ନୂଆଦିଲ୍ଲୀ୨୩ /୦୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଏବେ ସାରା ବିଶ୍ୱ ସଙ୍କଟରେ । ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନର ବନ୍ଦର-ଏ-ଅଞ୍ଜାଲି ନିକଟରେ ହୋଇଛି ଆକ୍ରମଣ । ଏହି କରିଡର ମୁମ୍ବାଇ ଏବଂ ସେଣ୍ଟ ପିଟର୍ସବର୍ଗକୁ ଯୋଡ଼ିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଭଳି ଆକ୍ରମଣ ଯୋଗୁ ଭାରତ-ରୁଷର ୨୦୩୦ ସୁଦ୍ଧା ୧୦୦ ବିଲିୟନ ଡଲାର ଦ୍ୱିପାକ୍ଷିକ କାରବାର ଲକ୍ଷ୍ୟକୁ ଝଟକା ଦେଇଥିବା ବିଶେଷଜ୍ଞ କହିଛନ୍ତି ।

ସୁଏଜ କେନାଲକୁ ବାଏପାସ୍

,୨୦୦ କିମି ବିଶିଷ୍ଟ ମଲ୍ଟି ମୋଡାଲ ଇଣ୍ଟରନ୍ୟାଶନାଲ ନର୍ଥ ସାଉଥ ଟ୍ରାନ୍ସପୋର୍ଟ କରିଡର (ଆଇଏନଏସଟିସି) ଭାୟା ଇରାନ ଦେଇ ମୁମ୍ବାଇ-ସେଣ୍ଟ ପିଟର୍ସବର୍ଗକୁ ଯୋଡିଥାଏ । ଏହା ଦ୍ୱାରା ସୁଏଜ କେନାଲକୁ ବାଏପାସ୍ କରି ଏସିଆ ଏବଂ ୟୁରୋପ ମଧ୍ୟରେ କାରବାରକୁ ତ୍ୱରାନ୍ୱିତ କରିଥାଏ । ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ଯୋଗୁ କାସ୍ପିଆନ ସାଗର ଉପକୂଳରେ ଥିବା ବନ୍ଦର ଏ ଅଞ୍ଜାଲିର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନଷ୍ଟ ହୋଇଯାଇଛି । ଏହା ମଧ୍ୟରେ କଷ୍ଟମସ ହାଉସ ଏବଂ ଅନ୍ୟ ପ୍ରମୁଖ ଭିତ୍ତିଭୂମି ସାମିଲ ରହିଛି ।

Also Read :- ନାଁକୁ ମାତ୍ର ସୁପ୍ରିମ୍ ଲିଡର, ମୋଜତବାଙ୍କ ହାତରେ ନାହିଁ କ୍ଷମତା : ଇରାନରେ ସବୁ ବୁଝୁଛି IRGC

ସୁରକ୍ଷିତ ରୁଟ୍ ଏବେ ବିପଦପୂର୍ଣ୍ଣ

ମସ୍କୋ ଷ୍ଟେଟ୍ ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ ଅଫ୍ ଏସିଆନ ଆଣ୍ଡ୍ ଆଫ୍ରିକାନ ଷ୍ଟଡିଜ୍ ପ୍ରଫେସର ରେନତ କାରାମୋରଜୋଭ କହିଛନ୍ତି,ସୁଏଜ କେନାଲକୁ ବାଇପାସ କରୁଥିବା ଏହି ରୁଟକୁ ଏକ ସୁରକ୍ଷିତ ରୁଟ୍ ଭାବେ ବିବେଚନା କରାଯାଇଥାଏ । ମାତ୍ର ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ଯୋଗୁ ଏହା ବିପଦପୂର୍ଣ୍ଣ ହୋଇଯାଇଛି । ଏହି ରୁଟରେ ଯାଉଥିବା ଜାହାଜ ଗୁଡ଼ିକ ଲାଗି ଉଭୟ ବୀମା ଏବଂ ଭଡ଼ାରେ ବୃହତ ବୃଦ୍ଧି ହୋଇଛି । ଫଳରେ ରୁଷ ସହ ଦ୍ୱିପାକ୍ଷିକ କାରବାର କରୁଥିବା ଦେଶ ଗୁଡ଼ିକ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଇଛି ।

ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ

ଭାରତ ସହ ଦ୍ୱିପାକ୍ଷିକ କାରବାର କ୍ଷେତ୍ରରେ ଏହି କରିଡର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ଦ୍ୱାରା ପରିବହନ ସମୟ ୨୫ରୁ ୩୦ ଦିନ ଯାଏ ହ୍ରାସ ହୋଇଥାଏ ବୋଲି ରୁଷର ରାଜନୈତିକ ବିଶେଷଜ୍ଞ ସର୍ଗେଇ ଷ୍ଟ୍ରୋକେନ ଏକ ଟିଭି ସାକ୍ଷାତକାରରେ କହିଛନ୍ତି । ଅନ୍ୟ ପଟେ ରୁଷର ଉପ ପ୍ରଧାନମନ୍ତ୍ରୀ ଭିଟାଲି ସେଭେଲିଏଲ କହିଛନ୍ତି,୨୦୨୫ ସୁଦ୍ଧା କାସ୍ପିଆନ ସାଗର ଦେଇ ୭.୫ ନିୟୁତ ଟନ୍ କାର୍ଗୋ ପରିବହନ ହେବା ଆକଳନ କରାଯାଇଛି । ଆମେରିକା ଏବଂ ଇରାନ ଯୁଦ୍ଧ ଏବେ ଥମିବା ନେଇ ଦେଖାଯାଉନାହିଁ । ଏଥିଯୋଗୁ ମାଲ୍ ପରିବହନ ଲାଗି ସୁରକ୍ଷିତ ପଥ ଉପରେ ଆମଦାନୀକାରି ଭରଷା କରୁଛନ୍ତି । ଉଭୟ ବୀମା ଏବଂ ମାଲ୍ ପରିବହନ ଖର୍ଚ୍ଚ ବଢ଼ିବା ଯୋଗୁ ଏହା ଚିନ୍ତାର କାରଣ ପାଲଟିଛି । ଆମେରିକାର ଏଭଳି ଆକ୍ରମଣ ନିଶ୍ଚିତ ପକ୍ଷେ ଦ୍ୱିପାକ୍ଷିକ କାରବାରକୁ ବଡ ମାତ୍ରାରେ ପ୍ରଭାବିତ କରିବ ବୋଲି ଆଶଙ୍କା ରହିଛି ।

ସେହିଭଳି ଆମେରିକା ଆକ୍ରମଣର ବିରୋଧ କରି ଇରାନ ଷ୍ଟ୍ରେଟ ଅଫ୍ ହୋର୍ମୁଜ ଜଳପଥ ଉପରେ କଟକଣା ଲଗାଇଛି । ସାରା ବିଶ୍ୱର ତୈଳ ଏବଂ ଗ୍ୟାସ ପରିବହନ କ୍ଷେତ୍ର୍ରରେ ଏହି ରୁଟ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହାଦ୍ୱାରା ବିଶ୍ୱ ଅର୍ଥନୀତି ଏକ ସଙ୍କଟ ସମୟ ଦେଇ ଗତି କରୁଛି ।