ଭୁବନେଶ୍ଵର: ବାଲିଅନ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହାକୁ ନେଇ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିଲାଣି। ବିରୋଧୀ ସରକାରଙ୍କଠୁ ଜବାବ ଲୋଡ଼ିଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ସରକାର ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। ଏହି ସବୁ ମଧ୍ୟରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ଭିଡ଼ ହତ୍ୟା ବା ମବ୍ ଲିଞ୍ଚିଙ୍ଗ୍ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଲିଅନ୍ତା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଘଟଣା ସମ୍ପର୍କରେ ସବିସ୍ତୃତ ଆଲୋଚନା କରିବା ପରେ କ୍ରାଇମବ୍ରାଞ୍ଚ ଦ୍ୱାରା ଏହି ଘଟଣାର ସଠିକ୍ ଓ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକ ସତର୍କ ଓ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି । ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Also  Read: ଆସନ୍ତା ତିଥିରେ ହୋଇଥାନ୍ତା ସୌମ୍ୟଙ୍କ ବାହାଘର, ବେଦିକୁ ଯିବା ବଦଳରେ ମଶାଣିକୁ ଗଲେ

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ଵତ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଆର.ପି. କୋଚ୍ଚେ, ଅତିରିକ୍ତ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ଏ.ଡି.ଜି କ୍ରାଇମବ୍ରାଞ୍ଚ୍ ବିନୟତୋଷ ମିଶ୍ର, ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ଏବଂ ଡ଼ି.ସି.ପି ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।

ପୋଲିସର ତଦନ୍ତ ଜାରି

ବାଲିଅନ୍ତା ପୋଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ସିସିଟିଭି ଫୁଟେଜ୍ ଏବଂ ସୋସିଆଲ ମିଡିଆ ଭିଡିଓ ଆଧାରରେ ୧୧ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା, ତାହାର ଗୁମର ଏବେ କ୍ରାଇମ୍ବ୍ରାଞ୍ଚ ଖୋଲିବ।

Also Read: ଓଡ଼ିଶାରେ ଶାସନ ଓ ସରକାର ନାହିଁ, ବିଜେପି ସରକାରକୁ ଆସିବା ପରେ ହିଂସା ବଢିଛି: ବିଜେଡି