ଜୟପୁର, ୩୧/୦୮: କୋରାପୁଟ ଜିଲ୍ଲା ଜୟପୁର ସଦର ବୃକ ଜୟନ୍ତୀଗିରି ପଞ୍ଚାୟତ ମାଲଦା ଦେଇ ବହି ଯାଇଥିବା ବଡ଼ପଡ଼ା ନଦୀରେ କୁମ୍ଭୀର। ଏହାର ଆକାର ପ୍ରାୟ ୧୦ ଫୁଟ ହେବ । ମାଲଦାର କେତେକ ବ୍ୟକ୍ତି ଏହାକୁ ଦେଖି ଗାଁ ଲୋକଙ୍କୁ ସୂଚନା ଦେଇଛନ୍ତି। ଏହାକୁ ନେଇ ନଦୀକୂଳିଆ ମଲଦା, ବଡ଼ପଡ଼ା ଲୋକ ଓ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି।

ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଲଦାର ଜଣେ ଚାଷୀ ସ୍ପ୍ରେ କରିବା ଲାଗି ଜମିକୁ ଯାଉଥିଲେ। ଗାଁ ପାଖ ଦେଇ ବହି ଯାଇଥିବା ବଡ଼ପଡ଼ା ନଦୀ ଭିତର ସାମାନ୍ୟ ଉଚ୍ଚସ୍ଥାନରେ ଦେଖିଥିଲେ ଏକ ବିରାଟ କୁମ୍ଭୀର। ପ୍ରଥମ ଥର ଲାଗି ନଦୀରେ କୁମ୍ଭୀର ଦେଖି ଡରି ଯାଇଥିଲେ। ନିଜ ମୋବାଇଲରେ ଫଟୋ ଉଠାଇଥିଲେ। ଏ ସମ୍ପର୍କରେ ଅନ୍ୟ ମାନଙ୍କୁ ଖବର ଦେଇଥିଲେ। ହଠାତ୍ କୁମ୍ଭୀରଟି ପାଣି ଭିତରେ ଲୁଚି ଯାଇଥିଲା। ଖବରପାଇ ଗାଁର ଅନ୍ୟମାନେ ନଦୀ ପଠାରେ ପହଞ୍ଚିଥିଲେ। ପ୍ରବଳ ପାଣି ଯୋଗୁ କୁମ୍ଭୀରକୁ ଆଉ ଠାବ କରିପାରି ନଥିଲେ। ଏହାପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ନଦୀକୁ ଯିବା ବେଳେ ସତର୍କ ରହିବାକୁ ଗାଁରେ କୁହାଯାଇଥିଲା। ଏସମ୍ପର୍କରେ ବଡ଼ପଡ଼ାର ଲୋକଙ୍କୁ ବି ସୂଚନା ଦିଆଯାଇଥିଲା। ବନ ବିଭାଗକୁ ଖବର ଦିଆଯାଇଛି କି ନାହିଁ ସ୍ପଷ୍ଟ ସୂଚନା ମିଳିନି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବଡ଼ପଡ଼ା ନଦୀ ଉପରେ ଆଖାପାଖ ଗାଁ ଲୋକ ନିର୍ଭର କରୁଛନ୍ତି। ସେମାନେ ଏହି ନଦୀରେ କେବେହେଲେ କୁମ୍ଭୀର ଦେଖି ନଥିଲେ। ଏହାର ଆକାର ୧୦ଫୁଟରୁ ଅଧିକ ହୋଇପାରେ। ବର୍ଷା ଯୋଗୁ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଛି। ଏବେ ଜମିରେ ଖରିଫ ଧାନ ଲାଗିଛି। ସାର ପକା, କୀଟନାଶକ ସ୍ପ୍ରେ ସମୟ। ଗୋ’ସମ୍ପଦ ବି ନଦୀକୁ ଯାଉଛନ୍ତି। ନଦୀରୁ କୁମ୍ଭୀର ବାହାରି କୂଳକୁ ଆସିପାରେ। ମଣିଷ ଓ ପ୍ରାଣୀଙ୍କୁ ଆକ୍ରମଣ କରିବା ଆଶଙ୍କା ରହିଛି। କୁମ୍ଭୀର ଉଦ୍ଧାର ଲାଗି ବନ ବିଭାଗ ପଦକ୍ଷେପ ନେବା ଉଚିତ ବୋଲି ସେମାନେ ଦାବି କରିଛନ୍ତି।