ବ୍ରହ୍ମପୁର ୮।୭: ଚୋରି ହୋଇଥିଲା ସୁନା ଅଳଙ୍କାର । ଉଦ୍ଧାର କଲା ବ୍ରହ୍ମପୁର ଜିଆରପି । ଚୋରି ମାମଲାର ପର୍ଦ୍ଦାଫାଶ କରି ଦୁଇ ଚୋରଙ୍କୁ ଗିରଫ କରିବା ସହ ୬୩.୬୨ ଗ୍ରାମ୍‌ର ସୁନା ଗହଣା ଉଦ୍ଧାର କରିଛି । ଚୋରି ଘଟଣାରେ ଅଧିକ ଖୋଳତାଡ଼ ଜାରି ରଖିଛି ପୋଲିସ 

କେଦାରନାଥ ସବର ନାମକ ଜଣେ ବ୍ୟକ୍ତି ଭୁବନେଶ୍ବରରୁ ରାୟଗଡ଼ ଟ୍ରେନରେ ଯାତ୍ରା କରୁଥିଲେ । ସେହି ସମୟରେ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଥ‌ିବା ଭ୍ୟାନିଟି ବ୍ୟାଗ୍‌ଟି ଚୋରି ହୋଇଯାଇଥ‌ିବା ନେଇ ସେ ଜିଆରପିରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ଲୋକୋ କଲୋନୀରେ ଚଢ଼ାଉ କରିଥିଲା ବ୍ରହ୍ମପୁର ଜିଆରପି । ସେଠାରୁ ମୁଖ୍ୟ ଅଭିଯୁକ୍ତ ସୁରଜ କୁମାର ପ୍ରସାଦକୁ ଗିରଫ କରିଥିଲା । ପରେ ତା’ ସୂଚନା ଆଧାରରେ ଅନ୍ୟ ଅଭିଯୁକ୍ତ ସଞ୍ଜୟ କୁମାର ନାୟକକୁ ମଧ୍ୟ ଗିରଫ କଲା ଜିଆରପି ।

Also Read:- ଘରେ ତାଲା ପକାଇ ବାହାଘରକୁ ଯିବା ପଡ଼ିଲା ମହଙ୍ଗା, ଟଙ୍କା ସହ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ପ୍ରାୟ ୬୩.୬୨ ଗ୍ରାମ୍ ଚୋରି ହୋଇଥ‌ିବା ସୁନା ଅଳଙ୍କାର ଉଦ୍ଧାର କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ବର୍ତ୍ତମାନ ୭ ଲକ୍ଷ ୨୮ ହଜାର ୨୧୬ ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି । ଅବଶିଷ୍ଟ ଚୋରି ସାମଗ୍ରୀ ଉଦ୍ଧାର ଓ ଏହି ଚୋରି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ବ୍ରହ୍ମପୁର ଜିଆର୍‌ପି ।