କଳାହାଣ୍ଡି ୨୨।୧୦ : ତିନି ଦିନ ତଳୁ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ନିକସ୍ଥିତ ଭଣା ଡଙ୍ଗରି ପାହାଡ଼ ଶୀର୍ଷରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି । ଉଭୟଙ୍କ ମୃତ୍ୟୁକୁ ନେଇ ହତ୍ୟା ସନ୍ଦେହ ପ୍ରକାଶ ପାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେଣ୍ଡାପାଲି ଗ୍ରାମର ପ୍ରହ୍ଲାଦ ନାଏକଙ୍କ ପୁଅ ଅଜିତ କୁମାର ନାଏକ ଏବଂ ଧର୍ମଗଡ଼ ସହରର କେନ୍ଦୁମୁଡ଼ିପଡ଼ାର ପ୍ରିୟଦର୍ଶିନୀ ନାଏକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ଉଭୟ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ସମ୍ପର୍କକୁ ପରିବାର ପକ୍ଷରୁ ସମ୍ମତି ମିଳୁନଥିଲା । ତିନି ଦିନ ତଳେ ଉଭୟ ନିଖୋଜ ହୋଇଯାଇଥିଲେ । ଏନେଇ ଉଭୟଙ୍କ ପରିବାର ପକ୍ଷରୁ କୋକସରା ଓ ଧର୍ମଗଡ଼ ଥାନାରେ ଅଭିଯୋଗ କରାଯାଇଥିଲା । ଗୁରୁବାର ସକାଳେ କିଛି ଲୋକ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଗଛରେ ଦୁଇଟି ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା ।

Also Read:-ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଜଟଣୀରେ RBI ଡାଟା ସେଣ୍ଟର ଉଦ୍‌ଘାଟନ

ତେବେ ମୃତଦେହ ଦୁଇଟି ପଚିଯାଇଥିବା ବେଳେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଚିହ୍ନଟ କରିଥିଲେ । ମୃତକଙ୍କ ଶରୀରରେ ରକ୍ତର ଚିହ୍ନ ଥିବା ଏବଂ ଉଭୟଙ୍କ ହାତ ପଛପଟେ ବନ୍ଧା ହୋଇଥିବାବାରୁ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଳି ଚର୍ଚ୍ଚା ହେଉଛି । ପ୍ରେମ ସମ୍ପର୍କ, ଭିନ୍ନ ଜାତିର ହୋଇଥିବାରୁ ପରିବାର ମଧ୍ୟରେ ଅସହମତି ଏବଂ ଦୁଇଟି ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ଅଧିକ ରହସ୍ୟମୟ କରିଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସେପଟେ ଖବର ପାଇ ଧର୍ମଗଡ଼ ଓ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁର ପ୍ରକୃତ କାରଣ ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ତାହା ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।