ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ(BCCI)ର ବଡ଼ ନିଷ୍ପତ୍ତି। ଏବେ ସେଣ୍ଟର ଅଫ ଏକ୍ସିଲେନ୍ସ(COE)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣ ଭାରତୀୟ ଦଳର ଚୟନ କମିଟି ବୈଠକରେ ରହିବେ ଉପସ୍ଥିତ। ବୁଧବାର ଏହାର ସୂଚନା ଦେଇଛନ୍ତି BCCI ସଚିବ ଦେବଜିତ ସାଇକିଆ। ଅନ୍ୟପଟେ ମୁଖ୍ୟ ଚୟନକର୍ତ୍ତା ଭାବେ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଆନୁଷ୍ଠାନିକ ଭାବେ ସମାପ୍ତ ହୋଇ ସାରିଛି।

BCCI ସଚିବ ଦେବଜିତ ସାଇକିଆ କହିଛନ୍ତି, ସେଣ୍ଟର ଅଫ ଏକ୍ସିଲେନ୍ସର ମୁଖ୍ୟ ଭିଭିଏସ ଲକ୍ଷ୍ମଣ ସିନିୟର ପୁରୁଷ ଜାତୀୟ ଚୟନ କମିଟି ବୈଠକରେ ସାମିଲ୍ ହେବା ଆଗକୁ ଏକ ନିୟମରେ ପରିଣତ ହୋଇଯିବ। ଏହି ନିଷ୍ପତ୍ତି ଗତ ମାସରେ ମୁମ୍ବାଇ ସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଏକ ବ୍ୟାପକ ସମୀକ୍ଷା ବୈଠକରେ ନିଆଯାଇଥିଲା।

Also Read: ୪ ବର୍ଷ ଯନ୍ତ୍ରଣା ସହିଲେ, ହେଲେ ଭାଙ୍ଗି ନ ଥିଲା ମନୋବଳ... ଅଗରକର ହଟିବା ପରେ ଚମକିଲା ଭୁବନେଶ୍ଵର କୁମାରଙ୍କ ଭାଗ୍ୟ

ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ନିଜର ଏକ୍ସ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଥିଲା। ଏଥିରେ ଗୌହାଟୀର ଏସିଏ ଷ୍ଟାଡିୟମରେ ଆୟୋଜିତ ଚୟନ କମିଟି ବୈଠକରେ ଲକ୍ଷ୍ମଣଙ୍କୁ ଦେଖିବାକୁ ମିଳିଥିଲା। ଏହି ମିଟିଂରେ ସଚିବ ସାଇକିଆଙ୍କ ବ୍ୟତୀତ ଚୟନ କମିଟିର ସଦସ୍ୟ ପ୍ରଜ୍ଞାନ ଓଝା, ଶିବସୁନ୍ଦର ଦାସ, ଅଜୟ ରାତ୍ରା ଓ ଆରପି ସିଂ ସାମିଲ୍ ଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଏବଂ ଇଣ୍ଡିଆ ଏ ଟିମର ରେଡ୍ ବଲ୍ ପାଇଁ ଏହି ବୈଠକ ବସିଥିଲା।

ସାଇକିଆ ବୁଧବାର କହିଛନ୍ତି, ଭିଭିଏସ ଲକ୍ଷ୍ଣଣ ମଙ୍ଗଳବାର ଅନୁଷ୍ଠିତ ମିଟିଂରେ ଏଥିପାଇଁ ଉପସ୍ଥିତ ଥିଲେ ଯଦ୍ଵାରା ଟିମ୍ ଚୟନ ସମୟରେ ଚୟନକର୍ତ୍ତା ଓ ସିଓଇ ମଧ୍ୟରେ କୌଣସି ପ୍ରକାରର ଭ୍ରାନ୍ତ ଧାରଣା ନ ରହୁ। ଲକ୍ଷ୍ମଣ ବିସିସିଆଇ ସିଓଇର ହେଡ୍ ଏବଂ ସେ ଏବେଠୁ ସିନିୟର ପୁରୁଷ ଟିମ୍ ଚୟନ ସମୟରେ ଉପସ୍ଥିତ ରହିବେ। କାରଣ କେଉଁ ଖେଳାଳି ଆହତ ଅଛନ୍ତି, କେଉଁ ଖେଳାଳି ରିହାବ ଦେଇ ଗତି କରୁଛନ୍ତି, କେଉଁ ଖେଳାଳି କେତେ ଫିଟ୍ ଅଛନ୍ତି, ଏସବୁର ରିପୋର୍ଟ ସିଇଓ ହେଡ୍ ଭାବେ ଲକ୍ଷ୍ମଣଙ୍କ ପାଖରେ ରହିଛି। ଫଳରେ ସେ ଖେଳାଳି ଚୟନ ସମୟରେ ମିଟିଂରେ ରହିଲେ ସଠିକ୍ ଏବଂ ସନ୍ତୁଳିତ ଦଳ ଚୟନ ହୋଇ ପାରିବ।

Also Read: IPL 2027 ପୂର୍ବରୁ ବଡ଼ ଘୋଷଣା, ଦିଲ୍ଲୀ କ୍ୟାପିଟାଲ୍ସର ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି

ଉଲ୍ଲେଖନୀୟ ବିସିସିଆଇ ଏହି ନିଷ୍ପତ୍ତି ଏଥିପାଇଁ ନେଇଛି କାରଣ ନିକଟ ଅତୀତରେ ଅନେକ ସିରିଜରେ ଦଳ ଚୟନ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ଦଳରେ ଖେଳାଳିଙ୍କ ଚୟନ ହୋଇଥିବ ହେଲେ ଉକ୍ତ ଖେଳାଳି ସଂପୂର୍ଣ୍ଣ ଫିଟ୍ ହୋଇ ନ ଥିବେ। ପୁଣି ପରବର୍ତ୍ତୀ ସମୟରେ ଉକ୍ତ ଖେଳାଳିଙ୍କ ସ୍ଥାନରେ ନୂଆ ଖେଳାଳି ଚୟନ କରିବାକୁ ପଡ଼ିଛି। ଟିମ୍ ଚୟନକୁ ନେଇ ବିସିସିଆଇ ଏବଂ ଚୟନକର୍ତ୍ତାଙ୍କ କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଫଳରେ ଏମିତି ସ୍ଥିତି ଏଡ଼ାଇବା ପାଇଁ ଏବେ ଭିଭିଏସ ଲକ୍ଷ୍ମଣ ଚୟନ କମିଟି ବୈଠକରେ ଉପସ୍ଥିତ ରହିବେ।