ନୂଆଦିଲ୍ଲୀ, ୩୧/୦୮: ଚଳିତ ମହିଳା ଟି-ଟ୍ୱେଣ୍ଟି ଏସିଆ କପରେ ଭାରତ ଜବରଦସ୍ତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ରବିବାର ଅନୁଷ୍ଠିତ ଗ୍ରୁପ୍-ଏ'ର ଏକ ମ୍ୟାଚରେ ଦଳ ୯୪ ରନରେ ଥାଇଲାଣ୍ଡକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୫୯ରନ୍ ସଂଗ୍ରହ କରିଥିଲା। ଜବାବରେ ଥାଇଲାଣ୍ଡ ୧୬.୧ ଓଭରରେ ୬୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା ।

ଥାଇଲାଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଜଣାଇଥିଲା। ସ୍ମୃତି ମନ୍ଧନା ଓ ଶେଫାଳି ବର୍ମା ୧୮ଟି ବଲରେ ୩୮ରନ୍ ସଂଗ୍ରହ କରିଥିଲେ। ତୃତୀୟ ଓଭରରେ ମନ୍ଧନା ରନ୍ ଆଉଟ୍ ହୋଇଥିଲେ। ସେ ୪ଚୌକା ବଳରେ ୧୯ରନ୍ କରିଥିଲେ I ପଦାର୍ପଣ ମ୍ୟାଚ୍ ଖେଳୁଥିବା ପ୍ରତୀକା ରାୱଲ କ୍ରିଜରେ ଯୋଗଦେଇ ଶେଫାଳିଙ୍କ ସହ ମିଶି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର ୯୧ରେ ପ୍ରତୀକାଙ୍କ ୱିକେଟର ପତନ ଘଟିଥିଲା । ସେ ୨୨ (୨ଚୌକା, ୧ଛକା) ରନ୍ କରିଥିଲେ। ଶେଫାଳି ୨୬ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅଧିନାୟିକା ହର୍ମନପ୍ରୀତ କୌରଙ୍କଠୁ ବଡ଼ ଇନିଂସ୍ ଆଶା କରାଯାଉଥିଲା। ମାତ୍ର ସେ ୫ରନ୍ କରି ବିଦାୟ ନେଇଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ବ୍ୟାଟିଂ ବିପର୍ଯ୍ୟୟ। ଶେଫାଳି ୩୬ବଲରେ ୬୪ (୮ଚୌକା ଓ ୩ଛକା) ରନ୍ କରି ପାଭିଲିୟନ ଲେଉଟିଥିଲେ।

Also Read :- ପ୍ରଥମ ଥର ଗାଁ ନଦୀରେ କୁମ୍ଭୀର ! ଲୋକେ ଛାନିଆ, ପାଣିକୁ ଯିବାକୁ ପାଉନି ସାହସ

ପରବର୍ତ୍ତୀ ବ୍ୟାଟରମାନେ ବଡ଼ ସଟ୍ ଖେଳିବାକୁ ଯାଇ ବିଫଳ ହୋଇଥିଲେ । ଭାରତୀ ଫୁଲମାଳି ୧୩ ଓ କ୍ରାନ୍ତ ଗୌଡ଼ ଅପରାଜିତ ୧୫ (୧ଚୌକା, ୧ଛକା) ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୯/୧୫୯ରେ ପହଞ୍ଚିଥିଲା। ଥାଇଲାଣ୍ଡ ପକ୍ଷରୁ ଏସ୍ ଲାଓମି ୩ଟି ও ସୁ ନିଦା ଚତୁରଙ୍ଗରାତ୍ତନା ୨ଟି ଓ୍ୱିକେଟ୍ ନେଇଥିଲେ।

୧୬୦ରନ୍ ବିଜୟ ଲକ୍ଷ୍ୟର ପିଛା କରି ଥାଇଲାଣ୍ଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥୁଲା। ୱିକେଟ କିପର ବ୍ୟାଟର ନାନପତି କୋଞ୍ଚାରୋଏଙ୍କାଇଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ। ଫଳରେ ଥାଇଲାଣ୍ଡ ଇନିଂସ୍ ୬୫ରନ୍ରେ ଅଟକି ଯାଇଥିଲା। ନାନାପତି ୪୧ (୫ଚୌକା) ରନ୍ କରିଥିବାବେଳେ ଅନ୍ୟ କେହି ୨ଅଙ୍କ ଛୁଇଁ ପାରିନଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା କୌଣସି ରନ୍ ନଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ସେହିପରି ନନ୍ଦନୀ ଶର୍ମା ୩ଟି ୱିକେଟ୍ ନେଇଥିଲେ ।