ନୂଆଦିଲ୍ଲୀ: ମହିଳା ଏସିଆ କପର ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଭାରତ ହାତରୁ ଶୋଚନୀୟ ଭାବେ ହାରିବା ପରେ ବି ପାକିସ୍ତାନ ଟିମର ମେଣ୍ଟର ୱହାବ ରିଆଜଙ୍କ ବାହାପିଆ କଥା ଯାଉଛି । ସେ ନିଜ ଟିମକୁ ବଞ୍ଚାଇବା ପାଇଁ ଏପରି କିଛି କହିଛନ୍ତି, ଯାହା ପାକିସ୍ତାନ ପାଇଁ ଆହୁରି ଲଜ୍ଜାଜନକ ସ୍ଥିତି ସୃଷ୍ଟି କରିଛି । ଫାତିମା ସନାଙ୍କ ଅଧିନାୟକତ୍ୱରେ ଖେଳୁଥିବା ଟିମ୍ ମାତ୍ର ୫୫ ରନରେ ଅଲଆଉଟ୍ ହୋଇଯାଇଥିଲା ଏବଂ ଭାରତ ୮.୪ ଓଭରରେ ୫୭ ରନ୍ କରି ମ୍ୟାଚ ଜିତିନେଇଥିଲା ।

ଏହି ପରାଜୟ ପରେ ୱହାବ ରିଆଜ୍ ଖୋଲାଖୋଲି ଭାବେ ନିଜ ଟିମର ସପକ୍ଷରେ ବାହାରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସବୁଠାରୁ ଶକ୍ତିଶାଳୀ ଓ ଶ୍ରେଷ୍ଠ ଟିମ୍ ଏବଂ ସେମାନେ ଟ୍ରଫି ଜିତିବାର ସବୁଠାରୁ ବଡ଼ ଦାବିଦାର ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ପାକିସ୍ତାନର ଇନିଂସରେ କେବଳ ଦୁଇ ଓପନର ହିଁ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ । ୮ ଜଣ ବ୍ୟାଟର ସିଙ୍ଗଲ୍ ଡିଜିଟ୍ ରନ୍ କରି ପାଭିଲିୟନ୍ ଫେରିଥିଲେ ।

ପାକିସ୍ତାନର ଲଜ୍ଜାଜନକ ରେକର୍ଡ

ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଇତିହାସରେ ଏହା ପାକିସ୍ତାନ ମହିଳା ଟିମର ଏପର୍ଯ୍ୟନ୍ତର ସବୁଠାରୁ କମ୍ ସ୍କୋର । ଭାରତୀୟ ଟିମ୍ ଏହି ସହଜ ଲକ୍ଷ୍ୟକୁ ୯ ଓଭର ମଧ୍ୟରେ ୭ ୱିକେଟରେ ବିଜୟୀ ହୋଇ ସହଜରେ ହାସଲ କରିନେଇଥିଲା । ଏହା ଟିମ୍ ଇଣ୍ଡିଆର କ୍ରମାଗତ ତୃତୀୟ ବିଜୟ ଥିଲା । ଭାରତ ନିଜ ଗ୍ରୁପର ଶୀର୍ଷରେ ରହି ସେମିଫାଇନାଲ ପାଇଁ କ୍ୱାଲିଫାଇ କରିସାରିଛି ।

ୱହାବ ରିଆଜଙ୍କ ଅଜବ ବୟାନ

ଶୋଚନୀୟ ପରାଜୟ ପରେ ସାମ୍ବାଦିକମାନଙ୍କ ସହ କଥା ହୋଇ ୱହାବ ରିଆଜ୍ କହିଛନ୍ତି, "ମୋର ବିଶ୍ୱାସ ଯେ ଆମ ଟିମର ସମସ୍ତ ଖେଳାଳି ଅତ୍ୟନ୍ତ ପ୍ରତିଭାଶାଳୀ, ସେମାନଙ୍କୁ କେବଳ ନିଜ ଉପରେ ବିଶ୍ୱାସ ରଖିବାର ଆବଶ୍ୟକତା ଅଛି ।" ସେ ଆହୁରି ମଧ୍ୟ କହିଛନ୍ତି, "ଆମର ପରବର୍ତ୍ତୀ ମ୍ୟାଚ୍ ହଂକଂ ବିପକ୍ଷରେ ଅଛି । ଆମେ ଫେରିବୁ ଏବଂ ଭାରତ ବିପକ୍ଷରେ ଆମର କେଉଁଠି ଭୁଲ୍ ହେଲା ସେ ବିଷୟରେ ଆଲୋଚନା କରିବୁ । ଆମେ ସେହି ଭୁଲଗୁଡ଼ିକୁ ଦୋହରାଇବୁ ନାହିଁ । ଏହି ଏସିଆ କପ୍ ଟ୍ରଫି ଉଠାଇବା ପାଇଁ ପାକିସ୍ତାନ ସବୁଠାରୁ ଶ୍ରେଷ୍ଠ ଟିମ୍ ବୋଲି ମୁଁ ଏବେ ବି ବିଶ୍ୱାସ କରେ, କାରଣ ଏଠାକାର ପରିସ୍ଥିତି ଆମ ପାଇଁ ଅନୁକୂଳ ଅଟେ ।"

ସନା ମୀରଙ୍କ ସମାଲୋଚନା ଉପରେ ୱହାବଙ୍କ ଜବାବ

ଟି-୨୦ ବିଶ୍ୱକପ୍ ପରେ ପାକିସ୍ତାନ ଟିମ୍ କରାଯାଇଥିବା ବଡ଼ ପରିବର୍ତ୍ତନଗୁଡ଼ିକ ଉପରେ ପୂର୍ବତନ ଅଧିନାୟିକା ସନା ମୀର କଡ଼ା ସମାଲୋଚନା କରିଥିଲେ । ପାକିସ୍ତାନ ୭ ଜଣ ଖେଳାଳିଙ୍କୁ ବଦଳାଇଥିଲା । ୱହାବ ରିଆଜ୍ ଏହି ସମାଲୋଚନା ସହ ଅସମ୍ମତି ପ୍ରକାଶ କରି କହିଛନ୍ତି ଯେ, ଭବିଷ୍ୟତକୁ ଆଖି ଆଗରେ ରଖି ଏହି ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଖେଳୁଥିବା ଖେଳାଳିମାନେ କ୍ରମାଗତ ଭାବେ ବିଶ୍ୱକପ୍ ଏବଂ ଏସିଆ କପ୍ ଖେଳିବା ସତ୍ତ୍ୱେ ଭଲ ଫଳାଫଳ ଦେଇପାରୁନଥିଲେ । ଯେଉଁ ଝିଅମାନଙ୍କୁ ବାହାର କରାଯାଇଛି ସେମାନେ ପ୍ରଦର୍ଶନ କରିପାରୁ ନ ଥିଲେ ଏବଂ ଟିମକୁ ନୂଆ ଚେହେରା ଆଣିବା ସମ୍ପୂର୍ଣ୍ଣ ସଠିକ୍ ପଦକ୍ଷେପ ଥିଲା ।