ଭୁବନେଶ୍ୱର ୦୨।୧୧ : ରାଜ୍ୟରେ ବିଜେପିର ନୂଆ ଅଭିଯାନ। ‘ଗଣତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ ସ୍ଲୋଗାନରେ ପଦଯାତ୍ରା କରିବ ରାଜ୍ୟ ବିଜେପି। ଏହି ଅଭିଯାନର ଶୁଭାରମ୍ଭ ପାଇଁ ଓଡ଼ିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସୁଧାଂଶୁ ତ୍ରିବେଦୀ। ଏହି ଅବସରରେ ସାମ୍ବାଦିକ ସମ୍ମିଳନୀ ସହ କଟକରେ ପଦଯାତ୍ରା ଏବଂ ଭୁବନେଶ୍ୱରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ।

‘ଗଣତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’। ଏହି ସ୍ଲୋଗାନକୁ ନେଇ ରାଜ୍ୟରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେପି। ଅକ୍ଟୋବର ୨୨ ତାରିଖରୁ ସମଗ୍ର ଦେଶରେ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାକୁ ଓଡ଼ିଶାରେ ଶୁଭାରମ୍ଭ କରିବାକୁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡକ୍ଟର ସୁଧାଂଶୁ ତ୍ରିବେଦୀ।

Also Read:-ରାତିରେ ଡ୍ୟାମ୍ ଦେଇ ଫେରୁଥିଲେ, ଭାରସାମ୍ୟ ହରାଇ ନଦୀକୁ ଖସିଲା ବାଇକ୍

ଓଡ଼ିଶା ଗସ୍ତ ଅବସରରେ ପ୍ରଥମେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରୁଛନ୍ତି ଡକ୍ଟର ତ୍ରିବେଦୀ। ଏହାସହ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ଏହାପରେ କଟକ ଗସ୍ତ କରି ଅପରାହ୍ନ ୩ଟାରେ କଲେଜ ଛକରୁ ବୋଲଗଡ଼ ଶିକ୍ଷା ପର୍ଯ୍ୟନ୍ତ ଆୟୋଜିତ ‘ଗଣତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ ପଦଯାତ୍ରାରେ ସାମିଲ ହେବେ।

ସେହିପରି ସନ୍ଧ୍ୟା ୫ଟା ୩୦ରେ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମ୍ରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଯୋଗଦେବେ। ଏହାପରେ ଦିଲ୍ଲୀ ଫେରିଯିବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି।