ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସବୁଠୁ ନିକଟତମ ସହଯୋଗୀ ଷ୍ଟିଫେନ ମିଲରଙ୍କୁ ହ୍ୱାଇଟହାଉସ୍ ର ନୂଆ ଚିଫ୍ ଅଫ୍ ଷ୍ଟାଫ ନିଯୁକ୍ତ କରିଛନ୍ତି। ଆମେରିକୀୟ ଗଣମାଧ୍ୟମ ରିପୋର୍ଟରୁ ୩ ନଭେମ୍ବରର ମଧ୍ୟାବଧି ନିର୍ବାଚନରେ ରିପବ୍ଲିକାନ ପାର୍ଟି କଂଗ୍ରେସର ଉଭୟ ସଦନରେ ନିଜର ସଂଖ୍ୟାଗରିଷ୍ଠତା ହରାଇବା ପରେ ଟ୍ରମ୍ପ ତାଙ୍କର ଘରୋଇ ଏଜେଣ୍ଡାକୁ ନରମ କରିବା ମାନସିକତାରେ ଦେଖା ଯାଉ ନାହାନ୍ତି। ଆମେରିକା ଫାଷ୍ଟ ଅଭିଯାନର ମୁଖ୍ୟ ରଣନୀତିକାରଙ୍କୁ ହ୍ୱାଇଟହାଉସ୍ କେନ୍ଦ୍ରକୁ ଆଣି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଡେମୋକ୍ରାଟିକ୍ ପାର୍ଟି ନିୟନ୍ତ୍ରିତ କଂଗ୍ରେସ ସହିତ ଆଗାମୀ ୨ ବର୍ଷ ସିଧାସଳଖ ମୁକାବିଲା ଲାଗି ସେ ପ୍ରସ୍ତୁତ।

୨୦୧୬ ମସିହାରୁ ଟ୍ରମ୍ପଙ୍କ ପ୍ରମୁଖ ପରାମର୍ଶଦାତା ରହିଆସିଥିବା ମିଲର ନଭେମ୍ବର ୯ ତାରିଖରେ ସୁସି ୱାଇଲ୍ସଙ୍କ ସ୍ଥାନରେ ଏହି ପଦବୀ ଗ୍ରହଣ କରିବେ। ହ୍ୱାଇଟହାଉସ୍ ଚିଫ ଅଫ ଷ୍ଟାଫଙ୍କୁ ଆମେରିକା ପ୍ରଶାସନରେ ସବୁଠୁ ପ୍ରଭାବଶାଳୀ ଅଣ ନିର୍ବାଚିତ ପଦବୀ ଭାବେ ବିବେଚନା କରାଯାଏ। ଯଦିଓ ଏହି ପଦବୀର ପୃଥକ ସାମ୍ବିଧାନିକ କ୍ଷମତା ନାହିଁ, ତଥାପି ରାଷ୍ଟ୍ରପତି କିପରି ତାଙ୍କ କ୍ଷମତା ବ୍ୟବହାର କରିବେ ତାହା ଉପରେ ଏହି ପଦବୀର ସିଧାସଳଖ ପ୍ରଭାବ ଅଛି। ଚିଫ ଅଫ ଷ୍ଟାଫ ରାଷ୍ଟ୍ରପତିଙ୍କ ମୁଖ୍ୟ ଦ୍ୱାରପାଳ ଭାବେ କାମ କରନ୍ତି। ଓଭଲ ଅଫିସକୁ କିଏ ପ୍ରବେଶ କରିବେ ତାହା ସେ ନିଷ୍ପତ୍ତି ନିଅନ୍ତି। କେଉଁ ବରିଷ୍ଠ ଅଧିକାରୀଙ୍କୁ କେଉଁ ଦାୟିତ୍ୱ ଦିଆଯିବ ଓ କେଉଁ ନୀତିଗୁଡିକ ପ୍ରତି ରାଷ୍ଟ୍ରପତିଙ୍କ ଧ୍ୟାନ ଆକର୍ଷଣ କରାଯିବା ତାହା ଚିଫ ଅଫ ଷ୍ଟାଫ ନିଷ୍ପତ୍ତି ନିଅନ୍ତି।

ସେ ଜାତୀୟ ସୁରକ୍ଷା ପରିଷଦ, ଆଭ୍ୟନ୍ତରୀଣ ନୀତି ଟିମ୍ ଏବଂ କମ୍ୟୁନିକେସନ ବିଭାଗଗୁଡିକର ମଧ୍ୟ ସମନ୍ୱୟ କରନ୍ତି। ପ୍ରଶାସନରେ ସାଙ୍ଗଠନିକ ଶୃଙ୍ଖଳା ଆଣିବାର ଶ୍ରେୟ ପୂର୍ବତନ ଚିଫ୍ ଅଫ ଷ୍ଟାଫ ସୁସି ୱାଇଲସ୍ ଙ୍କୁ ଦିଆଯାଏ। ତେବେ ମିଲର ଜଣେ ଆଦର୍ଶଗତ ଓ ଆକ୍ରାମକ ନୀତି ସହୟାକ ହୋଇ ରହିଆସିଛନ୍ତି। ଏମିତିରେ ମିଲର ଭାରତକୁ ନେଇ କେବେ କୌଣସି ପୃଥକ ନୀତିଗତ ବୟାନ ଦେଇ ନାହାନ୍ତି ତେବେ ଆମେରିକୀୟ ଶ୍ରମିକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାରେ ତାଙ୍କ ଚିନ୍ତାଧାରା ଭାରତୀୟଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇ ପାରେ। ଆମେରିକାରେ ଦକ୍ଷ ବିଦେଶୀ ଶ୍ରମିକଙ୍କ ମଧ୍ୟରେ ଭାରତୀୟ ନାଗରିକଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏଣୁ ମିଲରଙ୍କ ନିଷ୍ପତ୍ତି ଭାରତୀୟଙ୍କୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି।