ଭୁବନେଶ୍ବର ୧୨।୮: ପୁଣି ବାଲିଅନ୍ତାରେ ଉତ୍ତେଜନା । ରିପିଟ୍ ହେଲା ସୌମ୍ୟ ଘଟଣା । ବ୍ରାହ୍ମଣଷଡ଼ଙ୍ଗୀ ଗାଁର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା ଉଦ୍ୟମ ଅଭିଯୋଗ । ଗୁରୁତର ଅବସ୍ଥାରେ ଏବେ ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ଯୁବକ ଲକ୍ଷ୍ମୀଧର ସ୍ବାଇଁ । ଅଭିଯୁକ୍ତଙ୍କ ପାଖରେ ପୋଲିସ ପହଞ୍ଚି ନଥିବା ଅଭିଯୋଗ । ପୋଲିସର ଭୂମିକାକୁ ନେଇ ତାତିଲେ ଗ୍ରାମବାସୀ । ବାଲିଅନ୍ତା ଥାନା ଘେରାଉ କଲେ ସୁଦ୍ଧ ଷଡ଼ଙ୍ଗୀ ଗ୍ରାମବାସୀ । ଏକାଧିକ ମହିଳାଙ୍କ ସହ ଥାନା ସାମ୍ନାରେ ଧାରଣା ।

ଗତ ରବିବାର ସଂଧ୍ୟାରେ ବ୍ରାହ୍ମଣଷଡ଼ଙ୍ଗୀ ଛକ ନିକଟରେ ଲକ୍ଷ୍ମୀଧରଙ୍କୁ କିଛି ନିଶାସକ୍ତ ଯୁବକ ରଡ୍ରେ ପିଟି ପିଟି ଫିଙ୍ଗି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ଠାରୁ ଘଟଣା ଘଟିଥିଲେ ବି ବାଲିଅନ୍ତା ପୋଲିସ ଏପର୍ଯ୍ୟନ୍ତ କାହିଁକି ଆକ୍ସନକୁ ଆସିନି ? କାହିଁକି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୋଲିସ । ବାଲିଅନ୍ତାରେ ସୌମ୍ୟ ହତ୍ୟାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହେବା ପରେ ବି ବାଲିଅନ୍ତା ପୋଲିସର ଏଭଳି ନିଷ୍କ୍ରିୟତାକୁ ନେଇ ଉଠିଛି ପ୍ରଶ୍ନ ।

Also Read:- ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ସୂଚନା : ୨୪ ଜିଲ୍ଲା ପ୍ରଭାବିତ, ୭୯ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ

ସେପଟେ ବାଲିଅନ୍ତା ଥାନା ସାମ୍ନାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ନିୟନ୍ତ୍ରଣ ପାଇଁ ମୁତୟନ ହେଲେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ । ଘଟଣାସ୍ଥଳରେ ଦୁଇ ଜଣ ଆଡିସନାଲ୍ ଡିସିପିଙ୍କ ସମେତ ଏସିପି ଉପସ୍ଥିତ ଅଛନ୍ତି । ତିନୋଟି ଥାନାର ତିନି ଜଣ ଆଇଆଇସି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉତ୍ତେଜିତ ଗ୍ରାମବାସୀଙ୍କୁ ପୋଲିସ ପକ୍ଷରୁ ବୁଝାସୁଝା କରାଯାଉଛି । ଅଭିଯୁକ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଉଛି ପୋଲିସ । ନ୍ୟାୟ ଦାବିରେ ଥାନା ଘେରାଉ ପରେ ବାଲିଅନ୍ତା ଥାନା ପରିସରରେ ବଢ଼ିଛି ଉତ୍ତେଜନା ।