ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ କହୁଛନ୍ତି, ଭବିଷ୍ୟତ ଲାଗି ଅର୍ଥ ସଞ୍ଚୟ କରିବା ନିରର୍ଥକ  । ନିଜେ ୮୬୮ ବିଲିୟନ ଡଲାର ସଂପତ୍ତି ରଖିଛନ୍ତି ଏବଂ ପ୍ରତିଦିନ ଏହାର ପରିମାଣ ବଢ଼ୁଛି, କିନ୍ତୁ ସେ କହୁଛନ୍ତି ଟଙ୍କାର ଆବଶ୍ୟକତା ନାହିଁ । ଜଣେ ଟ୍ବିଟର ୟୁଜର ଲେଖିଥିଲେ, ସେ ନିଜର ଆର୍ଥିକ ନିଷ୍ପତ୍ତିକୁ ନେଇ ଚିନ୍ତିତ ନୁହଁନ୍ତି, କାରଣ ଆଗାମୀ କିଛି ବର୍ଷ ମଧ୍ୟରେ ଏହିସବୁର ମହତ୍ତ୍ୱ ରହିବ ନାହିଁ । ଏହି ପୋଷ୍ଟରେ ଏଲନ ମସ୍କ ବଡ଼ ଦାବି କରିଛନ୍ତି ।

ପ୍ରାୟ ୮୬୮ ବିଲିୟନ୍ ଡଲାର (ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ) ସମ୍ପତ୍ତିର ମାଲିକ ଏଲନ୍ ମସ୍କ ଟ୍ବିଟର ୟୁଜରଙ୍କ ମତରେ ସମ୍ମତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ସୁପର-ଇଣ୍ଟେଲିଜେଣ୍ଟ ଅବଣ୍ଡାନ୍ସ ବା କୃତ୍ରିମ ବୁଦ୍ଧିମତ୍ତାର ବ୍ୟାପକ ସମୃଦ୍ଧି ମାନବ ସମାଜକୁ ଟଙ୍କା ସଞ୍ଚୟ କରିବାର ଆବଶ୍ୟକତାରୁ ମୁକ୍ତି ଦେବ। ତେଣୁ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବା ସମ୍ପୂର୍ଣ୍ଣ ଅର୍ଥହୀନ ।’

ସୋସିଆଲ ମିଡିଆରେ ପ୍ରତିକ୍ରିୟା
ମସ୍କଙ୍କ ଏଭଳି ଦାବିକୁ ନେଇ ନେଟିଜେନ୍ସ ଅସନ୍ତୁଷ୍ଟ । ଅଧିକାଂଶ ୟୁଜର୍ସ ତାଙ୍କର ସମ୍ପତ୍ତି ଏବଂ ସାଧାରଣ ଲୋକଙ୍କୁ ସଞ୍ଚୟ ନକରିବା ପାଇଁ ଦେଇଥିବା ପରାମର୍ଶ ମଧ୍ୟରେ ଥିବା ବଡ଼ ପାର୍ଥକ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଅନ୍ୟ କିଛି ଲୋକ ପ୍ରଶ୍ନ କରିଛନ୍ତି ଯେ, ଯଦି ସବୁକିଛି ମାଗଣାରେ ମିଳିବ, ତେବେ ଉତ୍ପାଦନ ପାଇଁ ଲୋକଙ୍କୁ କିପରି ପ୍ରୋତ୍ସାହିତ କରାଯିବ ? ଜଣେ  କଟାକ୍ଷ କରି ଲେଖିଛନ୍ତି, ‘ଏହି କଥା ସେହି ବ୍ୟକ୍ତି କହୁଛନ୍ତି, ଯାହାଙ୍କ ପାଖରେ ଟ୍ରିଲିୟନ୍ ଡଲାର ରହିଛି।’

ଅନ୍ୟ ଜଣେ ଲେଖିଛନ୍ତି, ‘ଆପଣ ଭ୍ରମରେ ଅଛନ୍ତି। ଆପଣ ଭାବୁଛନ୍ତି କି ଲୋଭୀ କର୍ପୋରେଟ୍ କମ୍ପାନୀଗୁଡ଼ିକ ସାଧାରଣ ଜନତାଙ୍କୁ ସାହାଯ୍ୟ କରିବା ପାଇଁ କିଛି କରିବେ?’ ଆଉ ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି, ଯଦି ଆପଣଙ୍କର (ମସ୍କ) ଟଙ୍କାର ଆବଶ୍ୟକତା ନାହିଁ, ମୋତେ ଦାନ କରିଦିଅନ୍ତୁ । ମୁଁ ଆପଣଙ୍କୁ ଟଙ୍କାରୁ ମୁକ୍ତି ପାଇବାକୁ ସାହାଯ୍ୟ କରିବି । ଆଉ କେହି ଭବିଷ୍ୟତରେ ବଢ଼ିବାକୁ ଥିବା ଅରାଜକତା ଏବଂ ଅଶାନ୍ତି ସଂପର୍କରେ ଯୁକ୍ତି ଦେଇଛନ୍ତି । 

ଏହା ପୂର୍ବରୁ ମସ୍କ ଏଭଳି ଚର୍ଚ୍ଚିତ ମନ୍ତବ୍ୟ ଦେଇଛନ୍ତି । ସେ କହିଥିଲେ, ଏଆଇ ଏବଂ ରୋବୋଟିକ୍ସର ବିକାଶ ଯୋଗୁଁ ଦାରିଦ୍ର୍ୟ ଦୂରୀକରଣ ହେବ । ଏପରିକି ପାରମ୍ପିରିକ ପରିଶ୍ରମର ଆବଶ୍ୟକତା ହ୍ରାସ ପାଇବ । ଫଳରେ ଆର୍ଥିତ ସ୍ଥିରତା ଆସିବ । ସେ ଦାବି କରିଥିଲେ ଯେ, ଯଦି ଏଆଇ ଏବଂ ରୋବୋଟିକ୍ସ ଉତ୍ପାଦନ କ୍ଷମତାକୁ ଅନେକ ଗୁଣ ବୃଦ୍ଧି କରନ୍ତି, ତେବେ ଅମ୍ଳଜାନ ଭଳି ଟଙ୍କା ସହଜରେ ଉପଲବ୍ଧ ହେବ ।