ଭୁବନେଶ୍ବର ୨୬/୬: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଆକ୍ସନ । କମିଟିର ରିପୋର୍ଟ ଆସିବା ପରେ ୪ ଅଧିକାରୀ ସସ୍ପେଣ୍ଡ । ପୂର୍ବତନ ଶିକ୍ଷକଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ (Teachers Training & SCERT) ମନୋଜ ପାଢୀ ନିଲମ୍ବିତ । ଆଉ ୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲ୍ଲୀପ ସାହୁ ଓ ଭାରତୀ ଟୁଡୁ ନିଲମ୍ବିତ । ଏଥିସହ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା । ମୁଖ୍ୟମନ୍ତ୍ରୀଙ୍କୁ କମିଟି ରିପୋର୍ଟ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଖବର ସାମ୍ନାକୁ ଆସିଛି ।

ସେହିପରି ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟିର ୧୪ଟି ସୁପାରିଶ କାର୍ଯ୍ୟକାରୀ କରାଯିବ । SCERT ପକ୍ଷରୁ ମାଷ୍ଟର ତ୍ରୁଟି (Errata) ରେଜିଷ୍ଟର ପ୍ରସ୍ତୁତ କରାଯିବ । ସବୁ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଧାନ କରାଯିବ । , SCERTରେ Quality Assurance Cell ଖୋଲାଯିବ । ଏହା ସହିତ ଭବିଷ୍ୟତରେ କୌଣସି ପାଠ୍ୟ ପୁସ୍ତକ ଭାଷା, ଚିତ୍ର, ତଥ୍ୟ ଓ ଛପା ହେବାପାଇଁ ଆବଶ୍ୟକ ଅନୁମୋଦନ ବିନା ପ୍ରିଣ୍ଟିଙ୍ଗ ପ୍ରେସକୁ ଯିବ ନାହିଁ।

ସ୍କୁଲ ବହିରେ ପୁଳା ପୁଳା ଭୁଲ୍ ସାମ୍ନାକୁ ଆସିବା ପରେ ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ । ଉନ୍ନୟନ କମିଶନଙ୍କର ଅଧ୍ୟକ୍ଷତାରେ ଗଠିତ ହୋଇଥିଲା କମିଟି । ୭ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରାରମ୍ଭିକ ଭାବରେ ପ୍ୟାନେଲକୁ ୧୫ ଦିନ ସମୟ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା, କିନ୍ତୁ ସାତ ଦିନର ଡେଡଲାଇନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ସେଇ ଉଚ୍ଚସ୍ତରୀୟ କମିଟି ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ ସାମ୍ନାକୁ ଆସିଛି ।

ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ବଡ ମନ୍ତବ୍ୟ ଦେଇଥିଲେ । କହିଥିଲେ ସରକାର ଏ ତ୍ରୁଟିଗୁଡିକୁ ଗମ୍ଭୀରତାର ସହ ନେଇଛନ୍ତି । "ପୂର୍ବରୁ ତ୍ରୁଟି ଘଟିଥିଲା, କିନ୍ତୁ ଏଥର ପରିମାଣ ଯଥେଷ୍ଟ ଅଧିକ। ପାଣ୍ଡୁଲିପି ପ୍ରସ୍ତୁତି ଏବଂ ଯାଞ୍ଚ ଠାରୁ ମୁଦ୍ରଣ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଯାଞ୍ଚ ଆବଶ୍ୟକ। ମୋ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ସନ୍ଦେହ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଦୋଷୀଙ୍କ ବିରୋଧରେ କଠୋର ଆକ୍ସନ ନିଆଯିବାର ଚେତବାନୀ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରାଯିବ । ନୂଆ ବହି ଛପାଯାଇ ପିଲାଙ୍କୁ ବଣ୍ଟନ କରାଯିବ । ସମସ୍ତ, ନୂତନ କପି ମୁଦ୍ରଣ ଏବଂ ପୁନଃବଣ୍ଟନ କରାଯିବ। ଯେଉଁମାନେ ଷଡଯନ୍ତ୍ରରେ ସାମିଲ ଥିଲେ ତଣ୍ଡ ଗଣିବେ । ସେମାନଙ୍କ ପାଖରୁ ତ୍ରୁଟି ବହିର ମୂଲ୍ୟ ଆଦାୟ କରାଯିବ । ତଦନ୍ତ ରିପୋର୍ଟ ଅନୁଯାୟୀ ଆକ୍ସନ ନିଆଯିବା ନେଇ ଚେତାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ‘ଷଡ଼ଯନ୍ତ୍ରକାରୀ ଆକ୍ଷେପ ନେଇ ତେଜିଲା ରାଜନୀତି । ଷଡଯନ୍ତ୍ରକାରୀ କିଏ ଖୋଜିବାକୁ ଆହ୍ବାନ କରିଥିଲେ ପିସିସି ସଭାପତି ଭକ୍ତ ଦାସ । ବିଜେଡି ବିଧାୟକ ସାରଦା ଜେନା କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ସମସ୍ତଙ୍କୁ ମର୍ମାହତ କରିଛି ।

କିଛି ଦିନ ତଳେ ଓଡ଼ିଶାର ସରକାରୀ ପୁସ୍ତକରେ ମାଳ ମାଳ ଭୁଲ୍ ସାମ୍ନାକୁ ଆସିଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବିଭିନ୍ନ ପାଠ୍ୟପୁସ୍ତକରେ ୧ହଜାର ୬୭୮ଟି ମୁଦ୍ରଣ ଓ ତଥ୍ୟଗତ ଭୁଲ୍ ଥିବା ସାମ୍ନାକୁ ଆସିଥିଲା । କେଉଁଠି ନିୟମଗିରି ପାହାଡ ଝାଡଖଣ୍ଡକୁ ଚାଲିଗଲାଣି ଆଉ କେଉଁଠି ଓଡ଼ିଶା ବିଧାନସଭା ଫଟୋ ଜାଗାରେ କର୍ଣ୍ଣାଟକ ବିଧାନସଭାର ଫୋଟ ରହିଛି । SCERT ଦ୍ବାରା ପ୍ରସ୍ତୁତ ନୂଆ ବହିରେ ଶିକ୍ଷାବିତ୍ ଓ ଶିକ୍ଷକ ମୋଟ୍ ୧, ୬୭୮ଟି ଭୁଲ୍ ଚିହ୍ନଟ କରିଥିଲେ । ସବୁଠୁ ଚକିତ କଲା ପରି କଥା ହେଉଛି କେବଳ ଅଷ୍ଟମ ଶ୍ରେଣୀ ବହିରେ ହିଁ ୭୦୫ଟି ଭୁଲ୍ ରହିଛି । ଗଞ୍ଜାମ ଜିଲ୍ଲାକୁ ଭୁଲରେ ବ୍ରହ୍ମପୁର ଜିଲ୍ଲା ବୋଲି ଲେଖାଯାଇଛି । ଯାହାକୁ ନେଇ ଶିକ୍ଷକ ସଂଘ ଓ ବିଭିନ୍ନ ରାଜନୈତିକ ଦଳ ଉଦବେଗ ପ୍ରକାଶ କରିଥିଲେ ।

Also Read:ମୁଖ୍ୟମନ୍ତ୍ରୀଙ୍କୁ ତାରାଙ୍କ ପ୍ରଶ୍ନ: ସ୍କୁଲ ବହି ତ୍ରୁଟିର ଷଡ଼ଯନ୍ତ୍ରକାରୀ କିଏ ? ସ୍ପଷ୍ଟ କର