• ଜନ୍ତର-ମନ୍ତର ବିରୋଧ ପ୍ରଦର୍ଶନ ଲାଗି ସବୁଠୁ ଚର୍ଚ୍ଚିତ ସ୍ଥାନ
  • ସୁପ୍ରିମକୋର୍ଟ କହିଛନ୍ତି ଯେ ‘ଆମେ ମାମଲାରେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରି ସେମାନଙ୍କ ଜବାବ ମାଗିଛୁ
  • ତୁଷାର ମେହେଟ୍ଟା କହିଛନ୍ତି ଯେ ଜନ୍ତର-ମନ୍ତରକୁ ବିରୋଧ ପ୍ରଦର୍ଶନ ସ୍ଥଳରୁ ହଟାଇବା ପାଇଁ ନିଷ୍ପତ୍ତି ଏକ କମିଟିର ସୁପାରିଶ ଆଧାରରେ ନିଆଯାଇଛି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବିରୋଧ ପ୍ରଦର୍ଶନର କେନ୍ଦ୍ର ସ୍ଥଳ ଜନ୍ତର-ମନ୍ତରକୁ ନିର୍ଦ୍ଧାରିତ ପ୍ରଦର୍ଶନ ସ୍ଥଳୀ ତାଲିକାରୁ ହଟା ଯିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଛନ୍ତି। ଏଥିରେ ସରକାର ଓ ପୋଲିସକୁ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆବେଦନ ଶୁଣାଣିରେ ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ‘ଆମେ ମାମଲାରେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରି ସେମାନଙ୍କ ଜବାବ ମାଗିଛୁ। ମାମଲାରେ ପ୍ରଥମେ ସେମାନଙ୍କ ଜବାବ ଆସୁ। ଯଦି ସେମାନଙ୍କ ଜବାବ ସନ୍ତୋଷଜନକ ନ ହୁଏ, ତେବେ ଆଇନ ତା କାମ କରିବ’। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଉପସ୍ଥିତ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ଜନ୍ତର-ମନ୍ତରକୁ ବିରୋଧ ପ୍ରଦର୍ଶନ ସ୍ଥଳରୁ ହଟାଇବା ପାଇଁ ନିଷ୍ପତ୍ତି ଏକ କମିଟିର ସୁପାରିଶ ଆଧାରରେ ନିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଜାତୀୟ ରାଜଧାନୀର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଜନ୍ତର-ମନ୍ତର ବିରୋଧ ପ୍ରଦର୍ଶନ ଲାଗି ସବୁଠୁ ଚର୍ଚ୍ଚିତ ସ୍ଥାନ। ଗତ ଜୁଲାଇ ମାସରେ ଏଠାରେ ନିଟ-ୟୁଜି ପେପର ଲିକ୍ କୁ ନେଇ ଲଗାତାର ଅନେକ ଦିନ ଧରି ପ୍ରଦର୍ଶନ ଜାରି ଥିଲା। ଏହା ପରେ ଏବେ ଭୋଟ ଚୋରି ଆରୋପକୁ ନେଇ ଏଠାରେ ବିରୋଧୀ ଦଳ ଓ କକ୍ରୋଚ ଜନତା ପାର୍ଟି ବିରୋଧ ପ୍ରଦର୍ଶନ କରିବା ପାଇଁ ଯୋଜନା କରିଛନ୍ତି, ତେବେ ପୋଲିସ ସେମାନଙ୍କୁ ଏଥି ପାଇଁ ଅନୁମତି ଦେଉ ନାହିଁ।