କୋରାପୁଟ: ପିଲାଙ୍କ ପାଠ୍ୟପୁସ୍ତକରେ ଦେଖାଦେଇଥିବା ତ୍ରୁଟିକୁ ନେଇ ରାଜ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ଭୁଲ୍ ପାଠ୍ୟପୁସ୍ତକକୁ ନେଇ ଛାତ୍ରଛାତ୍ରୀ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଅନ୍ୟପଟେ ଏହାକୁ କେନ୍ଦ୍ର କରି ରାଜନୈତିକ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିଲାଙ୍କ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ବିରୋଧୀ ଦଳ ପକ୍ଷରୁ ଷଡ଼ଯନ୍ତ୍ର କରାଯାଉଛି କହିଛନ୍ତି।

ଏହି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ଯଦି ଷଡ଼ଯନ୍ତ୍ର ହୋଇଥାଏ ତେବେ ତାହା କିଏ କରିଛି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ପାଠ୍ୟପୁସ୍ତକରେ ଏତେ ବଡ଼ ଭୁଲ୍ କିପରି ହେଲା ? ଏହା ପଛରେ କିଏ ଦାୟୀ ? ଏତେଦିନ ଧରି ସରକାର କେଉଁ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ସହିତ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଘଟିଥିବା ତ୍ରୁଟି ପାଇଁ ନୈତିକ ଦାୟିତ୍ୱ ସ୍ୱୀକାର କରି କେନ୍ଦ୍ର ଓ ରାଜ୍ୟର ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସ୍କୁଲ ବହି ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛି। କମିଟିର ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। SCERT ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ, ଓ ଭାରତୀ ଟୁଡୁଙ୍କୁ ନିଲମ୍ବିତ କରାଯାଇଛି।

ଏହା ସହିତ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା। ପିଲାଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ୧୪ ଟି ସୁପାରିଶ କାର୍ଯ୍ୟକାରୀ କରାଯିବ।