ମୁମ୍ବାଇ: ବର୍ତ୍ତମାନ କର୍ମମୟ ଜୀବନରେ ଅନେକ ଲୋକ ନିଦ୍ରାହୀନତାର ଶିକାର ହେଉଛନ୍ତି । ଶାନ୍ତିରେ ଶୋଇବା ବି ଅନେକଙ୍କ ପାଇଁ ଏକ କଷ୍ଟକର ବ୍ୟାପାର ପାଲଟିଛି । ଏଭଳି ସ୍ଥିତିରେ ଜଣେ ମହିଳା ଶୋଇବାର ସବୁ ରେକର୍ଡ ଭାଙ୍ଗିଛନ୍ତି । ୬୦ ଦିନ ଭଲରେ ଶୋଇବା ଲାଗି ତାଙ୍କୁ ୯ ଲକ୍ଷ ୬୦ ହଜାର ଟଙ୍କା ଏବଂ ବିଦେଶ ଭ୍ରମଣ ପାଇଁ ମାଗଣା ଟିକେଟ୍ ମିଳିଛି । ଏହି ଖବର ପଢ଼ିବା ପରେ ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ ।  ଶୋଇବା ପାଇଁ ମଧ୍ୟ କାହାକୁ ଲକ୍ଷାଧିକ ଟଙ୍କାର ପୁରସ୍କାର ମିଳିପାରେ ?

ମୁମ୍ବାଇର ଜିନିୟା ଚାଟାର୍ଜୀ ୬୦ ଦିନ ଧରି ଭଲ ଭାବରେ ଶୋଇ ଏକ ସ୍ୱତନ୍ତ୍ର ଇଣ୍ଟର୍ନସିପ୍‌ ଜିତିବା ସହ ୯.୬ ଲକ୍ଷ ଟଙ୍କା ଏବଂ ମାଗଣାରେ ବିଦେଶରେ ବୁଲିବାକୁ ଅଫର ପାଇଛନ୍ତି। 'ୱେକଫିଟ୍' କମ୍ପାନୀ ଦ୍ୱାରା ଆୟୋଜିତ ହୋଇଥିବା ‘ସ୍ଲିପ୍ ଇଣ୍ଟର୍ନସିପ୍’ ର ପଞ୍ଚମ ସଂସ୍କରଣରେ ସେ ଏହି ବଡ଼ ସଫଳତା ହାସଲ କରିଛନ୍ତି।

ଏହି ସ୍ୱତନ୍ତ୍ର ଦୁଇ ମାସିଆ ପ୍ରତିଯୋଗିତା ପାଇଁ ସାରା ଭାରତରୁ ୨ ଲକ୍ଷରୁ ଅଧିକ ଆବେଦନ ପତ୍ର ଆସିଥିଲା । ଯେଉଁଥିରୁ ମାତ୍ର ୧୦ ଜଣ ପ୍ରତିଯୋଗୀଙ୍କୁ ବଛାଯାଇଥିଲା। ଏହି ଇଣ୍ଟର୍ନସିପ୍‌ର ମୂଳ ଲକ୍ଷ୍ୟ ଅତି ସହଜ ଓ ରୋଚକ ଥିଲା । ନିୟମିତ ଭାବରେ ପର୍ଯ୍ୟାପ୍ତ ଶୋଇବା, ସଠିକ୍ ଦିନଚର୍ଯ୍ୟା ପାଳନ କରିବା ଏବଂ ଲିଡର ବୋର୍ଡରେ ଆଗରେ ରହିବା ପାଇଁ ପ୍ରତି ସପ୍ତାହର ଚ୍ୟାଲେଞ୍ଜଗୁଡ଼ିକୁ ପୂରଣ କରିବା ହିଁ ଏହି ପ୍ରତିଯୋଗୀତାର ମୂଳ ସର୍ତ୍ତ ରହିଥିଲା । ୬୦ ଦିନ ଧରି ପ୍ରତିଯୋଗୀମାନେ ନିଜର ଶୋଇବା ଶୈଳୀକୁ ଟ୍ରାକ୍ କରିବା ସହ ପ୍ରତିଦିନ ନିଜର ସ୍ଲିପ୍ ସ୍କୋର ସୁଧାରିବାକୁ ଚେଷ୍ଟା କରୁଥିଲେ।

ଏହି ଇଣ୍ଟର୍ନସିପ୍ କେବଳ ଶୋଇବା ପାଇଁ ନଥିଲା, ବରଂ ଏଥିରେ ଅନେକ ଟାସ୍କ ମଧ୍ୟ ସାମିଲ ଥିଲା। ପ୍ରତି ସପ୍ତାହରେ ସେମାନଙ୍କ ସୃଜନଶୀଳତାକୁ ପରଖାଯାଉଥିଲା। ‘ସ୍ଲିପ୍ ବିଙ୍ଗୋ’ ମାଧ୍ୟମରେ ସେମାନଙ୍କ ଗୋଟିଏ ସପ୍ତାହର ଶୋଇବା ଅଭ୍ୟାସର ସମୀକ୍ଷା କରାଯାଉଥିଲା। ଏହା ସହିତ ‘ଅଣ୍ଡରକଭର ସ୍ଲିପ୍ ମିଶନ’ ନାମକ ଏକ ମଜାଦାର ଟାସ୍କରେ ଅନ୍ୟ କାହା ସହ କଥା ହେବା ବେଳେ ସାମ୍ନା ଲୋକକୁ ଜଣାନପଡ଼ିବା ଭଳି ‘କମ୍ବଳ’ କିମ୍ବା ତକିଆ ଶବ୍ଦକୁ ୧୦ ଥର ବ୍ୟବହାର କରିବାକୁ କୁହାଯାଇଥିଲା।

ଶେଷରେ ସେମାନଙ୍କ ମଧ୍ୟରୁ ରତ୍ନଗିରି ମଣିକଣ୍ଠନ୍, ଜିନିୟା ଚାଟାର୍ଜୀ ଏବଂ ମେହେକ ଖୋତ୍ ସର୍ବୋଚ୍ଚ ସ୍କୋର କରି ଟପ୍-୩ ପ୍ରତିଯୋଗୀ ଭାବେ ଆଗକୁ ଆସିଥିଲେ। ଅନ୍ୟପଟେ ହାଇଦ୍ରାବାଦର କରିମ୍ ଖାନ୍ ସବୁଠାରୁ ଅଧିକ ସପ୍ତାହରେ କ୍ରିଏଟିଭ୍ ଚ୍ୟାଲେଞ୍ଜ ଜିତିଥିବାରୁ ୱାଇଲ୍ଡକାର୍ଡ ଏଣ୍ଟ୍ରି ଜରିଆରେ ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିଲେ। ‘ବିଗ୍ ବେଡ୍’ ଫାଇନାଲ୍ ଇଭେଣ୍ଟ ରିଆଲିଟି ଟିଭି ଶୋ' ଭଳି ଖୁବ୍ ରୋମାଞ୍ଚକର ଥିଲା। ଫାଇନାଲିଷ୍ଟମାନଙ୍କୁ କିଛି ମଜାଦାର ଟାସ୍କ କରିବା ପରେ ଗୋଟିଏ ଶେଷ ରାତି ଶୋଇ ନିଜର ଶୋଇବାର ଦକ୍ଷତା ପ୍ରମାଣ କରିବାକୁ ପଡ଼ିଥିଲା।