ନବରଙ୍ଗପୁର ୭।୧୧: କୋର୍ଟ ଭିତରେ ମହିଳାଙ୍କ ହାଇଡ୍ରାମା । ମହିଳାଙ୍କ ଆକ୍ରମଣରେ JMFC କୋର୍ଟ ବିଚାରପତି, ସରକାରୀ ଓକିଲ ଏବଂ କୋର୍ଟ ସୁରକ୍ଷା ଅଧିକାରୀ ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ JMFC କୋର୍ଟରେ ।

ଶନିବାର ଦିନ ଜଣେ ମହିଳା ସିଧା କୋର୍ଟ ଭିତରେ ପଶିଥିଲେ । ପରିବା ବ୍ୟାଗ୍ରେ ଲୁଚାଇ ଧରି ଥିବା ଲୁହା ରଡ୍ରେ ପ୍ରଥମେ ସରକାରୀ ଓକିଲ ପ୍ରଦୀପ ପଟ୍ଟନାୟକଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ । ଆକ୍ରମଣ କରିବା ଦେଖି କୋର୍ଟ ବିଚାର ପତି ସ୍ମିତା ଲାକ୍ରା ସରକାରୀ ଓକିଲଙ୍କୁ ଛଡାଇବାକୁ ଆସିଥିବା ବେଳେ ମହିଳା ଜଣଙ୍କ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏତିକି ବେଳେ କୋର୍ଟ ଏସଆଇ ମୀନକେତନ ଗନ୍ତାୟତ ପହଞ୍ଚି ଯିବାରୁ ତାଙ୍କୁ ଆକ୍ରମଣ କରିଥିଲେ ମହିଳା । ମହିଳାଙ୍କ ଆକ୍ରମଣରେ ସରକାରୀ ଓକିଲ ପ୍ରଦୀପ ପଟ୍ଟନାୟକ ଏବଂ କୋର୍ଟ ସୁରକ୍ଷା ଅଧିକାରୀ ମୀନକେତନ ଗନ୍ତାୟତଙ୍କ ମୁଣ୍ଡରେ ଆଘାତ ଲାଗି ମୁଣ୍ଡ ଫାଟିଯାଇଥିବା ଦେଖିବାକୁ ମିଳିଛି ।

Also Read:- ଗଞ୍ଜାମରେ ବନ୍ୟା ସ୍ଥିତି ପରଖିଲେ ନବୀନ, ଚାଷୀଙ୍କ ସହ କରିବେ ଆଲୋଚନା

ତେବେ ମହିଳା ଜଣଙ୍କ କରସାହାଣ୍ଡି ଗାଁର ସନମତି ମାଝୀ ବୋଲି ଜଣାପଡ଼ିଛି । ସେ କରସାହାଣ୍ଡି ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ । ତାଙ୍କର ଯୌତୁକ ନିର୍ଯାତନା ମାମଲା ବିଚାରାଧୀନ ଅବସ୍ଥାରେ । ଗତ ୨ ତାରିଖ ଦିନ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । କିନ୍ତୁ ଆଜି ମହିଳା ଜଣଙ୍କ ଏ ସମ୍ବନ୍ଧରେ ଜାଣିବାକୁ ଜବରଦସ୍ତି କୋର୍ଟ ହଲ୍ ମଧ୍ୟକୁ ଯିବାକୁ ଚେଷ୍ଟା କରୁଥିଲେ । ମହିଳା ଜଣଙ୍କୁ ମନା କରିବା ପରେ APPଙ୍କ ଚାମ୍ବରକୁ ଯାଇଥିଲେ । ସେଠାରେ APP ତାଙ୍କୁ ବସିବାକୁ ଚୌକି ଦେଇ ମୋବାଇଲରେ କଥା ହେଉଥିବା ବେଳେ APP ଜଣଙ୍କୁ ଲୁହା ରଡ୍ରେ ଆକ୍ରମଣ କରିଥିଲେ । ମହିଳା ଜଣଙ୍କୁ ଝରିଗାଁ ଥାନାରେ ଅଟକ ରଖାଯାଇଛି ।

Watch Video: