ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ସଂପ୍ରତି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପ୍ରେମ ପାଇଁ ଯୁବକ ଯୁବତୀ କେଉଁ ସ୍ତରକୁ ଯାଇ ପାରନ୍ତି କିମ୍ବା ଉଦାହରଣ ସୃଷ୍ଟି କରନ୍ତି ଏହି ଭାଇରାଲ୍ ଭିଡିଓରେ ତାହା ଦେଖିବାକୁ ମିଳିଛି। ଭିଡିଓକୁ ଦେଖିଲେ ଲାଗୁଛି ଯେମିତି ଏକ ଫିଲ୍ମର ଦୃଶ୍ୟର ସୁଟ୍ ଚାଲିଛି। କିନ୍ତୁ ଉକ୍ତ ସେଣ୍ଟ୍ରାଲ ମଲ୍‌ରେ ବାସ୍ତବରେ ସେମିତି ଘଟଣା ଘଟିଛି।

ମଲ୍ ଭିତରେ ଯୁବକ ନିଜର ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରୁଛନ୍ତି। ଏହା ପରେ ଯାହା ଘଟୁଛି ତାହା ଦେଖି ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ନା ପଣ୍ଡିତ ଥିଲେ, ନା ବରଯାତ୍ରୀ ଏବଂ ନା କୌଣସି ପାରମ୍ପରିକ ଆୟୋଜନ ଥିଲା। ଆରାମରେ ଆଣ୍ଠୁ ମାଡ଼ି ପ୍ରେମିକାକୁ ଯୁବକ ପ୍ରପୋଜ କଲେ, ପୁଣି ମଥାରେ ସିନ୍ଦୂର ଭରିଲେ। ଆଉ ମଙ୍ଗଳସୂତ୍ର ପିନ୍ଧାଇ ମଲ୍ ଭିତରେ ସଭିଙ୍କ ସାମ୍ନାରେ ବିବାହ କଲେ। ଯୁବତୀ ଜଣକ ମଧ୍ୟ କୌଣସି ସଙ୍କୋଚ ନ କରି ପ୍ରେମ ସ୍ଵୀକାର କରିବା ସହ ଆଣ୍ଠୁ ମାଡ଼ି ପ୍ରେମିକ ହାତରେ ନିଜ ମଥାରେ ସିନ୍ଦୂର ଭରିଲେ।

ମଲରେ ସପିଂ କରୁଥିବା ଲୋକେ କୌଣସି ଫିଲ୍ମର ସିନ୍ ପରି ଘଟୁଥିବା ଲାଇଭ ଲଭ ଷ୍ଟୋରୀର ମୂକସାକ୍ଷୀ ପାଲଟିଗଲେ। କିଏ ତାଳି ବଜାଇଲା ତ କିଏ ମୋବାଇଲ୍ ଫୋନରେ ଭିଡିଓ ରେକର୍ଡ କଲେ। ଦେଖୁ ଦେଖୁ ଏହି ଦୃଶ୍ୟ ମଲରେ ଆକର୍ଷଣର କେନ୍ଦ୍ର ପାଲଟିଗଲା। ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ଯୁବକଟି ପ୍ରଥମେ ଆଣ୍ଠୁ ମାଡ଼ି ବସି ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି। ଯୁବତୀଙ୍କ ସହମତି ପରେ ସିନ୍ଦୂର ଓ ମଙ୍ଗଳସୂତ୍ର ପକେଟରୁ କାଢି ପୂରା ଆତ୍ମ ବିଶ୍ଵାସର ସହ ଯୁବତୀଙ୍କ ମଥାରେ ସିନ୍ଦୂର ଲଗାଇବା ସହ ବେକରେ ମଙ୍ଗଳସୂତ୍ର ପିନ୍ଧାଇ ଦେଉଛନ୍ତି। ଏହା ପରେ ଯୁବକ-ଯୁବତୀ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି।

 

ଏହି ଅଭିନବ ବିବାହ ଏବେ ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି। ଅନେକ ଏହାକୁ ଆଜିର ପିଢିର ଚିନ୍ତାଧାରା ବୋଲି ଦର୍ଶାଉଛନ୍ତି। କେହି ଯୁବକ ଯୁବତୀଙ୍କ ସଂସ୍କାର ଉପରେ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ଯାଏ ପୋଲିସ କିମ୍ବା ମଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସିନାହିଁ। କିନ୍ତୁ ମଲରେ ଏହି ଫିଲ୍ମି ବିବାହର ଦୃଶ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅନେକ ୟୁଜର୍ସ ଏହି ଭଲପାଇବାକୁ ଅଭିନବ ଏବଂ ସାହସିକ ପଦକ୍ଷେପ ବୋଲି କହିଛନ୍ତି। ଆଉ କିଛି ଲୋକ ଏହାକୁ ସାର୍ବଜନୀନ ସ୍ଥାନରେ ଧାର୍ମିକ ଓ ସାମାଜିକ ପରମ୍ପରାର  ବୋଲି କହିଛନ୍ତି। ଜଣେ ୟୁଜର କହିଛନ୍ତି, ଯଦି ଉଭୟ ସାବାଳକ ଏବଂ ସହମତ ତେବେ ଏଥିରେ ସମସ୍ୟା କଣ ? ଆଉ ଜଣେ କହିଛନ୍ତି, ବିବାହ କୌଣସି ମଜା ନୁହେଁ, ଯାହାକୁ ମଲ୍ ଭିତରେ ଷ୍ଟଣ୍ଟ ପରି ଦେଖାଇବା ଉଚିତ୍ ନୁହେଁ।

ଆଇନଗତ ଦୃଷ୍ଟିରେ ଦେଖିଲେ ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧାଇବା ସାମାଜିକ ଭାବେ ବିବାହର ପ୍ରତୀକ ବୋଲି କୁହାଯାଏ। ମାତ୍ର ଆଇନଗତ ଦୃଷ୍ଟିରୁ ବିବାହକୁ ତେବେ ମାନ୍ୟତା ମିଳିବ ଯେବେ ଏହାକୁ ବିଧିବଦ୍ଧ ରୀତି ନୀତି ଓ ପରମ୍ପରା ସହ ସଂପନ୍ନ କରାଯିବ। ଏହି ଘଟଣାକୁ ନେଇ ପ୍ରଶ୍ନ ଉଠୁଛି ଯେ, କଣ ଏହାକୁ ପ୍ରକୃତରେ ବିବାହ ବୋଲି ବିବେଚନା କରାଯିବ ନା ପ୍ରତୀକାତ୍ମକ ପଦକ୍ଷେପ ବୋଲି କୁହାଯିବ।