ମାଲକାନଗିରି: ପଲ୍ଲୀରୁ ଦିଲ୍ଲୀ ଗ୍ୟାସ୍ ତାତି । ଯୁଦ୍ଧ ପ୍ରଭାବରେ ହାଟରୁ ହାଣ୍ଡିଶାଳରେ ତାଲା । ହୋଟେଲରେ ଜଳୁନି ଚୁଲି । ତେବେ ଏହାକୁ ନେଇ ବଢିଛି ଚିନ୍ତା । କଂଗ୍ରେସ ସମସ୍ୟା ସମାଧାନ ଲାଗି ବଢିଛି ଅଣ୍ଟା । ଧାନ ମଣ୍ଡି ସମସ୍ୟା ଓ ରନ୍ଧନ ଗ୍ୟାସ ଅଭାବକୁ ନେଇ ଆଜି ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ଫଳରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଆଜ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିବା ସହ ଯାନ ବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ଆନ୍ଦୋଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଗତ ଦୁଇ ମାସର ଅଧିକ ସମୟ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ବସ୍ତା ପଡି ରହିଛି । ଚାଷୀଙ୍କୁ ଟୋକେନ ମିଳିଛି ହେଲେ ଧାନ ଉଠାଉ ନାହାନ୍ତି ସରକାର । କାଳବୈଶାଖି ବର୍ଷା ଯୋଗୁଁ ମଣ୍ଡିରେ ପାଣି ଜମିବା ସହ ଧାନ ସବୁ ଗଜା ହେବାକୁ ଲାଗିଛି । ଚାଷୀ ମାନେ ବାରମ୍ବାର ଚେତାବନୀ ଦେବା ପରେ ମଧ୍ୟ ପ୍ରଶାସନ ଧାନ ନ କିଣିବାରୁ ଶେଷରେ ଏହି ଏହି ଆନ୍ଦୋଳନ ଆରମ୍ଭ ହୋଇଛି ।

​​​​​​​also read...Ratnabhandar Open: ମହାପ୍ରଭୁଙ୍କ କେତେ ଅଳଙ୍କାର ରହିଛି ? ୪୮ ବର୍ଷ ପରେ ହେବ ଗଣନା

ସେପଟେ ମାଲକାନଗିରି ଜିଲ୍ଲାରେ ରନ୍ଧନ ଗ୍ୟାସର ମଧ୍ୟ ଘୋର ସଂକଟ ଦେଖିବାକୁ ମିଳିଛି । ଗାଁ ଲୋକଙ୍କୁ ଠିକ ଭାବେ LPG ମିଳୁନଥିବା ବେଳେ ସହର ଲୋକଙ୍କୁ ଗ୍ୟାସ ସିଲିଣ୍ଡର ପାଇଁ ଲମ୍ବା ଲାଇନ୍ ଲଗାବାକୁ ପଡୁଛି । ଧାନ ଓ ଗ୍ୟାସ ସମସ୍ୟାକୁ ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ ଆଜି ଏହି ବନ୍ଦ ଡାକରା ଦେଇଛି ।

​​​​​​​