ନୂଆଦିଲ୍ଲୀ: ଭୁବନେଶ୍ଵର କୁମାର, ଏମିତି ଜଣେ ଖେଳାଳି ଯାହାଙ୍କ ପ୍ରତ୍ୟାବର୍ତ୍ତନର କାହାଣୀ ସେହି ଖେଳାଳିଙ୍କ ତାଲିକାରେ ସାମିଲ୍ ହୋଇଗଲା, ଯେଉଁମାନେ ଶବ୍ଦରେ ନୁହେଁ ପ୍ରଦର୍ଶନରେ ଜବାବ ଦେଇଛନ୍ତି। ୨୦୨୨ରେ ଦଳରୁ ବାଦ୍ ପଡ଼ିବା ପରେ ଲାଗୁଥିଲା ଭୁବନେଶ୍ଵର କୁମାରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ସମାପ୍ତ ହୋଇ ଯାଇଛି। ମାତ୍ର ଚାରି ବର୍ଷ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରି ସମସ୍ତ ଧାରଣାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଏହି ସୁଇଙ୍ଗ ବୋଲର।

ବଡ଼ କଥା ଯେଉଁ ବିଷୟକୁ ତାଙ୍କର ଦୁର୍ବଳତା କୁହାଯାଉଥିଲା, ତାହା ଏବେ ତାଙ୍କ ପ୍ରତ୍ୟାବର୍ତ୍ତନର ସବୁଠୁ ବଡ଼ କାରଣ ପାଲଟିଛି। ୩୬ ବର୍ଷୀୟ ଭୁବନେଶ୍ଵର କୁମାର ଆଜି ବି ବଲକୁ ଉଭୟ ଦିଗକୁ ସୁଇଙ୍ଗ କରିବାରେ ମାହିର। ଗତି ଅବଶ୍ୟ ହ୍ରାସ ପାଇଛି ହେଲେ ବଲକୁ ସଠିକ ଜାଗାରେ ପକାଇ ଶେଷ ମୁହୂର୍ତ୍ତରେ ସୁଇଙ୍ଗ କରିବାର କ୍ଷମତା ଆଜି ମଧ୍ୟ ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Also Read: ଅନ୍ତର୍ଜାତୀୟ କ୍ୟାରିଅରରେ 'ଦି ଏଣ୍ଡ୍' : କାନ୍ଦି କାନ୍ଦି ବିଦାୟ ନେଲେ ଆର୍ଜେଣ୍ଟିନା ଷ୍ଟାର୍ ଲିଓନେଲ୍ ମେସି

ଆଉଟ୍ ସୁଇଙ୍ଗ ଭୁବନେଶ୍ଵରଙ୍କ ସବୁଠୁ ବଡ଼ ଶକ୍ତି

ଭୁବନେଶ୍ଵର କୁମାରଙ୍କ ସବୁଠୁ ବଡ଼ ଶକ୍ତି ହେଉଛି ଆଉଟ ସୁଇଙ୍ଗ। ଏହା ବ୍ୟତୀତ ତାଙ୍କର ଅଚାନକ ଇନ ସୁଇଙ୍ଗ ବୋଲିଂ ବ୍ୟାଟରଙ୍କୁ ସଂପୂର୍ଣ୍ଣ ଭାବେ ଚକମା ଦେଇଥାଏ। ଏହି କାରଣରୁ ଭୁବନେଶ୍ଵର କୁମାରଙ୍କୁ କେବଳ ମାତ୍ର ଜଣେ ଦ୍ରୁତ ବୋଲର କହିବା ତାଙ୍କର ଦକ୍ଷତା ଏବଂ ସାମର୍ଥ୍ୟ ପ୍ରତି ଅପମାନ ହେବ। ସେ ବର୍ଷ ବର୍ଷ ଧରି ବଲକୁ ପବନରେ ମୁଭ କରିବାର ଏମିତି କଳା ବିକଶିତ କରିଛନ୍ତି, ଯାହାକୁ ରାତାରାତି ହାସଲ କରାଯାଇ ପାରିବ ନାହିଁ।

ଟି-୨୦ ବିଶ୍ଵକପରେ ନିରାଶଜନକ ପ୍ରଦର୍ଶନ

୨୦୨୨ ଟି-୨୦ ବିଶ୍ଵକପର ସେମି ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭୁବନେଶ୍ଵର କୁମାର ଆଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲେ। ଭୁବନେଶ୍ଵରଙ୍କ ବୋଲିଂରେ ପୂର୍ବପରି ଗତି ଏବଂ ସୁଇଙ୍ଗ ନଜର ଆସି ନ ଥିଲା। ଏହା ପରେ ନ୍ୟୁଜିଲାଣ୍ଡ ଗସ୍ତରେ ତାଙ୍କର ପ୍ରଦର୍ଶନ ଏବଂ ଲୟକୁ ନେଇ ପ୍ରଶ୍ନ ଉଠିଥିଲା। ଅନ୍ୟପଟେ ଭାରତୀୟ ଦଳରେ ଯୁବ ଏବଂ ଦ୍ରୁତ ବୋଲରଙ୍କୁ ଗୁରୁତ୍ଵ ମିଳିବାରେ ଲାଗିଲା। ଭୁବନେଶ୍ଵର କୁମାର ଧିରେ ଧିରେ ଚୟନକର୍ତ୍ତାଙ୍କ ଯୋଜନାରୁ ବାହାର ହୋଇଗଲେ। ସେହି ସମୟରେ ବୋଧହୁଏ କେହି ଭାବି ପାରି ନ ଥିବେ ଯେ, ୩୬ ବର୍ଷ ବୟସରେ ସେ ପୁନର୍ବାର ଭାରତୀୟ ଜର୍ସି ପିନ୍ଧିବେ।

Also Read: ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ଶତକ ହାସଲ କରି ଏଲିଟ୍ ଗ୍ରୁପରେ ସାମିଲ୍ ହେଲେ ଶ୍ରେୟସ ଆୟର

IPL ଦେଲା ପ୍ରତ୍ୟାବର୍ତ୍ତନର ରାସ୍ତା

ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନର ସବୁଠୁ ବଡ଼ କାରଣ ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ପ୍ରଦର୍ଶନ। ୨୦୨୫ ଏବଂ ୨୦୨୬ ସିଜିନକୁ ମିଶାଇ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ପାଇଁ ୪୫ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଦଳରେ ବିରାଟ କୋହଲି, ରଜତ ପାଟିଦାର  ଓ କୃଣାଲ ପାଣ୍ଡ୍ୟାଙ୍କ ପରି ଖେଳାଳିଙ୍କ ବ୍ୟାଟିଂର ଚର୍ଚ୍ଚା ଖୁବ୍ ହେଲା। ମାତ୍ର ବୋଲିଂରେ ଭୁବନେଶ୍ଵର କୁମାର ନିଜର କାମ ଚୁପଚାପ କରି ଚାଲିଥିଲେ। ନୂଆ ବଲରେ ସୁଇଙ୍ଗ, ସଠିକ ଲାଇନ ଲେଙ୍ଗଥ୍ ଏବଂ ଚାପ ସ୍ଥିତିରେ ଅନୁଭବ ହିଁ ତାଙ୍କୁ ଆରସିବି ପାଇଁ ଉପଯୋଗୀ ଖେଳାଳି କରିଥିଲା। ସେ ନିଜ ବୋଲିଂରେ ଏହି ସନ୍ଦେଶ ଦେଇଛନ୍ତି ଯେ, ବଲର ଗତି କମିବାର ଅର୍ଥ ନୁହେଁ ଯେ, ଜଣେ ବୋଲରଙ୍କ ପ୍ରଭାବ ସମାପ୍ତ ହୋଇଗଲା।

ଅଗରକର ହଟିଲେ, ଦଳକୁ ଫେରିଲେ ଭୁବି

ଅଜିତ ଅଗରକର ଦଳର ମୁଖ୍ୟ ଚୟନକର୍ତ୍ତା ହେବା ପରେ ସେ ଟିମ୍ ଇଣ୍ଡିଆର ଭବିଷ୍ୟତକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେବାରେ ଲାଗିଲେ। ବିଶେଷ କରି ଅଗରକର ବରିଷ୍ଠ ଖେଳାଳିଙ୍କୁ ସର୍ବଦା ଅଣଦେଖା କରି ଯୁବ ଖେଳାଳିଙ୍କ ଉପରେ ଗୁରୁତ୍ଵ ଦେଇ ଚାଲିଲେ। ତଥାପି ଅନେକ ଭାବିଥିଲେ ଯେ, ଭୁବନେଶ୍ଵର କୁମାର ନିଜର ଅନୁଭବ କାରଣରୁ ପୁନର୍ବାର ଦଳକୁ ଫେରି ପାରନ୍ତି। ମାତ୍ର ଅଗରକରଙ୍କ ନେତୃତ୍ଵାଧୀନ ଚୟନକର୍ତ୍ତା ଭିନ୍ନ ଦିଗରେ ଚାଲିଲେ। ଏବେ ଅଗରକର ହଟିବା ମାତ୍ରେ ଭୁବନେଶ୍ଵର କୁମାରଙ୍କ ଭାଗ୍ୟ ଚମକକିଛି।

Also Read: ଭାରତୀୟ ମହିଳା କ୍ରିକେଟ ଦଳକୁ ମିଳିଲେ ନୂଆ କ୍ୟାପ୍ଟେନ୍‌, ହରମନପ୍ରୀତଙ୍କ ସ୍ଥାନ ନେଲେ ସ୍ମୃତି ମନ୍ଧାନା

ବୟାନ ନୁହେଁ କାମରେ କରି ଦେଖାଇଲେ ଭୁବନେଶ୍ଵର

ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନର ସବୁଠୁ ବଡ଼ ଖାସ୍ କଥା ହେଲା, ସେ ଦଳରୁ ବାହାରିବା ପରେ କୌଣସି ବଡ଼ ବୟାନ ଦେଇ ନ ଥିଲେ। ସେ ଚୟନକର୍ତ୍ତାଙ୍କ ଉପରେ ପ୍ରଶ୍ନ ଉଠାଇବା କିମ୍ବା ନିଜ ସ୍ଥିତିକୁ ନେଇ ଅଭିଯୋଗ କରି ନ ଥିଲେ। ବରଂ ସେ ନିଜର ବୋଲିଂ ଉପରେ କଠିନ ପରିଶ୍ରମ କରିବା ଜାରି ରଖିଥିଲେ। ଉତ୍ତର ପ୍ରଦେଶ ପାଇଁ ସୀମିତ ଓଭର କ୍ରିକେଟ୍ ଖେଳିବା ସହ ଯୁବ ବୋଲରଙ୍କ ସହ ନିଜର ଅଭିଜ୍ଞତା ଓ ଅନୁଭୂତି ବାଣ୍ଟି ଚାଲିଲେ। ଏହା ପରେ ଆଇପିଏଲରେ ନିରନ୍ତର ପ୍ରଭାବଶାଳୀ ପ୍ରଦର୍ଶନ କରି ଚାଲିଲେ। ଆଉ ପୁରସ୍କାର ସ୍ଵରୂପ ଭୁବନେଶ୍ଵରଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ସେ ପ୍ରମାଣ କରି ଦେଲେ ଖେଳରେ ବୟସ ମାତ୍ର ଏକ ସଂଖ୍ୟା, ଯଦି ନିରନ୍ତର ପ୍ରଦର୍ଶନ କରିବ ତେବେ ଫଳ ନିଶ୍ଚୟ ମିଳିବ।

ଏବେ ଶାମିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ?

ଭୁବନେଶ୍ଵର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଏବେ ଭାରତୀୟ କ୍ରିକେଟରେ ଏକ ରୋଚକ ଚର୍ଚ୍ଚାକୁ ଜନ୍ମ ଦେଇଛି। ଜଣେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇର ଅଧିକାରୀ ମଜାଳିଆ ଢଙ୍ଗରେ ପିଟିଆଇକୁ କହିଛନ୍ତି ଯେ, ଯଦି ଭୁବନେଶ୍ଵର ଆସିଗଲେ ତେବେ ମହମ୍ମଦ ଶାମି ଦଳରୁ ଦୂରରେ କେମିତି ରହି ପାରିବେ ?