ନୂଆଦିଲ୍ଲୀ ୨୨।୧୧ : ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ପାଇଁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଅନୁପମ ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ, ଯିଏ ନିଜର ପ୍ରତ୍ୟେକ କଥାକୁ ଅତି ସ୍ପଷ୍ଟ ଓ ନିର୍ଭୀକ ଭାବେ କହିଥାନ୍ତି । ନିଜ କ୍ୟାରିୟରରେ ଅନୁପମ ୫୪୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ସେ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ଏବଂ ଆଇକନିକ୍ ଫିଲ୍ମ ଦେଇଛନ୍ତି । ଫିଲ୍ମରେ ମୋଟା ଅଙ୍କର ପାରିଶ୍ରମିକ ନେଉଥିବା ଅନୁପମ ଖେର ଆଜି ମଧ୍ୟ ମୁମ୍ବାଇରେ ଏକ ଭଡ଼ା ଘରେ ରହୁଛନ୍ତି । ବର୍ତ୍ତମାନ ଅନୁପମ ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ତଥା ସାଂସଦ କିରଣ ଖେରଙ୍କ ନେଟୱର୍ଥକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ, ଉଭୟ ୪୦୦ରୁ ୫୦୦ କୋଟି ଟଙ୍କାର ମାଲିକ । ଏଭଳି ସ୍ଥିତିରେ ଏବେ ନିଜେ ଅଭିନେତା ଏହି ଖବର ଉପରେ ନିଜର ନୀରବତା ଭାଙ୍ଗିଛନ୍ତି । ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ , ସେ ଯେଉଁ ଗୋଟିଏ ଘର କିଣି ଥିଲେ, ତାକୁ ମଧ୍ୟ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବିକ୍ରି କରି ଦେଇଛନ୍ତି ।

୭୧ ବର୍ଷୀୟ ଅନୁପମ ଖେର ବର୍ତ୍ତମାନ 'ରାମାୟଣ'ରେ ଜଟାୟୁଙ୍କ ସ୍ୱର ହେବାକୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି କ୍ରମରେ ଅନୁପମ ନିକଟରେ 'ଦ ଅନଫିଲଟର୍ଡ ଆୱାର'କୁ ଏକ ସାକ୍ଷାତକାର ଦେଇଥିଲେ । ଏହି ସାକ୍ଷାତକାରରେ ଅନୁପମ କହିଥିଲେ - ସେ ନିଜ ଘର କିଣିବା ବଦଳରେ ଭଡ଼ା ଘରେ ରହିବାକୁ ଅଧିକ ପସନ୍ଦ କରନ୍ତି, କାରଣ ଏହାଦ୍ୱାରା ତାଙ୍କୁ ମାନସିକ ଶାନ୍ତି ମିଳିଥାଏ । ଅନୁପମ କହିଛନ୍ତି, ମୁଁ ଯେଉଁଦିନ ନିଜ ଘର ବଦଳରେ ଭଡ଼ା ଆପାର୍ଟମେଣ୍ଟରେ ରହିବାକୁ ନିଷ୍ପତ୍ତି ନେଲି, ସେହିଦିନ ଠାରୁ ନିଜକୁ ମୁକ୍ତ କରିଦେଲି । ଏହି ନିଷ୍ପତ୍ତି ମୁଁ ୧୦ ବର୍ଷ ପୂର୍ବେ ନେଇ ଥିଲି । ମୋତେ ସମ୍ପତ୍ତି ସହ ଜଡ଼ିତ କୌଣସି ପ୍ରକାରର ଚାପ ବା ଟେନସନ୍ ନାହିଁ । ମୁଁ କେବଳ ଶିମଲାରେ ମୋ ମାଆଙ୍କ ପାଇଁ ଗୋଟିଏ ଘର କିଣି ଥିଲି । ମୁଁ ଏବଂ ମୋ ଭାଇ ଉଭୟ ଭଡ଼ା ଆପାର୍ଟମେଣ୍ଟରେ ରହୁଛୁ ଏବଂ ଆମେ ଏଥିରେ ବହୁତ ଖୁସି ଅଛୁ ।

ଏହି ସାକ୍ଷାତକାରରେ ଅନୁପମ ଖେର ମନେପକାଇ ଥିଲେ ଯେ , କିପରି ସେ ମୁମ୍ବାଇରେ ଗୋଟିଏ ଘର କିଣିଥିଲେ ଏବଂ ପରେ ନିଜର ସେହି ପୁରୁଣା ଘରକୁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ବିକ୍ରି କରି ଦେଇଥିଲେ । ଏହା ସେହି ସମୟର କଥା ଯେତେବେଳେ ତାଙ୍କ ପତ୍ନୀ କିରଣ ଖେର ସାଂସଦ ହୋଇଥିଲେ ଏବଂ ଚଣ୍ଡିଗଡ଼ ଚାଲି ଯାଇ ଥିଲେ । ଅନୁପମ କହିଛନ୍ତି, ଯେତେବେଳେ ଆପଣଙ୍କ ପାଖରେ କୌଣସି ସମ୍ପତ୍ତି ନଥାଏ, ସେତେବେଳେ ଆପଣଙ୍କୁ ଲାଗେ ଯେପରି ଆପଣ ଦୁନିଆର ସବୁଠାରୁ ଉଚ୍ଚ ବ୍ୟକ୍ତି । ଆପଣଙ୍କ ଉପରେ କୌଣସି ଚାପ ନଥାଏ । ଏହା ପୂର୍ବରୁ ଯେତେବେଳେ ମୋ ପାଖରେ ନିଜର ଘର ଥିଲା, ମୁଁ ତାହାକୁ ଆଲିଆ ଭଟ୍ଟଙ୍କୁ ବିକ୍ରି କରି ଦେଲି । ଏହାପରେ ଆମେ ଅନ୍ୟ ଏକ ଘରକୁ ସିଫ୍ଟ ହୋଇ ଗଲୁ । ସେହି ସମୟରେ କିରଣ ସାଂସଦ ହୋଇଗଲେ, ତେଣୁ ସେ ଚଣ୍ଡିଗଡ଼ ଚାଲିଗଲେ। ମୁଁ ଏକ ଘର ଖୋଜୁ ଥିଲି, ଠିକ୍ ସେହି ସମୟରେ ମୋତେ ଅନୁଭବ ହେଲା ଯେ ମୁଁ ଭଡ଼ା ଆପାର୍ଟମେଣ୍ଟରେ ହିଁ ରହି ପାରିବି । ଏହି ସମୟରେ ଅନୁପମ ବ୍ୟଙ୍ଗ କରି କହିଥିଲେ ଯେ ତାଙ୍କ ପାଖରେ କୁହାଯାଉଥିବା ସମ୍ପତ୍ତିର ୧୦ ପ୍ରତିଶତ ମଧ୍ୟ ନାହିଁ ।

ଅନୁପମ ଖେର ଗୁଗଲରେ ନିଜ ନେଟ୍ ୱର୍ଥର ଭୁଲ୍ ତଥ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କହିଛନ୍ତି , ଏସବୁ କେବଳ 'ଭୁଲ୍ ଧାରଣା' । ଏହି ଖବରଗୁଡ଼ିକୁ ଦେଖି ଲୋକଙ୍କୁ ଲାଗେ ଯେ ମୁଁ ବହୁତ ଧନୀ । ଯଦି ଆପଣ ମୋର ନେଟ୍ ୱର୍ଥ ଗୁଗଲରେ ସର୍ଚ୍ଚ କରିବେ, ତେବେ ଆଶ୍ଚର୍ଯ୍ୟ ହୋଇଯିବେ। ବେଳେବେଳେ ତ ମୋର ମନେହୁଏ ଯେ ଗୁଗଲ୍ ଉପରେ ହିଁ କେସ୍ କରିଦେବି । ମୋ ପାଖରେ ୪୦୦-୫୦୦ କୋଟି ଟଙ୍କାର ୧୦ ପ୍ରତିଶତ ମଧ୍ୟ ନାହିଁ । ମୋ ସାଙ୍ଗମାନେ ଇଣ୍ଟରନେଟରେ ଏସବୁ ପଢ଼ନ୍ତି ଏବଂ ମୋତେ ମଜାରେ କୁହନ୍ତି ଯେ ଏହି ଟଙ୍କାରୁ ସେମାନଙ୍କୁ ମଧ୍ୟ କିଛି ପଠାଇ ଦେବାକୁ ।

ଅନୁପମ ଖେରଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ ଯଦି କହିବା ତ, ତାଙ୍କ ପାଖରେ ବର୍ତ୍ତମାନ ୬ଟି ଫିଲ୍ମ ରହିଛି । ସେ ଖୁବ୍ ଶୀଘ୍ର ସୂରଜ ବଡ଼ଜାତ୍ୟାଙ୍କ ଫିଲ୍ମ 'ୟେ ପ୍ରେମ୍ ମୋଲ୍ ଲିୟା ହୈ'ରେ ନଜର ଆସିବେ, ଯାହା ଚଳିତ ମାସ ୨୭ ନଭେମ୍ବର, ୨୦୨୬ରେ ରିଲିଜ୍ ହେବ । ଏହା ବ୍ୟତୀତ ସେ ରାମ ବାମସୀ କୃଷ୍ଣାଙ୍କ ତେଲୁଗୁ ଫିଲ୍ମ 'ଦ ଇଣ୍ଡିଆ ହାଉସ୍', 'ଖୋସଲା କା ଘୋସଲା ୨', ଆସନ୍ତା ବର୍ଷ ପ୍ରଭାସଙ୍କ ସହ 'ଫୌଜୀ', 'ଶ୍ରୀ ରାମ ଭୂମି' ଏବଂ ଏକ ବଙ୍ଗାଳୀ ଫିଲ୍ମ 'ଶୁରୁ ଥେକେ ଶୁରୁ'ରେ ନଜର ଆସିବାକୁ ଯାଉଛନ୍ତି ।