ଓ୍ଵେଲିଂଟନ: ଦ୍ଵିତୀୟ ଦିନିକିଆରେ ପୁଣି ଭାରତୀୟ ବୋଲରଙ୍କ ରାଜୁତି। ଗୁରନୂର ବ୍ରାରଙ୍କ ସହ ଅନ୍ୟ ବୋଲରଙ୍କ ଘାତକ ବୋଲିଂ ବଳରେ ଭାରତ ଘରୋଇ ନ୍ୟୁଜିଲାଣ୍ଡକୁ ୧୩୪ ରନରେ ଅଲଆଉଟ୍ କରି ଦେଇଛି। ଡାରିଲ ମିଚେଲ୍(୫୫ ରନ) ଓ ମିଚେଲ୍ ସାଣ୍ଟନର(୩୧ ରନ)ଙ୍କୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଛନ୍ତି। ଭାରତ ସାମ୍ନାରେ ରହିଛି ୧୩୫ ରନର ଛୋଟ ବିଜୟ ଲକ୍ଷ୍ୟ। ଗୁରନୂର ବ୍ରାର ସର୍ବାଧିକ ୪ ଓ୍ଵିକେଟ୍ ନେଇଥିବା ବେଳେ ଆକିବ ନବି, ଅଂଶୁଲ କମ୍ବୋଜ ଓ ଅକ୍ଷର  ପଟେଲ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ମିଳିଛି। ବର୍ଷା ଏବଂ ଅଦା ଆଉଟ୍ ଫିଲ୍ଡ ଯୋଗୁଁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହୋଇଥିଲା। ଫଳରେ ଓଭର କଟାଯାଇ ୪୭-୪୭ ଓଭର କରାଯାଇଥିଲା। ହେଲେ କିଓ୍ଵି ଦଳ ୪୧ ଓଭର  ହିଁ ଖେଳି ପାରିଛନ୍ତି।

ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ଅଧିନାୟକ ଶୁଭମନ ଗିଲଙ୍କ ନିଷ୍ପତ୍ତିକୁ ସଠିକ ସାବ୍ୟସ୍ତ କରିଥିଲେ ବୋଲର। ବର୍ଷା ଯୋଗୁଁ ଦ୍ରୁତ ବୋଲରଙ୍କୁ ପିଚ୍ ଏବଂ ପରିବେଶରୁ ମିଳିଥିବା ସହାୟତାର ବେଶ ଫାଇଦା ଉଠାଇଛନ୍ତି ବୋଲର। ଆକିବ ନବି ଆରମ୍ଭରୁ ଓ୍ଵିଲ ୟଙ୍ଗ(୬ ରନ) ଓ ଟିମ୍ ସେଇଫର୍ଟ(୦)ଙ୍କୁ ଆଉଟ୍ କରି ଘରୋଇ ଦଳକୁ ବ୍ୟାକଫୁଟକୁ ଠେଲିଥିଲେ। ହେନରି ନିକୋଲାସ(୧୧ ରନ)ଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଅଂଶୁଲ କମ୍ବୋଜ। ମଧ୍ୟକ୍ରମରେ ଡାରିଲ ମିଚେଲ୍ ଏକାକୀ ଲଢିଥିଲେ। ଟମ ଲାଥମ(୭ ରନ), ଗ୍ଲେନ ଫିଲିପ୍ସ(୦ ରନ) ଓ ନାଥନ ସ୍ମିଥ(୩ ରନ)ଙ୍କୁ ପାଭିଲିୟନ ପଠାଇ ଘରୋଇ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ ଗୁରନୂର ବ୍ରାର।

Also Read: ୧୩ ବର୍ଷର ଟେଷ୍ଟ କ୍ରିକେଟକୁ ଅଲବିଦା, ପୋଷ୍ଟ ସେୟାର କରି ଅବସର ଘୋଷଣା କଲେ ଶାମି

ତେବେ ମିଚେଲ୍ ଏବଂ ସାଣ୍ଟନର ଷଷ୍ଠ ଓ୍ଵିକେଟ୍ ପାଇଁ ୫୯ ରନ ଯୋଡ଼ିଥିଲେ। ଫଳରେ କିଓ୍ଵି ଦଳ ୧୦୦ ଅତିକ୍ରମ କରି ପାରିଥିଲା। ମିଚେଲ୍ ୫୫ ରନ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ। କ୍ରିଜରେ ଜମି ଆସୁଥିବା ସାଣ୍ଟରନଙ୍କୁ ଗୁରନୂର ଆଉଟ୍ କରି ନିଜର ଚତୁର୍ଥ ସଫଳତା ପାଇଥିଲେ। ଶେଷରେ କିଓ୍ଵି ଦଳ ୪୧ ଓଭରରେ ୧୩୪ ରନରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ବୋଲିଂରେ ଗୁରନୂର ବ୍ରାର୧୦ ଓଭରରେ ୩୦ ରନ ଦେଇ ୪ଟି ସଫଳତା ହାସଲ କରିଛନ୍ତି। ଆକିବ ନବି ୩୧ ରନ ଦେଇ ୨ଟି, ଅଂଶୁଲ କମ୍ବୋଜ ୨୫ ରନ ବ୍ୟୟ କରି ୨ଟି ଏବଂ ଅକ୍ଷର ପଟେଲ ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି।