ବଡ଼ୋଦରା: ଟି-୨୦ ପରେ ଦିନିକିଆରେ ବି ଭାରତୀୟ ମହିଳା ଦଳର କମାଲ। ଶୁକ୍ରବାର ବଡ଼ୋଦରାରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମୁକାବିଲାରେ ଭାରତୀୟ ମହିଳା ଦଳ ଜିମ୍ବାୱେକୁ ୯ ୱିକେଟରେ ପରାସ୍ତ କରିଛି। ପ୍ଲେୟର ଅଫ୍ ଦ ମ୍ୟାଚ୍ ହୋଇଥିବା ପ୍ରତିକା ରାୱଲଙ୍କର ଐତିହାସିକ ଶତକ ଓ ଶେଫାଳୀ ବର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ଭାରତକୁ ସହଜ ବିଜୟ ଦେଇଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।

ଆଜିର ମ୍ୟାଚରେ ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୯୭ ରନ୍ କରିଥିଲା। ଭାରତ ଏହାକୁ ମାତ୍ର ୨୭.୧ ଓଭରରେ ଗୋଟିଏ ୱିକେଟ ହରାଇ ହାସଲ କରିନେଇଛି। ସେପଟେ ବୋଲିଂରେ ଶ୍ରୀ ଚରଣୀଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ କରିଥିଲା ଭାରତ। ଭ୍ରମଣକାରୀ ଦଳକୁ ମାତ୍ର ୧୯୭ ରନରେ ଅଲ୍ ଆଉଟ୍ କରିଥିଲା।

ଶେଫାଳୀ ଓ ପ୍ରତିକାଙ୍କ ଝଡ଼ ଆଗରେ ଫିକା ପଡ଼ିଲା ଜିମ୍ବାୱେ ବୋଲିଂ

୧୯୮ ରନର ଟାର୍ଗେଟକୁ ପିଛା କରି ଓପନିଂ ଆସିଥିବା ଭାରତୀୟ କ୍ୟାପ୍ଟେନ୍ ସ୍ମୃତି ମନ୍ଧାନା ଏବଂ ପ୍ରତୀକା ରାୱଲ ପ୍ରଥମ ପାୱାର ପ୍ଲେରେ ପାୱାରଫୁଲ୍ ଆରମ୍ଭ କରିଥିଲେ। ଉଭୟ ମିଶି ପ୍ରଥମ ୱିକେଟ୍ ପାଇଁ ୯୪ ରନର ଏକ ମଜଭୁତ ପାର୍ଟନର୍ସିପ୍ କରିଥିଲେ। ଏହାପରେ ସ୍ମୃତି ମନ୍ଧାନାଙ୍କ ୱିକେଟ୍ ଯାଇଥିଲା। ସେ ୩୪ ବଲରେ ୩୨ ରନ କରି ଅଲିଭିଆ ଚାରେଙ୍କ ବଲରେ ଆଉଟ ହୋଇ ପାଭିଲିଅନ ଫେରିଥିଲେ। ଦ୍ୱିତୀୟ ୱିକେଟ ପାଇଁ ବ୍ୟାଟିଂ କରିବାକୁ ଆସିଥିଲେ ଲେଡି ସେହେୱାଗ୍ ଶେଫାଳି ବର୍ମା। ଆସିବା ମାତ୍ରକେ ସେ ଆକ୍ରମଣାତ୍ମକ ଖେଳ ଜାରି ରଖି ପଡ଼ିଆରେ ଛକା-ଚୌକା ବର୍ଷା କରିଥିଲେ।

Also Read- ଏସୀୟ ପାରା ଗେମ୍ସରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ, ୩୦ ସ୍ୱର୍ଣ୍ଣ ସହିତ ୧୧୪ଟି ପଦକ

୧୯୩.୯୩ ଷ୍ଟ୍ରାଇକ ରେଟରେ ବିସ୍ଫୋରକ ବ୍ୟାଟିଂ କରି ଶେଫାଳୀ ମାତ୍ର ୩୩ ବଲରେ ଅପରାଜିତ ୬୪ ରନ କରିଥିଲେ। ସେ ତାଙ୍କ ଇନିଂସରେ ୫ ଚୌକା ଏବଂ ୪ଟି ଉଚ୍ଚ ଛକା ମାରିଛନ୍ତି। ଅନ୍ୟପଟେ ପ୍ରତିକା ମଧ୍ୟ ତାଙ୍କର ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ। ୨୭ ତମ ଓଭରରେ ଶେଷ ବଲରେ ଭାରତକୁ ଜିତିବାକୁ ୨ ରନ୍ ଆବଶ୍ୟକ ଥିବା ବେଳେ ପ୍ରତିକାଙ୍କୁ ଶତକ ପାଇଁ ୪ ରନର ଆବଶ୍ୟକ ଥିଲା। ୨୭.୧ ବଲରେ ପ୍ରତିକା ଚୌକା ମାରି ଶତକ ପୂରା କରିବା ସହ ଭାରତକୁ ଜିତାଇଥିଲେ। ପ୍ରତିକା ମାତ୍ର ୯୬ ବଲରେ ଶତକ ହାସଲ କରିଥିବା ବେଳେ ୧୫ଟି ଚୌକା ମାରିଥିଲେ। ଫଳରେ ଭାରତ ୧୩୭ ବଲ୍ ଥାଇ ବି ମ୍ୟାଚ୍କୁ ୯ ୱିକେଟରେ ଜିତି ନେଇଥିଲା।

ବୋଲିଂରେ ଶ୍ରୀଚରଣୀ ଓ କ୍ରାନ୍ତି ଗୌଡ଼ଙ୍କ କମାଲ

ଆଜିର ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ଆସିଥିବା ଜିମ୍ୱାୱେ ଦଳ ୨.୩ ଓଭରରେ ପ୍ରଥମ ୱିକେଟ୍ ହରାଇଥିଲା। ସେପଟେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ କ୍ରାନ୍ତି ଗୌଡ଼଼। ସେ ଓପନର ବ୍ୟାଟର ଲୋରିନ୍ ଫିରି(୧) ଆଉଟ କରିଥିଲେ। ଏହାପରେ ୧୦.୧ ଓଭରରେ ଚିପୋ ମୁଗେରି-ତିରିପାନୋଙ୍କ ନାଁରେ ଦ୍ୱିତୀୟ ୱିକେଟ୍ ହରାଇଥିଲା ଦଳ। ତା'ପରେ ୱିକେଟ ପଡିବା ଧାରା ଜାରି ରହିଥିଲା। ଭାରତୀୟ ବୋଲରଙ୍କ ଲଢ଼ୁଆ ବୋଲିଂରେ ଜିମ୍ବାୱେ ଟିମ୍ ଧରାଶାୟୀ ହୋଇଯାଇଥିଲା।

ବଡ଼ କଷ୍ଟେମଷ୍ଟେ ଦଳ ୪୯.୫ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରି ମାତ୍ର ୧୯୭ ରନ୍ ଅଲ ଆଉଟ ହୋଇଯାଇଥିଲା। ଜିମ୍ବାୱେ ପକ୍ଷରୁ ବିଲେଡ୍ ବିଜା ସର୍ବାଧିକ ୬୨ ରନ କରିଥିବା ବେଳେ ମିଚେଲ୍ ମାଭୁଙ୍ଗା ୨୯ ରନ ଓ ମୋଡେଷ୍ଟର ମୁପାଚିକୱା ୨୦ ରନ୍ ଇନିଂସ ଖେଳିଥିଲେ। ବାକି କୌଣସି ବ୍ୟାଟର ଏହା ଉପରକୁ ରନ୍ କରିପାରି ନଥିଲେ।

ମ୍ୟାଚ୍‌ରେ ଭାରତ ଆରମ୍ଭରୁ ପ୍ରଭାବ ବିସ୍ତାର କରିଥିଲା। ଏନ. ଶ୍ରୀ ଚରଣି ଓ କ୍ରାନ୍ତି ଗୌଡ଼ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଶ୍ରୀ ଚରଣୀ ୧୦ ଓଭର ବୋଲିଂ କରି ୩ ମେଡେନ୍ ଓଭର ନେଇଥିବା ବେଳେ  ମାତ୍ର ୨୩ ରନ ଦେଇଥିଲେ। ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ମଧ୍ୟ ନେଇଥିଲେ। ସେହିପରି ଦ୍ରୁତ ବୋଲର କ୍ରାନ୍ତି ଗୌଡ ୪୧ ରନ ଦେଇ ୩ ୱିକେଟ୍ ହାସଲ କରିଥିଲେ। ଅନ୍ୟପଟ ଦୀପ୍ତି ଶର୍ମା ୨, ଶେଫାଳୀ ବର୍ମା ଗୋଟିଏ ୱିକେଟ୍ ନେଇଥିଲେ।