ନିଶ୍ଚିନ୍ତକୋଇଲି ୧୨।୮: ରାତି ଅଧରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ । ଯୁବତୀଙ୍କୁ ଅସଦାଚରଣ ସହ ପୁରୁଷ ବନ୍ଧୁଙ୍କୁ ମାରିଲେ ନିସ୍ତୁକ ମାଡ଼ । କଟକ-ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ଥାନା ଶୁକରପଡ଼ା ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ରାତିରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା ।

ଦୁଇ ଜଣ ଯୁବକ-ଯୁବତୀ ଏକ କାର୍‌ରେ କଟକରୁ କେନ୍ଦ୍ରାପଡ଼ା ଯାଉଥିଲେ । ସେହି ସମୟରେ ପେଟ୍ରୋଲ ପମ୍ପ ନିକଟରେ କଟକ-ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ଥାନା ଶୁକରପଡ଼ା ପେଟ୍ରୋଲ ପମ୍ପ ଓ ପୂର୍ତ୍ତ ବିଭାଗ ଡାକବଙ୍ଗଳା ନିକଟରେ ସେମାନେ ଗାଡ଼ି ରଖି ବିଶ୍ରାମ ନେଉଥିଲେ । ହଠାତ୍ ସେଠାରେ ୬ ଜଣ ଅସାମାଜିକ ଯୁବକ ପହଞ୍ଚି ଯାଇଥିଲେ । ସେମାନେ ଯୁବକ-ଯୁବତୀ ଥିବା କାର୍ କାଚକୁ ଏକ ଲୁହା ଶଣ୍ଢୁଆସିରେ ଭାଙ୍ଗି ଦେଇଥିଲେ । କେବଳ ଏମିତି ନୁହେଁ, ପୁରୁଷ ବନ୍ଧୁଙ୍କୁ କାର୍ ଭିତରୁ ଘୋଷାଡ଼ି ଆଣି ବାନ୍ଧି ପକାଇଥିଲେ । ଏମିତି କି ନିର୍ଦ୍ଧୁମ ମାଡ଼ ମଧ୍ୟ ମାରିଥିଲେ । ପରେ ଯୁବତୀଙ୍କୁ କାର୍ ଭିତରୁ ରାସ୍ତା କଡ଼ରେ ଥିବା ଏକ ପରିତ୍ୟକ୍ତ ଘରକୁ ଟେକି ନେଇଥିଲେ । ସେଠାରେ ଜଣଙ୍କ ପରେ ଜଣେ ୬ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ ହୋଇଛି ।

Also Read:- ବାଲିଅନ୍ତାରେ ସୌମ୍ୟ କେସ୍ ରିପିଟ୍, ମରଣାନ୍ତକ ଆକ୍ରମଣ ପରେ ହସ୍ପିଟାଲ ବେଡ୍‌ରେ ଲକ୍ଷ୍ମୀଧର

ମଙ୍ଗଳବାର ମଧ୍ୟରାତ୍ରିରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି । ଯୁବତୀ ଜଣକ କେନ୍ଦ୍ରାପଡ଼ା ଅଞ୍ଚଳର ହୋଇଥିବା ବେଳେ ପୁରୁଷ ବନ୍ଧୁଙ୍କ ଘର ନୟାଗଡ଼ ଅଂଚଳର ବୋଲି ସୂଚନା ମିଳିଛି । ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ପରେ ନିଶ୍ଚିନ୍ତକୋଇଲି ପୋଲିସ ଆକ୍ସନ ମୋଡ୍କୁ ଆସି ଘଟଣାର ତନାଘନା ଜାରି ରଖିଛି ।

ଘଟଣାରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଏଯାବତ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଅନ୍ୟମାନଙ୍କୁ ଧରିବା ପାଇଁ ଜଣେ ଡିଏସପିଙ୍କୁ ଘଟଣାର ତଦନ୍ତ ଭାର ଦିଆଯାଇଥିବା କଟକ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି ।