ସମ୍ବଲପୁର ୨୦।୯: ଅନଲାଇନ୍ ବେଟିଂ ଆପ୍ ରାକେଟ୍ର ପର୍ଦ୍ଦାଫାସ୍। ୩ ଅଭିଯୁକ୍ତ ଗିରଫ। ୭୮ଟି ଏଟିଏମ୍ କାର୍ଡ ସହ ବିପୁଳ ସାମଗ୍ରୀ ଜବତ। ଅନଲାଇନ୍ ବେଟିଂ ଜରିଆରେ ଅଧିକ ଟଙ୍କା ପାଇବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ରାକେଟ୍ର ପର୍ଦ୍ଦାଫାସ୍ କରିଛି ଗଞ୍ଜାମ ସାଇବର ପୋଲିସ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯିବା ସହ ଡିଜିଟାଲ୍ ଉପକରଣ, ଏଟିଏମ୍ କାର୍ଡ, ସିମ୍ କାର୍ଡ ଓ ବ୍ୟାଙ୍କ ସମ୍ପର୍କିତ ଦଲିଲ ଜବତ ହୋଇଛି। ଗଞ୍ଜାମ ଏସ୍ପି ହରିଶ ବିଶି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଜପତିନଗରରେ କିଛି ବାହାର ରାଜ୍ୟର ଯୁବକ ଭଡ଼ା ଘରେ ରହି ଅନଲାଇନ୍ ବେଟିଂ ଆପ୍ର ପ୍ରଚାର ଓ ପରିଚାଳନା କରୁଥିବା ନେଇ ସୂଚନା ମିଳିଥିଲା। ସାଇବର ଥାନା ପୋଲିସ ପକ୍ଷରୁ ସେଠାରେ ଚଢ଼ାଉ କରି ଗିରଫ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଶତ୍ରୁଘ୍ନ କୁମାର ପାଣ୍ଡେ, ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଏବଂ ଜଗଦୀଶ ସେଠୀ ଓରଫ ସୁରଜ। ଚଢ଼ାଉ ବେଳେ ପୋଲିସ ୨ଟି ଲାପଟପ୍, ଗୋଟିଏ ଲେନୋଭୋ କ୍ରୋମବୁକ୍, ୭୮ଟି ଏଟିଏମ୍ /ଡେବିଟ୍ ଓ ଅନ୍ୟାନ୍ୟ କାର୍ଡ, ୧୬ଟି ବ୍ୟାଙ୍କ ପାସ୍ ବୁକ୍ , ୧୪ଟି ସ୍ମାର୍ଟଫୋନ୍, ୮୬ଟି ସିମ୍ କାର୍ଡ ଏବଂ ଗୋଟିଏ ବାଇକ୍ ସମେତ ବିଭିନ୍ନ ଦଲିଲ ଜବତ କରିଛି ।

Also Read:- ବେଆଇନ ଷ୍ଟୋନ୍ କ୍ରସରରେ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଗାଏବ ଅଭିଯୋଗରେ ଉତ୍ତେଜନା

ଅଭିଯୁକ୍ତମାନଙ୍କ ମୋବାଇଲ୍ରୁ ବିଭିନ୍ନ ବ୍ୟକ୍ତିଙ୍କ ପାନ୍ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ଓ ଅନ୍ୟାନ୍ୟ ପରିଚୟପତ୍ର ମିଳିଥିବା ପୋଲିସ କହିଛି । ଏଥିସହ ବିଭିନ୍ନ ଅନଲାଇନ୍ ଗେମିଂ/ବେଟିଂ ପ୍ଲାଟଫର୍ମ ସହ ଜଡ଼ିତ ୟୁଜର୍ ଆଇଡି, ପାସ୍ୱାର୍ଡ ଏବଂ ଟଙ୍କା ଜମା-ଉଠାଣ ସମ୍ପର୍କିତ ରେକର୍ଡ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବା ବୋଲି ଗଞ୍ଜାମ ଏସ୍ପି କହିଛନ୍ତି ।

Watch Video: