ବାସସ୍ଥଳୀଗୁଡ଼ିକୁ ନଷ୍ଟ କରିଦିଆଯାଉଛି। ଦ୍ୱିତୀୟତଃ ଶକ୍ତି-ଯେଉଥିପାଇଁ ଜଳବାୟୁ ପରିବର୍ତ୍ତନ ହେଉଛି। ଆଉ ଏକ ବଡ଼ କାରଣ ହେଲା ଏ ଦିଗରେ ଅର୍ଥ ଖର୍ଚ୍ଚ କରିବାରେ ଉଦାସୀନତା। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପ୍ରକୃତିକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟରେ ୨୦୨୩ରେ ୭.୩ ଟ୍ରିଲିଅନ ଡଲାର ନିବେଶ କରାଯାଇଛି। ହେଲେ ପ୍ରକୃତି ସଂରକ୍ଷଣ ଓ ଏହାର ସୁରକ୍ଷା ପାଇଁ ୨୨୦ ବିଲିଅନ ଡଲାର ଖର୍ଚ୍ଚ ହୋଇଛି। ପ୍ରତିବର୍ଷ ବାୟୋଡାଇଭର୍ସିଟି ଫାଇନାନ୍ସିଂରେ ୧.୩ ଟ୍ରିଲିଅନ ଡଲାର କମ ଖର୍ଚ୍ଚ କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି।

ବାଘ ସଂଖ୍ୟା ବଢ଼ିବା ସହ ସମସ୍ୟା

ବାଘ ଓ ସିଂହ ଭଳି ପ୍ରମୁଖ ବନ୍ୟପ୍ରାଣୀଙ୍କ ସଂଖ୍ୟା ବଢ଼ିବା ନିଶ୍ଚିତ ଭାବେ ଭଲ କଥା। କିନ୍ତୁ ଜଙ୍ଗଳ ସନ୍ତୁଳନ ଦୁର୍ବଳ ହେବା ପ୍ରମୁଖ ଚିନ୍ତାର ବିଷୟ। କାରଣ ଗତ ଦୁଇ ଦଶନ୍ଧି ମଧ୍ୟରେ ବାଘଙ୍କ ବିଚରଣ କ୍ଷେତ୍ର ୩୦ ପ୍ରତିଶତ ବଢ଼ିଛି। ହେଲେ ୨୦୧୧ରୁ ୨୦୨୧ ମଧ୍ୟରେ ଜଙ୍ଗଲ ସ୍ଥିତି ଦେଖାଯାଏ ତେବେ ଦେଶରେ ୯୨,୯୮୯ ବର୍ଗ କିଲୋମିଟର ଜଙ୍ଗଲ ଆବରଣ ହ୍ରାସ ପାଇଛି। ଏହାର ପ୍ରାୟ ଅଧା ଅଂଶ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ମଧ୍ୟରେ ରହିଛି।

ବର୍ତ୍ତମାନ ପ୍ରାୟ ୪୫ ପ୍ରତିଶତ ବାଘ ଏକାଧିକ ଅଞ୍ଚଳରେ ବାସ କରୁଛନ୍ତି। ଫଳରେ ସେମାନଙ୍କୁ ୬.୬ କୋଟି ଲୋକଙ୍କ ସହ ରହିବାକୁ ପଡ଼ୁଛି। ଏପଟେ ମଣିଷଙ୍କ ସଂଖ୍ୟା ବଢ଼ିବା ମଧ୍ୟ ଚିନ୍ତାର କାରଣ। ଯାହାଫଳରେ ବନ୍ୟପ୍ରାଣୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ହେଉଛି। ଯଦି ରିପୋର୍ଟ ଦେଖିବା ତେବେ ୨୦୧୪ରୁ ୨୦୨୪ ମଧ୍ୟରେ ବାଘ ଆକ୍ରମଣ ସହ ଜଡ଼ିତ ଘଟଣାରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୨୨ ପରଠାରୁ ମୃତ୍ୟୁ ସଂଖ୍ୟା ବଢ଼ିଛି। ଏହି ସମୟରେ ବାଘଙ୍କ ସଂଖ୍ୟା ପ୍ରତିବର୍ଷ ପ୍ରାୟ ୬ ପ୍ରତିଶତ ହାରରେ ବଢ଼ୁଥିବା କୁହାଯାଇଛି।

୧୮ ଟି ରାଜ୍ୟର ୫୮ଟି ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଙ୍କ ବିଚରଣ କ୍ଷେତ୍ର ବିସ୍ତାରିତ ହୋଇଥିବାବେଳେ ସିଂହଙ୍କ ସଂଖ୍ୟା ବୃଦ୍ଧି ଏବେ ମଧ୍ୟ ଗୁରୁତର ବିପଦର ସମ୍ମୁଖୀନ। କାରଣ, ଗୁଜରାଟର ସୌରାଷ୍ଟ୍ର ଉପଦ୍ୱୀପର ଗୋଟିଏ ମୁଖ୍ୟ ବାସସ୍ଥଳୀ ମଧ୍ୟରେ ସିଂହମାନେ ସୀମିତ ରହିଛନ୍ତି।

ଗିର୍ ଅଞ୍ଚଳର ପ୍ରାୟ ୩୫,୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ସିଂହଙ୍କ ବାସସ୍ଥଳୀ ବିସ୍ତାରିତ। କିନ୍ତୁ ଏହି ଅଞ୍ଚଳରେ ଶିଳ୍ପାଞ୍ଚଳ, ଚାଷଜମି, ଜାତୀୟ ରାଜପଥ, ରେଳପଥ ଓ ସହରାଞ୍ଚଳର ଜନବସତି ବି ରହିଛି। ଏହା ସିଂହଙ୍କ ସୁରକ୍ଷା ଓ ଦୀର୍ଘକାଳୀନ ଅସ୍ତିତ୍ୱ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି।