ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟରେ ରେକର୍ଡ । ଅକ୍ଟୋବର ମାସରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା UPI ଜରିଆରେ ହୋଇଥିବା କାରବାର ରେକର୍ଡ ଭାଙ୍ଗିଛି । NPCI ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଅକ୍ଟୋବର ମାସରେ ପ୍ରଥମଥର ପାଇଁ ଦୈନିକ ନେଣଦେଣର ହାରାହାରି ପରିମାଣ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ପାର୍ବଣ ଏବଂ ଅନଲାଇନ୍ ସପିଂ ସେଲ୍ ଯୋଗୁ ଦେଶର ଛୋଟ ଦୋକାନୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍ ପର୍ଯ୍ୟନ୍ତ ସବୁଠି ଲୋକେ ଡିଜିଟାଲ୍ ପେମେଣ୍ଟ୍ କରିଛନ୍ତି। ତେବେ ତଥ୍ୟ ଅନୁସାରେ, ଅକ୍ଟୋବର ମାସରେ ମୋଟ ୨,୫୪୭ କୋଟି ୟୁପିଆଇ ଟ୍ରାଞ୍ଜାକ୍ସନ୍ ରେକର୍ଡ ହୋଇଛି। ଯେଉଁଥିରେ ୩୧.୫୩ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ଗତବର୍ଷ ଅକ୍ଟୋବର ତୁଳନାରେ ଟ୍ରାଞ୍ଜାକ୍ସନରେ ୨୩ ପ୍ରତିଶତ ଏବଂ କାରବାର ରାଶିରେ ୧୬ ପ୍ରତିଶତ ବୃଦ୍ଧି ପାଇଛି ।

Also Read: ନଭେମ୍ବରରେ ୫ ପରିବର୍ତ୍ତନ; ଟୋଲ୍ ପ୍ଲାଜା ନିକଟରେ ରହୁଥିବା ଲୋକଙ୍କୁ ମିଳିବ ସ୍ୱତନ୍ତ୍ର ପାସ୍, ସ୍ମାର୍ଟଫୋନ୍ରେ ଦେଖାଯିବ କଲର୍ଙ୍କ ପ୍ରକୃତ ନାଁ

ନବରାତ୍ରୀ, ଦଶହରା ଏବଂ ଦୀପାବଳି ପୂର୍ବରୁ ବଜାରରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ବିଭିନ୍ନ ଇ-କମର୍ସ ପ୍ଲାଟଫର୍ମରେ ଆରମ୍ଭ ହୋଇଥିବା ମେଗା ସେଲ୍ ଯୋଗୁଁ ଲୋକମାନେ ପୋଷାକ, ଇଲେକ୍ଟ୍ରୋନିକ୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ପାଇଁ ବହୁଳ ଭାବେ ୟୁପିଆଇ ବ୍ୟବହାର କରିଛନ୍ତି। କ୍ଷୁଦ୍ରରୁ ବୃହତ୍ ସମସ୍ତ ପ୍ରକାରର ଦେୟ ପାଇଁ ନାଗରିକମାନେ ନଗଦ ଟଙ୍କା ବଦଳରେ ଡିଜିଟାଲ୍ ମାଧ୍ୟମକୁ ଅଧିକ ପସନ୍ଦ କରୁଛନ୍ତି।