ଭୁବନେଶ୍ୱର : ରାଜଧାନୀର ପବ୍ରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ରୋମିଓ ଲେନ୍ରେ ଯୁବତୀଙ୍କୁ ଅସଦାଚରଣ ଓ ହଇରାଣ ଅଭିଯୋଗ। ଏହାକୁ ବିରୋଧ କରିବାରୁ ଉତ୍ପାତ ମଚାଇଲେ ଯୁବକଙ୍କ ଗୋଷ୍ଠୀ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଘଟଣା ସମୟରେ ଉପସ୍ଥିତ ବାଉନ୍ସର ଓ ମ୍ୟାନେଜମେଣ୍ଟ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ପୂରା ଘଟଣା ସଂପର୍କରେ ସୋସିଆଲମିଡିଆରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଟେଲି ଅଭିନେତ୍ରୀ ସୋମାଲିନ ପରିଡ଼ା।

ସୋମାଲିନଙ୍କ ଅଭିଯୋଗ ଅନୁଯୟୀ, ଶନିବାର ରାତିରେ ସେ ନିଜ ବନ୍ଧୁଙ୍କ ସହ ରୋମିଓ ଲେନ୍ ପବ୍ ଯାଇଥିଲେ। ସେଠାରେ ଏକ ଗ୍ରୁପ୍ ଯୁବକ ତାଙ୍କୁ ହଇରାଣ ଓ ଅସଦାଚରଣ କରିଥିଲେ। ସୋମାଲିନ୍ ଯୁବକଙ୍କ ଅଶାଳୀନ ବ୍ୟବହାରକୁ ବିରୋଧ କରିବାରୁ ବଢ଼ିଥିଲା ବିବାଦ। ସ୍ଥିତି ଅଧିକ ଖରାପ ହୋଇଥିଲା। ଘଟଣା ସମୟରେ ଉପସ୍ଥିତ ବାଉନ୍ସର ଓ ମ୍ୟାନେଜମେଣ୍ଟ ହସ୍ତକ୍ଷେପ କରିନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଥାନାରେ FIR ଦାଏର ହୋଇଥିବା ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଯୁବକଙ୍କ ସହ ସମ୍ପୃକ୍ତ ମ୍ୟାନେଜମେଣ୍ଟ ବିରୋଧରେ ମଧ୍ୟ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଘଟଣା ପରେ ରାଜଧାନୀର ପବ୍ ଓ ମନୋରଞ୍ଜନ ସ୍ଥଳୀରେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। କାରଣ ମନୋରଞ୍ଜନ ପାଇଁ ଲୋକେ ପବ୍କୁ ଯାଉଛନ୍ତି, ହେଲେ ସେଠାରେ ଯଦି ମହିଳାଙ୍କ ସୁରକ୍ଷା ହିଁ ବିପଦରେ ପଡ଼ିବ, ତେବେ ଦାୟିତ୍ୱ କାହାର? ଅସଦାଚରଣକୁ ବିରୋଧ କରିବା ପରେ ଯଦି ଜଣେ ଯୁବତୀଙ୍କୁ ହଇରାଣ ହେବାକୁ ପଡ଼େ, ତେବେ ବାଉନ୍ସର ଓ ମ୍ୟାନେଜମେଣ୍ଟଙ୍କ ଭୂମିକା ନିଶ୍ଚିତ ଭାବେ ତଦନ୍ତର ପରିସରକୁ ଆସିବା ଦରକାର। ଏବେ ଅଭିଯୋଗ ଆଧାରରେ ପୋଲିସର ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର।

Also Read- ଅଭିଯୋଗ ଆସିଲା, ତଦନ୍ତ ହେବ; ବିଜେଡିକୁ ଭୟଭୀତ ହେବାରେ କଣ ଅଛି: ମନମୋହନ