ଭୁବନେଶ୍ୱର : ଷ୍ଟ୍ରୋକ୍ ବା ମସ୍ତିଷ୍କଘାତ... ଏକ ଏପରି ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା, ଯେଉଁଠି ପ୍ରତିଟି ସେକେଣ୍ଡ ଓ ପ୍ରତିଟି ମିନିଟ୍ ଗୁରୁତ୍ୱପୂର୍ଣ୍ଣ । ଷ୍ଟ୍ରୋକ୍ର ଲକ୍ଷଣ ଦେଖାଦେବା ପରେ ଚିକିତ୍ସାରେ ସାମାନ୍ୟ ବିଳମ୍ବ ମଧ୍ୟ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଏପରିକି ଜୀବନ ବଞ୍ଚିଗଲେ ମଧ୍ୟ ଶରୀରର କୌଣସି ଅଙ୍ଗ ଅଚଳ ହେବା କିମ୍ବା କଥା କହିବାର କ୍ଷମତା ହରାଇବା ଭଳି ସମସ୍ୟା ଦେଖାଦେଇପାରେ । ତେଣୁ ଷ୍ଟ୍ରୋକ୍ର ଲକ୍ଷଣ ଚିହ୍ନିବା ସହ ତୁରନ୍ତ ଚିକିତ୍ସା ଯୋଗାଇଦେବା ଜରୁରୀ।

ମସ୍ତିଷ୍କକୁ ରକ୍ତ ଯୋଗାଣ ବନ୍ଦ ହୋଇଗଲେ କିମ୍ବା ମସ୍ତିଷ୍କରେ ରକ୍ତନଳୀ ଫାଟି ରକ୍ତସ୍ରାବ ହେଲେ ଷ୍ଟ୍ରୋକ୍ ହୋଇଥାଏ। ଏହା ଦୁଇ ପ୍ରକାରର। ଇସ୍କେମିକ୍ ଷ୍ଟ୍ରୋକ୍ ଏବଂ ହେମୋରାଜିକ୍ ଷ୍ଟ୍ରୋକ୍।ଷ୍ଟ୍ରୋକ୍ ହେଲେ ହଠାତ୍ ମୁହଁର ଗୋଟିଏ ପାର୍ଶ୍ୱ ବଙ୍କା ହୋଇଯିବା, ହାତ କିମ୍ବା ଗୋଡ଼ ଦୁର୍ବଳ ହୋଇଯିବା, କଥା କହିବାରେ ଅସୁବିଧା ହେବା, ହଠାତ୍ ଦୃଷ୍ଟିଶକ୍ତି କମିଯିବା, ମୁଣ୍ଡ ବୁଲାଇବା କିମ୍ବା ଅସହ୍ୟ ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଯାଇଥାଏ । ବିଶେଷଜ୍ଞଙ୍କ ମତରେ, ଷ୍ଟ୍ରୋକ୍ ଚିକିତ୍ସାରେ ସମୟ ହେଉଛି ସବୁଠାରୁ ବଡ଼ ଅସ୍ତ୍ର। କିଛି ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ଆରମ୍ଭ ହେବାର ସାଢ଼େ ଚାରି ଘଣ୍ଟା ମଧ୍ୟରେ ରକ୍ତ ଜମାଟ ଗଳାଇବା ପାଇଁ ଔଷଧ ଦିଆଯାଇପାରେ। ଆଉ କେତେକ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ପରୀକ୍ଷା ପରେ ୨୪ ଘଣ୍ଟା ମଧ୍ୟରେ ରକ୍ତ ଜମାଟ ବାହାର କରିବାର ଚିକିତ୍ସା ମଧ୍ୟ ଦିଆଯାଇପାରେ ।

ତେଣୁ ଲକ୍ଷଣ ଦେଖାଦେଲେ ନିଜେ ଔଷଧ ଖାଇବା କିମ୍ବା ଘରୋଇ ଉପଚାର କରିବାରେ ସମୟ ନଷ୍ଟ କରନ୍ତୁ ନାହିଁ। ତୁରନ୍ତ ସରକାରୀ ଆମ୍ବୁଲାନ୍ସ କିମ୍ବା ସ୍ଥାନୀୟ ଜରୁରୀକାଳୀନ ସେବାର ସହାୟତା ନିଅନ୍ତୁ। ରୋଗୀଙ୍କୁ ନିଜ ଇଚ୍ଛାରେ ଖାଦ୍ୟ, ପାଣି କିମ୍ବା ଔଷଧ ଦିଅନ୍ତୁ ନାହିଁ। ଷ୍ଟ୍ରୋକ୍ରେ ପ୍ରତିଟି ମିନିଟ୍ରେ ମସ୍ତିଷ୍କର ଅନେକ କୋଷ ନଷ୍ଟ ହୋଇପାରେ। ତେଣୁ ଲକ୍ଷଣ ଦେଖିବା ମାତ୍ରକେ ତୁରନ୍ତ ଚିକିତ୍ସା ପାଇଁ ମେଡିକାଲ ନେଇଯାନ୍ତୁ | ମନେ ରଖନ୍ତୁ, ଏମର୍ଜେନ୍ସି ଚିକିତ୍ସା ହିଁ ଜୀବନ ବଞ୍ଚାଇବା ସହ ଅକ୍ଷମତାର ଆଶଙ୍କା କମାଇପାରେ।