ନୂଆଦିଲ୍ଲୀ ,୧ /୧୧-; ଦୁନିଆର ଧନୀ ଲୋକ ଏବଂ ଧନୀ ଦେଶଙ୍କ ବିଷୟରେ ଆପଣ ଅନେକ କଥା ଶୁଣିଥିବେ। କିନ୍ତୁ ବିଶ୍ୱରେ କେଉଁ ଦେଶର ଲୋକଙ୍କ ମୁଣ୍ଡ ଉପରେ ସବୁଠୁ ଅଧିକ ଋଣର ବୋଝ ରହିଛି, ତାହା ଜାଣିଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଏବେ ଏକ ନୂଆ ରିପୋର୍ଟରୁ ସାମ୍ନାକୁ ଆସିଛି। ଏହି ତାଲିକାରେ ଆମେରିକା ଚତୁର୍ଥ ସ୍ଥାନରେ ଥିବା ବେଳେ ଭାରତ ରହିଛି ସବୁଠୁ ତଳେ। ଆଉ ସବୁଠୁ ଅଧିକ ଋଣ ଥିବା ଦେଶ ଭାବେ ପ୍ରଥମ ସ୍ଥାନରେ ରହିଛି ସ୍ୱିଜରଲ୍ୟାଣ୍ଡ।

ଭିଜୁଆଲ୍ କ୍ୟାପିଟାଲିଷ୍ଟ ପକ୍ଷରୁ ପ୍ରକାଶିତ ନୂଆ ରାଙ୍କିଂ ଅନୁଯାୟୀ, ପ୍ରତି ବ୍ୟକ୍ତିଙ୍କ ହିସାବରେ ମୋଟ ଋଣ ପରିମାଣରେ ସ୍ୱିଜରଲ୍ୟାଣ୍ଡ ସବୁଠାରୁ ଉଚ୍ଚରେ ରହିଛି। ଏଠାରେ ସରକାରୀ, ଘରୋଇ ଏବଂ ଅଣ-ଆର୍ଥିକ କର୍ପୋରେଟ୍ ଋଣକୁ ମିଶାଇ ପ୍ରତି ନାଗରିକଙ୍କ ପିଛା ପ୍ରାୟ ୩,୪୨,୨୪୦ ଡଲାର ଅର୍ଥାତ୍ ପ୍ରାୟ ୩.୨୫ କୋଟି ଟଙ୍କାର ଋଣ ରହିଛି।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ନରୱେ ରହିଛି। ଏଠାରେ ପ୍ରତି ବ୍ୟକ୍ତିଙ୍କ ପିଛା ମୋଟ ଋଣ ପରିମାଣ ୨,୭୩,୮୫୬ ଡଲାର। ସେହିପରି ନେଦରଲ୍ୟାଣ୍ଡ୍ସ ତୃତୀୟ ସ୍ଥାନରେ ରହିଥିବା ବେଳେ ଆମେରିକା ଚତୁର୍ଥ ସ୍ଥାନରେ ରହିଛି। ନେଦରଲ୍ୟାଣ୍ଡ୍ସରେ ପ୍ରତି ବ୍ୟକ୍ତିଙ୍କ ପିଛା ଋଣ ୨,୨୪,୧୫୭ ଡଲାର ଏବଂ ଆମେରିକାରେ ୨,୨୪,୦୩୨ ଡଲାର। ଡେନମାର୍କ ପ୍ରାୟ ୧,୯୫,୩୬୫ ଡଲାର ଋଣ ସହ ପଞ୍ଚମ ସ୍ଥାନରେ ରହିଛି।

କେଉଁ ଆଧାରରେ ପ୍ରସ୍ତୁତ ହୋଇଛି ଏହି ତାଲିକା?

୨୦୨୬ ମସିହାର ପ୍ରଥମ ତ୍ରୈମାସିକର ତଥ୍ୟ ଆଧାରରେ ଏହି ରାଙ୍କିଂ ପ୍ରସ୍ତୁତ ହୋଇଛି। ଏଥିରେ ୩୯ଟି ଅର୍ଥନୀତିର ଋଣ ପରିମାଣକୁ ତୁଳନା କରାଯାଇଛି। ସରକାରୀ ଋଣ, ପରିବାର ବା ଘରୋଇ ଋଣ ଏବଂ ଅଣ-ଆର୍ଥିକ କମ୍ପାନୀଗୁଡ଼ିକର ଋଣକୁ ମିଶାଇ ମୋଟ ଋଣ ହିସାବ କରାଯାଇଛି। ଏହି ତଥ୍ୟ ସଂଗ୍ରହ ପାଇଁ ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ୍ ସେଟଲମେଣ୍ଟସ୍ ଏବଂ ମିଳିତ ଜାତିସଂଘର ୱାର୍ଲ୍ଡ ପପୁଲେସନ୍ ପ୍ରସ୍ପେକ୍ଟସ୍ ୨୦୨୪ର ଜନସଂଖ୍ୟା ଆକଳନକୁ ଆଧାର କରାଯାଇଛି।

ଆମେରିକାର ଋଣ ଚିତ୍ର ସ୍ୱିଜରଲ୍ୟାଣ୍ଡଠାରୁ କିଛିଟା ଭିନ୍ନ। ଆମେରିକାରେ ପ୍ରତି ବ୍ୟକ୍ତିଙ୍କ ପିଛା ସରକାରୀ ଋଣ ପ୍ରାୟ ୯୯,୧୦୩ ଡଲାର ରହିଛି। ଅନ୍ୟପକ୍ଷରେ ଘରୋଇ ଋଣ ୬୦,୧୦୩ ଡଲାର ଏବଂ ଅଣ-ଆର୍ଥିକ କର୍ପୋରେଟ୍ ଋଣ ୬୪,୮୨୬ ଡଲାର। ଏହି ତିନୋଟିକୁ ମିଶାଇ ମୋଟ ଋଣ ପରିମାଣ ୨,୨୪,୦୩୨ ଡଲାର ବା ପ୍ରାୟ ୨.୧୩ କୋଟି ଟଙ୍କା।

ତେବେ ଏହି ରାଙ୍କିଂରେ ଭାରତର ସ୍ଥାନ କେଉଁଠି ?ଏହି ରାଙ୍କିଂରେ ଭାରତର ସ୍ଥାନ ସବୁଠୁ ତଳେ ରହିଛି। ଭାରତରେ ପ୍ରତି ବ୍ୟକ୍ତିଙ୍କ ପିଛା ସରକାରୀ, ଘରୋଇ ଏବଂ କର୍ପୋରେଟ୍ ଋଣକୁ ମିଶାଇ ମୋଟ ଋଣ ପରିମାଣ ପ୍ରାୟ ୪,୭୦୮ ଡଲାର ବା ୪.୪୭ ଲକ୍ଷ ଟଙ୍କା ରହିଛି।

also read- ଅକ୍ଟୋବରରେ ୟୁପିଆଇ ପେମେଣ୍ଟରେ ରେକର୍ଡ: ପ୍ରତିଦିନ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର

ତେବେ ପ୍ରତି ବ୍ୟକ୍ତିଙ୍କ ପିଛା ଅଧିକ ଋଣ ରହିବା ଅର୍ଥ ଏହା ନୁହେଁ ଯେ ସେହି ଦେଶ ଆର୍ଥିକ ସଙ୍କଟରେ ରହିଛି। ଋଣ ପରିଶୋଧ କରିବାର କ୍ଷମତା ଦେଶର ଆୟ, ଅର୍ଥନୈତିକ ଅଭିବୃଦ୍ଧି, ସୁଧ ହାର ଏବଂ ଋଣ ନେଇଥିବା ବ୍ୟକ୍ତି ବା ସଂସ୍ଥାର ସମ୍ପତ୍ତି ଉପରେ ନିର୍ଭର କରେ। ତେଣୁ କେବଳ ଋଣର ପରିମାଣ ଦେଖି କୌଣସି ଦେଶର ଆର୍ଥିକ ସ୍ଥିତି ଆକଳନ କରିବା ଠିକ୍ ନୁହେଁ।