ଭୁବନେଶ୍ୱର : ଦିନକୁ ଦିନ ବାୟୁ ପ୍ରଦୂଷଣର ମାତ୍ର ଯେତିକି ବଢ଼ୁଛି ସେତିକି ସ୍ୱାସ୍ଥ୍ୟ ପ୍ରତି ବିପଦ ମଧ୍ୟ ବଢୁଛି । କେବଳ ଫୁସଫୁସ୍ ନୁହେଁ, ଏବେ ମସ୍ତିଷ୍କ ପାଇଁ ମଧ୍ୟ ଘାତକ ସାଜୁଛି ପ୍ରଦୂଷିତ ବାୟୁ । ବାୟୁ ପ୍ରଦୂଷଣ ଯୋଗୁଁ ବଢିପାରେ ବ୍ରେନ୍ ଷ୍ଟ୍ରୋକ୍ ବା ମସ୍ତିଷ୍କ ଘାତର ଆଶଙ୍କା । ବିଶେଷକରି ଦୀର୍ଘ ସମୟ ଧରି ପ୍ରଦୂଷିତ ବାୟୁରେ ରହିବା ଦ୍ୱାରା ରକ୍ତନଳୀ ଉପରେ ପ୍ରଭାବ ପଡ଼ିବା ସହ ଷ୍ଟ୍ରୋକ୍ର ବିପଦ ବଢ଼ିଥାଏ । ତେବେ ବ୍ରେନ୍ ଷ୍ଟ୍ରୋକ୍ର ଲକ୍ଷଣ କ’ଣ ? କେଉଁ ସବୁ ସତର୍କତା ଅବଲମ୍ବନ କଲେ ଏହି ବିପଦକୁ କମାଇ ହେବ ? ଆସନ୍ତୁ ଜାଣିବା ।

ବାୟୁ ପ୍ରଦୂଷଣ ଏବେ ବିଶ୍ୱବ୍ୟାପୀ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ପାଲଟିଛି । ଗାଡ଼ି ମୋଟରର ଧୂଆଁ, କଳକାରଖାନାରୁ ନିର୍ଗତ ଧୂଆଁ, ଧୂଳିକଣା ଏବଂ ବିଷାକ୍ତ ଗ୍ୟାସ୍ ଶରୀର ଉପରେ ଗୁରୁତର ପ୍ରଭାବ ପକାଉଛି । ବିଶେଷକରି PM2.5 ଭଳି ଅତି ସୂକ୍ଷ୍ମ ଧୂଳିକଣା ଶ୍ୱାସକ୍ରିୟା ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରି ରକ୍ତବାହୀ ନଳୀରେ ପ୍ରଦାହ ସୃଷ୍ଟି କରିପାରେ । ଏହା ରକ୍ତଚାପ ବୃଦ୍ଧି, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତ ସଞ୍ଚାଳନରେ ସମସ୍ୟା ସୃଷ୍ଟି କରିପାରେ । ଫଳରେ ବ୍ରେନ୍ ଷ୍ଟ୍ରୋକ୍ର ଆଶଙ୍କା ବଢ଼ାଇଥାଏ । ତେବେ ବ୍ରେନ୍ ଷ୍ଟ୍ରୋକ୍ ହେଲେ ଶରୀର ଆମକୁ କିଛି ସଙ୍କେତ ଦେଇଥାଏ । ଯେପରିକି- ହଠାତ୍ ମୁହଁର ଗୋଟିଏ ପାର୍ଶ୍ୱ ବଙ୍କା ହୋଇଯିବା । ହାତ କିମ୍ବା ଗୋଡ଼ରେ ହଠାତ୍ ଦୁର୍ବଳତା ବା ଅବଶ ଅନୁଭବ ହେବା । କଥା କହିବାରେ ଅସୁବିଧା ଏବଂ କଥା ଅସ୍ପଷ୍ଟ ହେବା । ହଠାତ୍ ଦୃଷ୍ଟିଶକ୍ତି ହ୍ରାସ ପାଇବା । ଚାଲିବା ସମୟରେ ସନ୍ତୁଳନ ହରାଇବା କିମ୍ବା ମୁଣ୍ଡ ବୁଲାଇବା । ତେବେ ଯଦି ଆପଣଙ୍କୁ ଏହି ଲକ୍ଷଣ ଦେଖାଦେଉଛି ତେବେ ଆଦୌ ଅବହେଳା କରନ୍ତୁ ନାହିଁ । ତୁରନ୍ତ ଏହାର ଚିକିତ୍ସା କରନ୍ତୁ ।

ପ୍ରଦୂଷଣରୁ ନିଜକୁ ସୁରକ୍ଷିତ ରଖିବା ସହ ବ୍ରେନ୍ ଷ୍ଟ୍ରୋକ୍ର ଆଶଙ୍କା କମାଇବା ପାଇଁ କିଛି ସତର୍କତା ଜରୁରୀ । ପ୍ରଦୂଷଣ ଅଧିକ ଥିବା ସମୟରେ ବାହାରକୁ ଯାଆନ୍ତୁ ନାହିଁ । ଆବଶ୍ୟକ ପଡ଼ିଲେ N95 ମାସ୍କ ବ୍ୟବହାର କରନ୍ତୁ । ଘର ଭିତରେ ବାୟୁର ଗୁଣବତ୍ତା ଭଲ ରଖନ୍ତୁ । ଏହା ସହିତ ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ନିଦ୍ରା ଏବଂ ଧୂମପାନଠାରୁ ଦୂରେଇ ରହିବା ଜରୁରୀ । ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କୋଲେଷ୍ଟ୍ରଲ୍କୁ ନିୟନ୍ତ୍ରଣରେ ରଖିବା ମଧ୍ୟ ଷ୍ଟ୍ରୋକ୍ର ବିପଦ କମାଇବାରେ ସହାୟକ ହୋଇଥାଏ ।ଡାକ୍ତରଙ୍କ ମତରେ, ବ୍ରେନ୍ ଷ୍ଟ୍ରୋକ୍ ଏକ ମେଡିକାଲ୍ ଏମର୍ଜେନ୍ସି । ଏହାର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ହସ୍ପିଟାଲ୍ରେ ଯାଇ ଚିକିତ୍ସା କରନ୍ତୁ । ଷ୍ଟ୍ରୋକ୍ ଚିକିତ୍ସାରେ ପ୍ରତ୍ୟେକ ମିନିଟ୍ ବି ଗୁରୁତ୍ୱପୂର୍ଣ୍ଣ । ଲକ୍ଷଣ ଆପେ ଆପେ ଠିକ୍ ହୋଇଯିବ ବୋଲି ଅପେକ୍ଷା କରିବା ମୂର୍ଖାମୀ ଅଟେ ।