ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା। ପ୍ରଥମେ ଏକ କାର୍କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ। ଏହି ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ବେଳେ, ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ତେବେ ଖବର ପାଇ ଭରତପୁର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ସ୍କର୍ପିଓକୁ ଜବତ କରିବା ସହ ଭିଡ଼ ନିୟନ୍ତ୍ରଣ କରିଛି। ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଡିସିପିଙ୍କ ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟିବାର ପ୍ରାୟ ୫ ମିନିଟ୍ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସିରିଜ୍ ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ିର ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି।

Also Read: ଦୁଇ ମାସ ତଳେ ଜେଲ ଯାଇଥଲା, ବେଲ୍ରେ ଆସି ପୁଣି ରଚିଲା ମୃତ୍ୟୁ ତାଣ୍ଡବ

ଡିସିପି ଆହୁରି କହିଛନ୍ତି ଯେ, ଦୁର୍ଘଟଣା ସମୟରେ ସ୍କର୍ପିଓ ଭିତରେ ଦୁଇ ଜଣ ଥିଲେ। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ସ୍ୱାଭାବିକ ରହିଛି। ତେବେ ସ୍କର୍ପିଓଟି କେଉଁ ପରିସ୍ଥିତିରେ ପ୍ରଥମେ କାରକୁ ଧକ୍କା ଦେଇ ପରେ ରାସ୍ତାକଡ଼ରେ ଥିବା ଲୋକଙ୍କ ଉପରେ ମାଡ଼ିଗଲା, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସର ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।