ୱାଶିଂଟନ, ୩୧/୧୧ :ଦୈନଦିନ ଜୀବନରେ ସମସ୍ତେ ସୋସିଆଲ ମିଡ଼ିଆ ପ୍ରତି ଆକୃଷ୍ଟ।ସକାଳୁ ଉଠିଲା ବେଳଠୁ ରାତିରେ ଶୋଇବା ଯାଏଁ ସବୁବେଳେ ଆଖି ସୋସିଆଲ ମିଡ଼ିଆ ଉପରେ।ଡିଜିଟାଲ୍ ଦୁନିଆରେ ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବଢ଼ୁଛି। କିନ୍ତୁ ବଦଳୁଛି ୟୁଜର୍ସଙ୍କ ପସନ୍ଦ। ପୂର୍ବେ ଟ୍ରେଣ୍ଡରେ ରହୁଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଏବେ ଅନ୍ୟ ପ୍ଲାଟଫର୍ମ ତୁଳନାରେ ପଛରେ ପଡିଯାଇଛି । ଏହାର ଏକ ଉଦାହରଣ ହେଉଛି ଏଲନ୍ ମସ୍କଙ୍କ X ବା ଟ୍ୱିଟର । ସୋସିଆଲ ମିଡିଆ ଦୁନିଆରେ ଆମେରିକୀୟଙ୍କ ପସନ୍ଦ ମଧ୍ୟ ବଦଳିଛି । ଆମେରିକାର ସୋସିଆଲ ମିଡିଆ ବଜାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ବର୍ତ୍ତମାନ ଆମେରିକାରେ ଟ୍ୱିଟର ବାXପ୍ଲାଟଫର୍ମ ଚାହିଦା ହ୍ରାସ ହେବାକୁ ବସିଲାଣି।୨୦୨୨ ମସିହାରେ ଏଲୋନ୍ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ, ଏହାର ନାମ ପରିବର୍ତ୍ତନ କରି X ରଖାଯାଇଥିଲା। ପରବର୍ତ୍ତୀ ସମୟରେ, ପ୍ଲାଟଫର୍ମର କାର୍ଯ୍ୟକାରିତା, ନିୟମ ଏବଂ ବୈଶିଷ୍ଟ୍ୟଗୁଡ଼ିକରେ ଅନେକ ପରିବର୍ତ୍ତନ କରାଯାଇଥିଲା। ତଥାପି, ରିପୋର୍ଟ ଦର୍ଶାଉଛି ଯେ ଆମେରିକୀୟ ବୟସ୍କଙ୍କ ମଧ୍ୟରେ X ବ୍ୟବହାର ଧୀରେ ଧୀରେ ହ୍ରାସ ପାଇଛି। ଟ୍ୱିଟର ପ୍ରତି ଆଉ କାହାର ଏତେଟା ଆଗ୍ରହ ଆସୁନାହିଁ ।

ଅନ୍ୟପଟେ YouTube, Facebook ଓ Instagram ଉପରେ ରହିଛି ୟୁଜର୍ସଙ୍କ ଅଧିକ ଭରସା। ନିକଟରେ Pew Research Center ପକ୍ଷରୁ ପ୍ରକାଶିତ ଏକ ସର୍ଭେରେ ଆମେରିକୀୟଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଆସିଛି ରୋଚକ ତଥ୍ୟ। Pew Research Centerର ସର୍ଭେ ଅନୁସାରେ, ଆମେରିକାରେ X ବ୍ୟବହାର କରୁଥିବା ବୟସ୍କଙ୍କ ସଂଖ୍ୟା ୨୦୨୫ରେ ୨୧ ପ୍ରତିଶତ ଥିବାବେଳେ ୨୦୨୬ରେ ଏହା ୧୮ ପ୍ରତିଶତକୁ ଖସିଛି। ଅର୍ଥାତ୍ Xର ବ୍ୟବହାରକାରୀଙ୍କ ସଂଖ୍ୟା ହ୍ରାସ ହୋଇଛି। ସର୍ଭେ ରିପୋର୍ଟରୁ ଜଣାପଡିଛି, ଏହି ତାଲିକାରେ YouTube ରହିଛି ସବୁଠାରୁ ଆଗରେ। ଆମେରିକାରେ ବର୍ତ୍ତମାନ ୮୪ ପ୍ରତିଶତ ବୟସ୍କ YouTube ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛି Facebook। ଏହାକୁ ୭୦ ପ୍ରତିଶତ ଆମେରିକୀୟ ବ୍ୟବହାର କରୁଛନ୍ତି। ସେହିପରି Instagramକୁ ୫୧ ପ୍ରତିଶତ ଲୋକ ବ୍ୟବହାର କରୁଥିବାବେଳେ TikTokର ବ୍ୟବହାରକାରୀଙ୍କ ହାର ୩୭ ପ୍ରତିଶତ ରହିଛି। WhatsAppକୁ ୩୩ ପ୍ରତିଶତ ଓ Redditକୁ ୨୫ ପ୍ରତିଶତ ଆମେରିକୀୟ ବ୍ୟବହାର କରୁଛନ୍ତି। ଯାହାକି ସବୁଠୁ କମ ବ୍ୟବହାର ହେଉଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବୋଲି ପ୍ରକାଶ ପାଇଛି।

Also Read: ଫିଲ୍ମ ହଲରେ ଫ୍ଲପ ଏବେ OTTରେ ଧମାଲ କରୁଛି ‘ପୁଷ୍ପା’ ଫେମ୍ ଫହାଦ ଫାସିଲଙ୍କ ଫିଲ୍ମ

Xର ବ୍ୟବହାରରେ ହ୍ରାସ ଡିଜିଟାଲ୍ ଦୁନିଆରେ ବଦଳୁଥିବା ଟ୍ରେଣ୍ଡକୁ ଦର୍ଶାଉଛି। ଯଦି ଭାରତରେ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ କଥା କହିବା ତେବେ ହ୍ୱାଟସଆପ୍ ପ୍ରତି ଲୋକଙ୍କ ଅଧିକ ଲୋକପ୍ରିୟତା ରହିଛି।ଏହାର ବ୍ୟବହାର ସହଜ ଏବଂ ଲୋକଙ୍କ ସହିତ ସିଧାସଳଖ ସଂଯୋଗ କରିବାର କ୍ଷମତା ରହିଛି । ଛୋଟରୁ ବଡ଼ ବ୍ୟବସାୟଗୁଡ଼ିକ ଗ୍ରାହକମାନଙ୍କ ସହିତ ଯୋଗାଯୋଗ କରିବା, ଅର୍ଡର ଏବଂ ପେମେଣ୍ଟ ସୂଚନା ସେୟାର କରିବା ପାଇଁ WhatsApp ବ୍ୟବହାର କରନ୍ତି ଏବଂ ଏହା ପରିବାର, ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ ସଂଯୋଗରେ ରହିବାକୁ ମଧ୍ୟ ସହଜ କରିଥାଏ। ବୟସ ବଦଳିବା ସହ ବଦଳୁଛି ଦୁନିଆର ଟ୍ରେଣ୍ଡ , ଲୋକଙ୍କ ପସନ୍ଦ ଓ ବ୍ୟବହାରର ଶୈଳୀ । ଯୁବପିଢ଼ି ନୂଆ ପ୍ଲାଟଫର୍ମ ଓ ଟ୍ରେଣ୍ଡ୍ ଆଡ଼କୁ ଆକର୍ଷିତ ହେଉଥିବା ବେଳେ, YouTube , Instagram ଓ Facebook ଭଳି ପ୍ଲାଟଫର୍ମ ଏବେ ବି ନିଜର ପ୍ରଭାବ ବଜାୟ ରଖିଛନ୍ତି।