ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନି ଦେଶର ସେନାକୁ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଶତ୍ରୁପକ୍ଷର ଯେକୌଣସି ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ତୁରନ୍ତ ଜବାବ ଦେବାକୁ ସେ ନିର୍ଦ୍ଦେଶ ଜାରି କରିଛନ୍ତି। ଖାମେନିଙ୍କ ଅଫିସିଆଲ୍ ‘X’ ଆକାଉଣ୍ଟରେ ମଧ୍ୟ ଏହି ବୈଠକ ବିଷୟରେ ସ୍ପଷ୍ଟ କରାଯାଇଛି।

ବୈଠକରେ ଖାମେନି କହିଛନ୍ତି, ‘ଯଦି ଶତ୍ରୁମାନେ ପୁଣି ଥରେ ସାମରିକ ଆକ୍ରମଣ କରନ୍ତି, ତେବେ ସେମାନଙ୍କର ଅନ୍ତ କେବେ ହେବ ଏବଂ କିପରି ହେବ, ତାହା ଇସଲାମିକ ରିପବ୍ଲିକର ସଶସ୍ତ୍ର ବାହିନୀ ଏବଂ ଇରାନବାସୀ ହିଁ ସ୍ଥିର କରିବେ। ଆମକୁ ଆଧ୍ୟାତ୍ମିକ ଭିତ୍ତିଭୂମି ଏବଂ ଜିହାଦର ଭାବନାକୁ ଆହୁରି ସୁଦୃଢ଼ କରିବାକୁ ହେବ। ଏହା ସହିତ ସଶସ୍ତ୍ର ବାହିନୀର ଆବଶ୍ୟକତା ପୂରଣ କରିବା ଏବଂ ସେମାନଙ୍କୁ ପ୍ରତ୍ୟେକ ସ୍ତରରେ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବା ପାଇଁ ଅବିରତ ଉଦ୍ୟମ ଜାରି ରହିବା ଉଚିତ୍।’

ଅନ୍ୟପଟେ, ଇରାନ ସେନାର ପ୍ରବକ୍ତା ବ୍ରିଗେଡିୟର ଜେନେରାଲ ମହମ୍ମଦ ଆକ୍ରାମିନିଆ ଶନିବାର ଦିନ ଏକ୍ସରେ ପୋଷ୍ଟ କରି ଆମେରିକାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଆମେରିକା ପୁଣି ଥରେ ଆକ୍ରମଣ କରେ, ତେବେ ଏହି ଯୁଦ୍ଧ କେବଳ ଗୋଟିଏ ସୀମାରେ ସୀମିତ ନରହି ବ୍ୟାପକ ଅଞ୍ଚଳକୁ ବ୍ୟାପିଯିବ। ​‌ସେ କହିଛନ୍ତି, ଯଦି ଆମେରିକା ରାଷ୍ଟ୍ରପତି ଇସ୍ରାଏଲ ଚାପରେ ଆସି କିମ୍ବା ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୁଣି ଥରେ କୌଣସି ଦୁଃସାହସ କରନ୍ତି, ତେବେ ଯୁଦ୍ଧର ନିଆଁ ନିଶ୍ଚିତ ଭାବେ ଏକ ବୃହତ୍ତର ଭୌଗୋଳିକ ଅଞ୍ଚଳକୁ ଗ୍ରାସ କରିବ ।