ନୂଆଦିଲ୍ଲୀ: ୨୦୨୬ ମହିଳା ଏସିଆ କପରେ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇଛି। ଭାରତୀୟ ଦଳ ସହଜରେ ଏହି ମ୍ୟାଚକୁ ୭ ଓ୍ଵିକେଟରେ ଜିତି ନେଇଛି। ମ୍ୟାଚ୍ ସମୟରେ ବେଶ ରୋମାଞ୍ଚକର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି, ଯାହା ଦୁଇ ଦେଶର କ୍ରିକେଟ୍ ପ୍ରଶଂସକଙ୍କ ଧ୍ୟାନ ଆକର୍ଷିତ କରିଛି। ମ୍ୟାଚ୍ ପୂର୍ବରୁ ହୋଇଥିବା ଜାତୀୟ ସଙ୍ଗୀତ ଗାନ ସମୟରେ ଜଣେ ପାକିସ୍ତାନୀ ପ୍ରଶଂସକ ଭାରତୀୟ ରାଷ୍ଟ୍ରଗାନ ଜନ ଗଣ ମନ ଗାଉଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଏହି ପୂରା ଘଟଣା ଭାରତ ଓ ପାକିସ୍ତାନ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଘଟିଛି। ପାକିସ୍ତାନ ଜର୍ସି ପିନ୍ଧିଥିବା ପାକ୍ ପ୍ରଶଂସକ ଅରଶଦ ମହମ୍ମଦ ହନୀଫ ଏବଂ ତାଙ୍କର କିଛି ସାଥୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଣ୍ଡରେ ଥିଲେ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ଭାରତର ଜାତୀୟ ସଙ୍ଗୀତ ବାଜି ଉଠିଲା ଅରଶଦ ଜଣେ ଭାରତୀୟ ପ୍ରଶଂସକଙ୍କ ପାଖକୁ ଯାଇ ପୂରା ଉତ୍ସାହର ସହ ଭାରତୀୟ ରାଷ୍ଟ୍ରଗାନ ଜନ ଗଣ ମନ ଗାଇଥିଲେ। ଏହାର ଭିଡିଓ ସଂପ୍ରତି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦୁଇ ଦେଶର କ୍ରିକେଟ୍ ପ୍ରେମୀ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି।

 

ଷ୍ଟାଣ୍ଡରେ ବସିଥିବା ଦର୍ଶକ ଏହି ସୁନ୍ଦର ମୁହୂର୍ତ୍ତର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି। ବାସ୍ କିଛି ସମୟ ପରେ ଏହା ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାର୍ଟଫମରେ ଭାଇରାଲ୍ ହେବାରେ ଲାଗିଛି। ଉଲ୍ଲେଖନୀୟ ଅରଶଦ ଖାନ ପାକିସ୍ତାନର ବହୁତ ପ୍ରସିଦ୍ଧ କ୍ରିକେଟ୍ ପ୍ରଶଂସକ। ପ୍ରଥମ ଥର ଅରଶଦ ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତି ନାହାନ୍ତି, ପୂର୍ବରୁ ଅନେକ ଥର ସେ ଟିମ୍ ଇଣ୍ଡିଆର ସମର୍ଥନ କରିଛନ୍ତି।

ସୂଚନାଯୋଗ୍ୟ, ୨୦୨୬ ମହିଳା ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୮.୧ ଓଭରରେ ମାତ୍ର ୫୫ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ, ଟିମ୍ ଇଣ୍ଡିଆ ୯ମ ଓଭରରେ ମାତ୍ର ତିନୋଟି ୱିକେଟ ହରାଇ ମ୍ୟାଚ୍ ଜିତିଥିଲା। ଶ୍ରୀ ଚରଣୀ ଭାରତ ପାଇଁ ଚମତ୍କାର ବୋଲିଂ କରିମାତ୍ର ୭ ରନ୍ ଦେଇ ତିନୋଟି ୱିକେଟ ନେଇଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା।