ଭୁବନେଶ୍ୱର : ଦିନକୁ ଦିନ ବୟସ ବଢ଼ିବା ସହ ଆମ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ । ବିଶେଷକରି ୪୦ ବର୍ଷ ଡେଇଁବା ପରେ ହୃଦଘାତର ସମସ୍ୟା ଅଧିକ ଦେଖାଯାଏ । ଏହି ବୟସରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ ଅଟେ । କାରଣ ବୟସ ବଢିବା ସହ ଶରୀରରେ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍ ଏବଂ ମଧୁମେହ ଭଳି ସମସ୍ୟା ହୃଦ୍ରୋଗର ଆଶଙ୍କା ବଢ଼ାଇପାରେ। ଅନେକ ସମୟରେ ଏହି ସମସ୍ୟାଗୁଡ଼ିକର ଆରମ୍ଭରେ କୌଣସି ସ୍ପଷ୍ଟ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ। କିନ୍ତୁ ତାହା ପରେ ସାଂଘାତିକ ରୂପ ନେଇଥାଏ | ତେଣୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ହୃଦୟର ସ୍ଥିତି ଜାଣିବା ଆବଶ୍ୟକ। କାରଣ ହୃଦ୍ରୋଗ ସବୁବେଳେ ଆରମ୍ଭରୁ ଲକ୍ଷଣ ଦେଖାଏ ନାହିଁ। ଉଚ୍ଚ ରକ୍ତଚାପ, ଅଧିକ କୋଲେଷ୍ଟ୍ରଲ୍ ଏବଂ ମଧୁମେହ ଭଳି ସମସ୍ୟା ଅନେକ ସମୟରେ ନିରବରେ ଶରୀରରେ ବଢ଼ିଥାଏ। ଏହି କାରଣରୁ ବିଶେଷଜ୍ଞମାନେ କହିଅଥାନ୍ତି ଯେ ୪୦ ବର୍ଷ ପରେ, ଯେକୌଣସି ସମ୍ଭାବ୍ୟ ବିପଦକୁ ଶୀଘ୍ର ଚିହ୍ନଟ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିୟମିତ ବ୍ୟବଧାନରେ ତିନୋଟି ପ୍ରମୁଖ ପରୀକ୍ଷା କରିବା ଉଚିତ। ସେଗୁଡ଼ିକ ହେଉଛି :

୧. ବ୍ଳଡପ୍ରେସର ଟେଷ୍ଟ : ଉଚ୍ଚ ରକ୍ତଚାପ ହୃଦ୍ରୋଗର ଏକ ପ୍ରମୁଖ କାରଣ। ଅନେକ ସମୟରେ ଏହାର କୌଣସି ସ୍ପଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ନିୟମିତ ଭାବେ ରକ୍ତଚାପ ମାପିବା ଜରୁରୀ। ରକ୍ତଚାପ ଅଧିକ ରହିଲେ ହୃଦୟ ଉପରେ ଚାପ ବଢ଼ିପାରେ ଏବଂ ହୃଦ୍ରୋଗର ଆଶଙ୍କା ବଢ଼ିଥାଏ।

୨. ଲିପିଡ୍ ପ୍ରୋଫାଇଲ୍ ପରୀକ୍ଷା : ରକ୍ତରେ କୋଲେଷ୍ଟ୍ରଲ୍ ଓ ଅନ୍ୟାନ୍ୟ ଚର୍ବିଜାତୀୟ ଉପାଦାନର ମାତ୍ରା ଜାଣିବା ପାଇଁ ଲିପିଡ୍ ପ୍ରୋଫାଇଲ୍ ପରୀକ୍ଷା କରାଯାଏ। ଏହା ମାଧ୍ୟମରେ ଟୋଟାଲ୍ କୋଲେଷ୍ଟ୍ରଲ୍, LDL (ଖରାପ କୋଲେଷ୍ଟ୍ରଲ୍), HDL (ଭଲ କୋଲେଷ୍ଟ୍ରଲ୍) ଏବଂ ଟ୍ରାଇଗ୍ଲିସରାଇଡ୍ର ସ୍ତର ଜଣାପଡ଼େ। LDL ଅଧିକ ରହିଲେ ଧମନୀରେ ଚର୍ବି ଜମିବାର ଆଶଙ୍କା ରହିଥାଏ। ତେଣୁ ସମୟାନୁସାରେ ଏହି ପରୀକ୍ଷା କରାଇବା ଉଚିତ।

୩. ବ୍ଲଡସୁଗାର ଟେଷ୍ଟ : ମଧୁମେହ ବା ଡାଏବେଟିସ୍ ହୃଦ୍ରୋଗର ଆଶଙ୍କା ବଢ଼ାଇଥାଏ। ରକ୍ତରେ ଶର୍କରାର ମାତ୍ରା ଅଧିକ ରହିଲେ ରକ୍ତନଳୀ ଓ ହୃଦୟ ଉପରେ ଏହାର ପ୍ରଭାବ ପଡ଼ିପାରେ। ତେଣୁ ଫାଷ୍ଟିଂ ବ୍ଲଡ୍ ସୁଗାର୍ କିମ୍ବା HbA1c ପରୀକ୍ଷା ମାଧ୍ୟମରେ ରକ୍ତରେ ଶର୍କରାର ସ୍ତର ଯାଞ୍ଚ କରିବା ଜରୁରୀ। ପରିବାରରେ ହୃଦ୍ରୋଗ ଇତିହାସ ଥିଲେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ।

ବିଶେଷଜ୍ଞଙ୍କ ମତରେ, ଯେଉଁମାନଙ୍କ ପରିବାରରେ ହୃଦ୍ରୋଗର ଇତିହାସ ରହିଛି, ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ। ଏହା ସହ ଧୂମପାନ, ଅନିୟମିତ ଖାଦ୍ୟାଭ୍ୟାସ, ଶାରୀରିକ ପରିଶ୍ରମର ଅଭାବ ଓ ଅତ୍ୟଧିକ ଚାପ ମଧ୍ୟ ହୃଦୟର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ତେବେ ଏହି ତିନୋଟି ପରୀକ୍ଷା ହୃଦ୍ରୋଗର ସମସ୍ତ ସମସ୍ୟା ଚିହ୍ନଟ କରେ ନାହିଁ। କେବଳ ପରୀକ୍ଷା କରାଇଦେଲେ ହୃଦୟ ସୁସ୍ଥ ରହିବ ନାହିଁ। ଏଥିପାଇଁ ସନ୍ତୁଳିତ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ , ପର୍ଯ୍ୟାପ୍ତ ନିଦ ଏବଂ ଧୂମପାନଠାରୁ ଦୂରେଇ ରହିବା ଆବଶ୍ୟକ। ପରିବାରରେ ହୃଦ୍ରୋଗର ଇତିହାସ ଥିଲେ ଅଧିକ ସତର୍କ ରହିବା ଉଚିତ।